ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଅନିୟମିତତା ନେଇ ଆଜି ରାଜନୈତିକ ବିବାଦ ତୀବ୍ର ରୂପ ନେଇଛି। ବିଜେପି ନେତାମାନେ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଥିବା ବେଳେ ୟୁଜିସି-ନେଟ୍ ଓ ନିଟ୍ ଜାଲିଆତି ନେଇ ବିରୋଧୀ ଦଳମାନେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ଦେଶର ପରୀକ୍ଷା ପ୍ରକ୍ରିୟା ଢାଞ୍ଚା ଭୁଶୁଡ଼ି ପଡ଼ିଛି ବୋଲି ବିରୋଧୀ ଦଳମାନେ କହିଛନ୍ତି। ନିଟ୍-ୟୁଜି ୨୦୨୪ରେ ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତରେ ଏପର୍ଯ୍ୟନ୍ତ ୧୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସରକାର ଏ ବାବଦରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

Advertisment

ବିହାର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବିଜୟ କୁମାର ସିହ୍ନା ଗୁରୁବାର ଦାବି କରିଛନ୍ତି ଯେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହଯୋଗୀ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍‌ ସହ ସିଧାସଳଖ ଜଡ଼ିତ। ସିହ୍ନା ଦାବି କରିଛନ୍ତି ଯେ ତେଜସ୍ୱୀ ଯାଦବଙ୍କ ସହଯୋଗୀ ପ୍ରୀତମ କୁମାର ବିହାର ସଡ଼କ ନିର୍ମାଣ ବିଭାଗ (ଆରସିଡି)ର ଜଣେ କର୍ମଚାରୀଙ୍କୁ ଡକାଇ ସିକନ୍ଦର ପ୍ରସାଦ ଯାଦବେନ୍ଦୁଙ୍କ ପାଇଁ ଏକ ସରକାରୀ ବଙ୍ଗଳାରେ ରୁମ୍ ବୁକ୍ କରିଥିଲେ। ସିକନ୍ଦର ପ୍ରସାଦ ଯାଦବେନ୍ଦୁ ହେଉଛନ୍ତି ଜଣେ ଇଂଜିନିୟର ଏବଂ ସେ ପୂର୍ବରୁ ମଧ୍ୟ ଅନେକ ବିବାଦ ଘେରରେ ରହିଛନ୍ତି। ସିକନ୍ଦର କହିଛନ୍ତି ଯେ ସେ ତାଙ୍କ ଭଣଜା ଅନୁରାଗ ଯାଦବ (ଜଣେ ନିଟ୍ ଆଶାୟୀ) ଏବଂ ତାଙ୍କର ଅନ୍ୟ ୩ ଜଣ ସାଥୀଙ୍କୁ ପାଟନାର ଏକ ସରକାରୀ ବଙ୍ଗଳାରେ ରହିବାକୁ ସୁପାରିସ କରିଥିଲେ। ପରୀକ୍ଷା ଅନିୟମିତତା ଅଭିଯୋଗରେ ଅନୁରାଗ ଯାଦବଙ୍କୁ ଗିରଫ କରାଯାଇଛି ଏବଂ ସେ ଓ ତାଙ୍କର ଅନ୍ୟ ୩ ଜଣ ସାଥୀ ପରୀକ୍ଷା ଜାଲିଆତିରେ ସଂପୃକ୍ତ ଥିବା ସ୍ବୀକାର କରିଛନ୍ତି। ସେମାନେ ଉକ୍ତ ସରକାରୀ ବଙ୍ଗାଳାରେ ପୂର୍ବ ଯୋଜନା ମୁତାବକ ଆଗୁଆ ପ୍ରଶ୍ନପତ୍ର ହାସଲ କରିଥିବା ପ୍ରମାଣ ମିଳିଛି ।

