ନିଟ୍‌ ଅନିୟମିତତା ମାମଲା : ଏନ୍‌ଟିଏ, କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟ ନୋଟିସ୍

୦.୦୦୧% ଅବହେଳା ପାଇଁ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ଲୋଡ଼ା, ଯଦି କିଛି ଭୁଲ୍ ଅଛି ସ୍ବୀକାର କରିବାକୁ ହେବ

ନୂଆଦିଲ୍ଲୀ: ନିଟ୍-ୟୁଜି ୨୦୨୪ ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ଓ ଦୁର୍ନୀତି ଅଭିଯୋଗ ନେଇ ହୋଇଥିବା ଆବେଦନ ଉପରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ନିଟ୍‌ ଆଶାୟୀ ଓ ସେମାନଙ୍କ ଅଭିଭାବକଙ୍କ ଅଭିଯୋଗ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ସାମାନ୍ୟ ଅବହେଳା ମଧ୍ୟ ବରଦାସ୍ତ କରାଯିବା ଉଚିତ ନୁହେଁ। ନିଟ୍ ହେଉଛି ଡାକ୍ତରୀ ଓ ଆନୁଷଙ୍ଗିକ ଶିକ୍ଷା କ୍ଷେତ୍ର ପାଇଁ ଭାରତର ମୁଖ୍ୟ ପ୍ରବେଶିକା ପରୀକ୍ଷା। ଏନ୍‌ଟିଏ ପ୍ରତିବର୍ଷ ଏହି ପରୀକ୍ଷା ଆୟୋଜନ କରିଥାଏ। ଏନ୍‌ଟିଏ ଓ କେନ୍ଦ୍ରକୁ ନୋଟିସ ଜାରି କରି କୋର୍ଟ କହିଛନ୍ତି ଯେ ୦.୦୦୧ ପ୍ରତିଶତ ଅବହେଳା ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଦେଶର ସବୁଠାରୁ କଠିନ ପ୍ରବେଶିକା ପରୀକ୍ଷା ପାଇଁ ଡାକ୍ତରୀ ପରୀକ୍ଷାର୍ଥୀମାନେ ଯେଉଁ ପରିଶ୍ରମ କରିଥିଲେ ଆମେ ତାହାକୁ ଅଣଦେଖା କରିପାରିବୁ ନାହିଁ। ଜଷ୍ଟିସ ବିକ୍ରମ ନାଥ ଏନ୍‌ଟିଏକୁ କହିଛନ୍ତି ଯେ ସୁପ୍ରିମ୍‌କୋର୍ଟ ଏହା ଉପରେ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଆଶା କରୁଛନ୍ତି। ଜୁଲାଇ ୮ତାରିଖରେ ଆବେଦନର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ସେ କହିଛନ୍ତି।

୦.୦୦୧% ଅବହେଳା ପାଇଁ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ଲୋଡ଼ା
ଯଦି କିଛି ଭୁଲ୍ ଅଛି ସ୍ବୀକାର କରିବାକୁ ହେବ
ଜୁଲାଇ ୮ରେ ପରବର୍ତ୍ତୀ ଶୁଣାଣି

ସୂଚନାଯୋଗ୍ୟ, ଭାରତର ୫୭୧ଟି ସହରର ୪,୭୫୦ଟି କେନ୍ଦ୍ରରେ ମେ ୫ ତାରିଖରେ ନିଟ୍-ୟୁଜି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା। ତେବେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ୧୫୬୩ ଜଣ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ଗ୍ରେସ୍ ମାର୍କକୁ ନେଇ ଅଭିଭାବକ ଓ ଶିକ୍ଷକମାନେ ସନ୍ଦେହ ପ୍ରକାଶ କରିଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ଏଜେନ୍ସି ଚଳିତ ମାସ ପ୍ରାରମ୍ଭରେ ସୁପ୍ରିମ୍‌କୋର୍ଟଙ୍କୁ କହିଥିଲା ଯେ ଗ୍ରେସ୍ ମାର୍କ ପାଇଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ କରାଯାଇଛି। ଏହି ଛାତ୍ରଛାତ୍ରୀମାନେ ଜୁନ୍ ୨୩ରେ ପୁନଃ ପରୀକ୍ଷା ଦେଇପାରିବେ ଏବଂ ଜୁନ୍ ୩୦ ପୂର୍ବରୁ ଫଳାଫଳ ପ୍ରକାଶ ପାଇବ। ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ନିଟ୍‌ ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗରେ ଏନ୍‌ଟିଏ ଅଧିକାରୀମାନେ ଦୋଷୀ ସାବ୍ୟସ୍ତ ହେଲେ ସରକାର ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସୁପ୍ରିମ୍‌କୋର୍ଟଙ୍କ ସୁପାରିସ କ୍ରମେ ୧୫୬୩ ଜଣ ପ୍ରାର୍ଥୀଙ୍କୁ ପୁନଃ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦୁଇଟି ସ୍ଥାନରେ କିଛି ଅନିୟମିତତା ପଦାକୁ ଆସିଛି। ମୁଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆଶ୍ୱାସନା ଦେଉଛି ଯେ ସରକାର ଏହାକୁ ଗମ୍ଭୀରତାର ସହ ନେଇଛନ୍ତି।’

୨୦୨୪ର ପ୍ରବେଶିକା ପରୀକ୍ଷାକୁ ବାତିଲ କରିବା ଏବଂ ଏହି ଅନିୟମିତତାର ସିବିଆଇ କିମ୍ବା ସ୍ୱାଧୀନ ଏଜେନ୍ସି ଦ୍ୱାରା ଅଦାଲତଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବାକୁ ୨୦ ଜଣ ଡାକ୍ତରୀ ଆଶାୟୀ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ଆବେଦନରେ ଦାବି କରାଯାଇଛି ଯେ ନିଟ୍ ୨୦୨୪ ପରୀକ୍ଷାରେ ୬୭ ଜଣ ଛାତ୍ରଛାତ୍ରୀ ୭୨୦ରୁ ୭୨୦ ମାର୍କ ରଖିଛନ୍ତି। ୬୨୦-୭୨୦ ମାର୍କ ରଖିଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟାରେ ୪୦୦ ପ୍ରତିଶତ ବୃଦ୍ଧି ଘଟିଛି। ଏହା ବହୁତ ବଡ଼ ଦୁର୍ନୀତି ଓ ଅନିୟମିତତାକୁ ଇଙ୍ଗିତ କରୁଛି। ନିରପେକ୍ଷ ପରୀକ୍ଷା ପରିଚାଳନାରେ ବ୍ୟବସ୍ଥାଗତ ବିଫଳତା ଯୋଗୁଁ ବହୁ ସଂଖ୍ୟକ ମେଧାବୀ ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ କରାଯାଉଛି ବୋଲି ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର