ନିଟ ପରୀକ୍ଷା ନିୟମରେ ପରିବର୍ତ୍ତନ, ଜାଣନ୍ତୁ କେଉଁ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇ ପାରିବେ

ନୂଆଦିଲ୍ଲୀ: ନିଟ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ମେଡିକାଲ କଲେଜଗୁଡିକର ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ଲାଗି ମଇ ୬ ତାରିଖରେ ନିଟ ପରୀକ୍ଷା ହେବ । ତେବେ ଚଳିତ ବର୍ଷ ନିଟ ପରୀକ୍ଷା ନିୟମରେ କିଛି ପରିବର୍ତ୍ତନ କରାଯାଇଛି । ନୂଆ ନିୟମ ଅନୁଯାୟୀ, ଯେଉଁ ଛାତ୍ରଛାତ୍ରୀମାନେ ମୁକ୍ତ ବିଦ୍ୟାଳୟରୁ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବେ କିମ୍ବା ୨୫ ବର୍ଷରୁ ଅଧିକ ବୟସ୍କ ଛାତ୍ରଛାତ୍ରୀମାନେ ନିଟ୍‌ ପରୀକ୍ଷା ପାଇଁ ଆବେଦନ କରିପାରିବେ ନାହିଁ ।

କେବଳ ଏତିକି ନୁହେଁ, ଦ୍ୱାଦଶ ଶ୍ରେଣୀରେ ଫିଜିକ୍ସ, କେମେଷ୍ଟ୍ରି, ବାୟୋଲୋଜି, ବାୟୋ-ଟେକ୍ନୋଲୋଜି ଓ ଇଂରାଜୀ ବିଷୟରେ ୫୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀମାନେ ନିଟ ପାଇଁ ଆବେଦନ କରିପାରିବେ । ତେବେ ଚଳିତ ଥର ନିଟ ପରୀକ୍ଷା ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଧାର କାର୍ଡ ନମ୍ବର ଦେବା ବାଧ୍ୟତାମୂଳକ କରାଯାଇଛି । ସେହିଭଳି ପ୍ରବାସୀ ଭାରତୀୟ ଛାତ୍ରଛାତ୍ରୀ ପାସପୋର୍ଟ ନମ୍ବର ଦେଇ ନିଟ ପାଇଁ ରେଜିଷ୍ଟ୍ରେସନ କରିପାରିବେ ।

ନିଟ ପରୀକ୍ଷା ଆୟୋଜନ କରୁଥିବା ସିବିଏସଇ ବୋର୍ଡର କହିବା ଅନୁଯାୟୀ, ପୂର୍ବବର୍ଷର ସିଲାବସ ଅନୁଯାୟୀ ଚଳିତ ବର୍ଷ ପରୀକ୍ଷା ଅନୁଷ୍ଠିତ ହେବ । ସିଲାବସରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ । ତେବେ ନିଟ-୨୦୧୮ପରୀକ୍ଷା ପାଇଁ ଆବେଦନ କରିବାକୁ ଆଧାର କାର୍ଡର ନମ୍ବରକୁ ବାଧ୍ୟତାମୂଳକ କରାଯାଇଛି । କେବଳ ଜମ୍ମୁ-କାଶ୍ମୀର, ଆସାମ, ଓ ମେଘାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ।

ନିଟ ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀ ୧୪୦୦ ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନେ ୭୫୦ ଟଙ୍କା ଦେଇ ନିଟ ପାଇଁ ରେଜିଷ୍ଟ୍ରେସନ କରିପାରିବେ । ମଇ ୬ ରେ ହେବାକୁ ଥିବା ନିଟ ପରୀକ୍ଷା ପାଇଁ ଆବେଦନର ଶେଷ ତାରିଖ ମାର୍ଚ୍ଚ ୯ ରହିଛି । ଛାତ୍ରଛାତ୍ରୀମାନେ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ସମ୍ବନ୍ଧିତ ଖବର