ବିଜେପି ମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ପ୍ରଶ୍ନପତ୍ର ଲିକ୍ ମାମଲାରେ ତେଜସ୍ୱୀ ଯାଦବଙ୍କ ହାତ ଥିବା ଅଭିଯୋଗ କରିଛନ୍ତି। ଗିରିରାଜ ସିଂହ କହିଛନ୍ତି, ଆରଜେଡିର ଡିଏନ୍‌ଏରେ ଦୁର୍ନୀତି ରହିଛି। ଏହି ଅଭିଯୋଗକୁ ନେଇ ରାଜନୈତିକ ମହଲରେ ଉତ୍ତେଜନା ପ୍ରକାଶ ପାଇଛି। ବିଜେପି ନେତା ଅମିତ ମାଲବ୍ୟ ଟ୍ୱିଟ୍ କରି କହିଛନ୍ତି, ତୃତୀୟ ଥର ସାଧାରଣ ନିର୍ବାଚନରେ ବିଫଳ ହୋଇଥିବା ରାହୁଲ ଗାନ୍ଧୀଙ୍କ ସହଯୋଗୀ ତେଜସ୍ୱୀ ଯାଦବଙ୍କ ଘନିଷ୍ଠ ସହଯୋଗୀ ନିଟ୍ ପେପର ଲିକ୍ ପାଇଁ ଦାୟୀ। ତାଙ୍କ ଭଉଣୀ ପ୍ରିୟଙ୍କା ଭଦ୍ରା ଆର୍‌ଜେଡିର ଦୁର୍ନୀତିକୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ନିଟ୍‌ରେ ଚିରା ଓଏମ୍‌ଆର୍‌ ସିଟ୍‌ ନେଇ ଆରୁଷି ପଟେଲଙ୍କ ମିଛ ଭିଡିଓକୁ ପୁନଃ ପୋଷ୍ଟ୍‌ କରି ସେମାନେ ବଡ଼ ବିଭ୍ରାନ୍ତି ସୃଷ୍ଟି କରିଛନ୍ତି।

ଅନ୍ୟପକ୍ଷରେ ପେପର ଲିକ୍ ବିବାଦ ନେଇ ବିରୋଧୀ ଦଳମାନେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ଟାର୍ଗେଟ କରିଛନ୍ତି। କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ତୃଣମୂଳ କଂଗ୍ରେସ କହିଛନ୍ତି ଯେ ଦେଶରେ ପରୀକ୍ଷା ପ୍ରକ୍ରିୟା ଭୁଶୁଡ଼ି ପଡ଼ିଛି ଏବଂ ସାମ୍ପ୍ରତିକ ପରିସ୍ଥିତି ପାଇଁ ବିଜେପି ହିଁ ଦାୟୀ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି,‘କୁହାଯାଉଥିଲା ଯେ ମୋଦୀଜୀ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ବନ୍ଦ କରିଥିଲେ। କିନ୍ତୁ କୌଣସି କାରଣରୁ ମୋଦୀ ଭାରତରେ ପେପର୍‌ ଲିକ୍ ରୋକିବାରେ ସକ୍ଷମ ହୋଇନାହାନ୍ତି କିମ୍ବା ରୋକିବାକୁ ଚାହୁନାହାନ୍ତି।’ ତେବେ ବିହାର ମାମଲାରେ ରାହୁଲ ଗାନ୍ଧୀ ତେଜସ୍ବୀଙ୍କ ବିରୋଧରେ ଆସିଥିବା ଅଭିଯୋଗର କୌଣସି ସିଧାସଳଖ ଜବାବ ଦେଇନାହାନ୍ତି। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ସାକେତ ଗୋଖଲେ କହିଛନ୍ତି ଯେ ଦେଶରେ ପରୀକ୍ଷା ପ୍ରକ୍ରିୟା ଭୁଶୁଡ଼ି ପଡ଼ିଛି ଏବଂ ଛାତ୍ରଛାତ୍ରୀଙ୍କ ଜୀବନ ନଷ୍ଟ ହେଉଛି। ଏଥିରେ ଏନ୍‌ଟିଏର ସମ୍ପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି।