ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ମାମଲାରେ ସିବିଆଇ ପାଟନା ଏମ୍ସ୍ର ୪ ଜଣ ଏମ୍ବିବିଏସ୍ ଛାତ୍ରଙ୍କୁ ଅଟକ ରଖି ଜେରା କରୁଛି। ବୁଧବାର ରାତିରେ ସିବିଆଇ ପାଟନା ଏମ୍ସ୍ର ୩ ଜଣ ତୃତୀୟ ବର୍ଷର ଛାତ୍ର ଏବଂ ଜଣେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଉଠାଇ ଆଣିଥିଲା। ଏହି ଛାତ୍ରମାନେ ୨୦୨୧ ବ୍ୟାଚ୍ର। ସେମାନଙ୍କ ରୁମ୍ ସିବିଆଇ ସିଲ୍ କରିଛି ଏବଂ ମୋବାଇଲ ଫୋନ୍ ଓ ଲ୍ୟାପଟପ୍ ଜବତ କରିଛି। ମିଳିଥିବା ସୂଚନାନୁଯାୟୀ ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି ଯେ ଏହି ୪ ଛାତ୍ର ଲିକ୍ ହୋଇଥିବା ପ୍ରଶ୍ନପତ୍ରର ଉତ୍ତର ପ୍ରସ୍ତୁତ କରିବାରେ ମାଫିଆଙ୍କୁ ସହଯୋଗ କରିଥିଲେ। ପାଟନା ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା ଗୋପାଳ କୃଷ୍ଣ ପାଲ୍ କହିଛନ୍ତି, ଘଟଣାରେ ଏଯାବତ କୌଣସି ଡାକ୍ତର ଗିରଫ ହୋଇନାହାନ୍ତି କିନ୍ତୁ ୪ ଜଣ ଛାତ୍ରଙ୍କୁ ସିବିଆଇ ଟିମ୍ ଜେରାପାଇଁ ନେଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଡାକ୍ତର ଗୋପାଳ କୃଷ୍ଣ କହିଛନ୍ତି, ନିଟ୍ ପେପର୍ ଲିକ୍ ମାମଲାରେ ଛାତ୍ରମାନେ କିଭଳି ସମ୍ପୃକ୍ତ ତାହା ଆମେ ଜାଣିନାହୁଁ। ସେମାନେ ଦୋଷୀ କି ନା’ ତାହା ଆମେ କହିପାରିବୁ ନାହିଁ। ଏହି ଏମ୍ବିବିଏସ୍ ଛାତ୍ରମାନେ ହେଉଛନ୍ତି ଚନ୍ଦନ ସିଂହ, ରାହୁଲ ଆନନ୍ଦ, କରନ ଜୈନ ଏବଂ କୁମାର ସାନୁ। ଚନ୍ଦନ ସିଂହ ହେଉଛନ୍ତି ବିହାରର ସିୱାନ ବାସିନ୍ଦା। କୁମାର ସାନୁ ବିହାରର ପାଟନା ବାସିନ୍ଦା। ରାହୁଲ ଆନନ୍ଦଙ୍କ ଘର ଝାଡ଼ଖଣ୍ଡର ଧାନବାଦରେ କିନ୍ତୁ ସେ ପାଟନାରେ ରହୁଛନ୍ତି। କରନ ଜୈନଙ୍କ ଘର ଆରାରିଆରେ।
ଉଲ୍ଲେଖଯୋଗ୍ୟ ମଙ୍ଗଳବାର ସିବିଆଇ ଏହି ମାମଲାରେ ଜଣେ ମୁଖ୍ୟ ଅଭିଯୁକ୍ତ ପଙ୍କଜ କୁମାରଙ୍କୁ ଗିରଫ କରିଥିଲା। ପଙ୍କଜ କୁମାର ଏନ୍ଟିଏ ଟ୍ରଙ୍କ୍ରୁ ପ୍ରଶ୍ନପତ୍ର ଚୋରି କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ। ସେ ହେଉଛନ୍ତି ୨୦୧୭ ବ୍ୟାଚ୍ର ଜଣେ ସିଭିଲ୍ ଇଞ୍ଜିନିୟର। ପାଟନାର ଏକ ସ୍ବତନ୍ତ୍ର କୋର୍ଟ ବୁଧବାର ଦିନ ପଙ୍କଜଙ୍କୁ ୧୪ ଦିନ ପାଇଁ ସିବିଆଇ ହାଜତକୁ ପଠାଇଛନ୍ତି। ପଙ୍କଜ କୁମାରଙ୍କ ସହଯୋଗୀ ରାଜୁ ସିଂହଙ୍କୁ ମଧ୍ୟ ସିବିଆଇ ଏହି ମାମଲାରେ ଗିରଫ କରିଛି।