ନୂଆଦିଲ୍ଳୀ: ଆଜି ସୁପ୍ରିମକୋର୍ଟରେ ନିଟ୍-ୟୁଜି ମାମଲାର ଅନ୍ତିମ ଶୁଣାଣିରେ ପୁଣିଥରେ ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ବରିଷ୍ଠ ଓକିଲ ମାଥ୍ୟୁଜ ନେଦୁମ୍ପରା ମୁହାଁମୁହିଁ ହୋଇଛନ୍ତି। ଶୁଣାଣି ସମୟରେ ଅନ୍ୟ ଏକ ଓକିଲଙ୍କୁ ଅଟକାଇ ନେଦୁମ୍ପରା ନିଜର ମତ ରଖିବା ଘଟଣାରେ ପ୍ରଧାନ ବିଚାରପତି ତୀବ୍ର ଅସନ୍ତୋଷ ପ୍ରକାଶ କରି କହିଥିଲେ ଯେ ସେ ବର୍ତ୍ତମାନ କୋର୍ଟର ଦାୟିତ୍ବରେ ଅଛନ୍ତି ଏବଂ ଏଭଳି ହସ୍ତକ୍ଷେପକୁ ଗ୍ରହଣ କରିବେ ନାହିଁ। ସୁରକ୍ଷାକର୍ମୀଙ୍କୁ ଡାକି ନେଦୁମ୍ପରାଙ୍କୁ ହଟାଯାଉ ବୋଲି ମଧ୍ୟ ପ୍ରଧାନ ବିଚାରପତି କହିବା ଚର୍ଚ୍ଚାର ବିଷୟ ହୋଇଛି।
କୋର୍ଟ ପ୍ରକୋଷ୍ଠର ବିବରଣୀରୁ ପ୍ରକାଶ, ନିଟ୍-ୟୁଜି ମାମଲାରେ ଓକିଲ ନରେନ୍ଦ୍ର ହୁଦା ଜଣେ ଆବେଦନକାରୀଙ୍କ ପକ୍ଷରୁ ମତ ଉପସ୍ଥାପନ କରିବା ସମୟରେ ବରିଷ୍ଠ ଓକିଲ ନେଦୁମ୍ପରା ଠିଆ ହୋଇ କହିଥିଲେ ଯେ ସେ କିଛି କହିବାକୁ ଚାହାନ୍ତି, ଅନୁମତି ଦେଲେ କହିବେ। ଏଥିରେ ପ୍ରଧାନବିଚାରପତି ଚନ୍ଦ୍ରଚୂଡ଼ କହିଥିଲେ, ଓକିଲ ହୁଦାଙ୍କ ପରେ ସେ (ନେଦୁମ୍ପରା) ନିଜର ମତ ରଖିପାରିବେ। ଯେତେବେଳେ ହୁଦା କହୁଛନ୍ତି ସେ ଆଉ କାହାରି ହସ୍ତକ୍ଷେପ ଗ୍ରହଣ କରିପାରିବେ ନାହିଁ। ଏଥିରେ ନେଦୁମ୍ପରା କହିଥିଲେ, ସେ ଜଣେ ବରିଷ୍ଠ ଓକିଲ ଓ ଏକ ଗୁରୁତ୍ବପୂର୍ଣ୍ଣ କଥା କହିବାକୁ ଚାହାନ୍ତି। ଦୁଇପଦ କେବଳ କହିବେ। ଏଥିରେ ପ୍ରଧାନବିଚାରପତି ତୀବ୍ର ଅସନ୍ତୋଷ ପ୍ରକାଶ କରି କହିଥିଲେ, ଏହି କୋର୍ଟର ଦାୟିତ୍ବରେ ସଂପ୍ରତି ମୁଁ ଅଛି। ସୁରକ୍ଷାକର୍ମୀଙ୍କୁ ଡକାଇ ନେଦୁମ୍ପରାଙ୍କୁ କୋର୍ଟ ପ୍ରକୋଷ୍ଠରୁ ହଟାଯାଉ। ଏଥିରେ ନେଦୁମ୍ପରା କହିଥିଲେ ଯେ ସେ କୋର୍ଟ ଛାଡ଼ି ଚାଲିଯାଉଛନ୍ତି। ଏଥିରେ ପୁଣି ପ୍ରଧାନବିଚାରପତି ଉତ୍କ୍ଷିପ୍ତ ହୋଇ କହିଥିଲେ, କୋର୍ଟ ଛାଡ଼ିବା କଥା କୁହନ୍ତୁ ନାହିଁ। ମୁଁ ବିଚାରବିଭାଗକୁ ଗତ ୨୪ ବର୍ଷ ଧରି ଦେଖି ଆସିଛି। କୋର୍ଟର କାର୍ଯ୍ୟରେ ଏଭଳି ଦଖଲକୁ ବରଦାସ୍ତ କରିପାରିବି ନାହିଁ। ଏହାପରେ ବରିଷ୍ଠ ଓକିଲ ନେଦୁମ୍ପରା କୋର୍ଟ ପ୍ରକୋଷ୍ଠ ଛାଡ଼ିଯିବା ପୂର୍ବରୁ ପ୍ରଧାନବିଚାରପତିଙ୍କୁ ଲକ୍ଷ୍ୟ କରି କହିଥିଲେ, ସେ ଏହି ବିଚାରବିଭାଗକୁ ୧୯୭୯ ଅର୍ଥାତ୍ ୪୫ ବର୍ଷ ଧରି ଦେଖିଆସିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ନିର୍ବାଚନୀ ବଣ୍ଡ୍ ମାମଲାରେ ମଧ୍ୟ ବରିଷ୍ଠ ଓକିଲ ନେଦୁମ୍ପରା ଓ ପ୍ରଧାନବିଚାରପତିଙ୍କ ମଧ୍ୟରେ ସରଗରମ ଯୁକ୍ତିତର୍କ ହୋଇଥିଲା। ଓକିଲ ନେଦୁମ୍ପରା କହିଥିଲେ ଯେ କୋର୍ଟ ଯେଉଁ ରାୟ ଦେଉଛନ୍ତି ତାହା ଦେଶର ଲୋକଙ୍କୁ ଅଣଦେଖା କରି ଦିଆଯାଉଛି। ଏହି ମାମଲା ନୀତି ସମ୍ପର୍କିତ ଅଟେ, ଏଥିରେ କୋର୍ଟ ହସ୍ତକ୍ଷେପ କରିବା ଉଚିତ ନୁହେଁ। ଏଥିରେ ପ୍ରଧାନବିଚାରପତି ଚନ୍ଦ୍ରଚୂଡ଼ କ୍ରୋଧ ପ୍ରକାଶ କରି କହିଥିଲେ, ‘ବଡ଼ପାଟିରେ କଥା କୁହନ୍ତୁ ନାହିଁ। ତୁମେ(ନେଦୁମ୍ପରା) କୋର୍ଟ ପ୍ରକୋଷ୍ଠରେ ଠିଆ ହୋଇଛ।’