ସୁପ୍ରିମ୍‌ କୋର୍ଟରେ ଏନ୍‌ଇଇଟି-ପିଜି କାଉନ୍‌ସେଲିଂ ଶୁଣାଣି, ଇଡବ୍ଲୁଏସ୍ କୋଟା ମାମଲାର ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ଏନ୍‌ଇଇଟି-ପିଜି କାଉନ୍‌ସେଲିଂ ୨୦୨୧ ପାଇଁ ଅର୍ଥନୈତିକ ଦୁର୍ବଳ ବର୍ଗ (ଇଡବ୍ଲୁଏସ୍)ର କୋଟା ସମ୍ପର୍କରେ ଶୁଣାଣି କରି ସୁପ୍ରିମ୍‌କୋର୍ଟ ଗୁରୁବାର ରାୟ ସଂରକ୍ଷିତ ରଖିଛନ୍ତି। ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ଏଏସ୍ ବୋପାନ୍ନାଙ୍କ ଦୁଇଜଣିଆ ବେଞ୍ଚ ମାମଲାର ଶୁଣାଣି କରୁଥିଲେ। କେନ୍ଦ୍ର ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ବର୍ତ୍ତମାନର ମାନଦଣ୍ଡ ଅନୁସାରେ ଯେଉଁସବୁ ଛାତ୍ର ଏହି କୋଟା ପାଇବା ପାଇଁ ଯୋଗ୍ୟ, ସେମାନଙ୍କୁ ରେଜିଷ୍ଟ୍ରେସନ ସାର୍ଟିଫିକେଟ ମିଳିଛି ଏବଂ ସେମାନଙ୍କ ପାଇଁ ସବୁ ସରକାରୀ କଲେଜରେ ସିଟ୍ ମଧ୍ୟ ବୃଦ୍ଧି କରାଯାଇଛି। ତେଣୁ ଏହାଦ୍ବାରା ସାଧାରଣ ବର୍ଗର ପିଲାମାନେ ସିଟ୍ ପାଇବାରୁ ବଞ୍ଚିତ ହେବେ ନାହିଁ ବୋଲି ସେ ଯୁକ୍ତି କରିଥିଲେ। ମେହେଟ୍ଟା ପୁଣି ସ୍ପଷ୍ଟ କରିଥିଲେ ଯେ, ସୁପର ସ୍ପେସିଆଲିଟି କୋର୍ସ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ନାହିଁ ଏବଂ ପିଜିରେ ସଂରକ୍ଷଣ ଦିଆଯାଇପାରିବ ନାହିଁ ବୋଲି ଆଜି ଯାଏ କୌଣସି ରାୟରେ କୁହାଯାଇ ନାହିଁ।

ମେହେଟ୍ଟା କହିଲେ, ଯଦି ଗୋଟିଏ ପରିବାରରେ ୩ ଜଣ ରୋଜଗାରକ୍ଷମ ବ୍ୟକ୍ତି ଥାନ୍ତି ଏବଂ ପ୍ରତ୍ୟେକଙ୍କ ବାର୍ଷିକ ଆୟ ୩ ଲକ୍ଷ ହୋଇଥାଏ, ତେବେ ସେ ପରିବାରର ପିଲା ଇଡବ୍ଲୁଏସ୍ ବର୍ଗରେ ଯିବ ନାହିଁ। କାରଣ ସେ ପରିବାରର ମୋଟ ବାର୍ଷିକ ଆୟ ୯ ଲକ୍ଷ ହେଉଛି ଯାହା ଧାର୍ଯ୍ୟ ସୀମା ୮ ଲକ୍ଷରୁ ଅଧିକ। ବିଚାରପତିଦ୍ବୟ ସବୁ ପକ୍ଷର ସମସ୍ତ ଯୁକ୍ତି ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଛନ୍ତି।

ସମ୍ବନ୍ଧିତ ଖବର