ନୂଆଦିଲ୍ଲୀ: କରୋନା ମହାମାରୀର ଭୟାବହତା ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି। ନିଟ୍-ପିଜି ପରୀକ୍ଷା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖକୁ ଘୁଞ୍ଚାଇ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଆଗକୁ ଧାର୍ଯ୍ୟ ତାରିଖର ୬-୮ ସପ୍ତାହ ପରେ ପରୀକ୍ଷା ହେବ। ଏହାପୂର୍ବରୁ, ଏହି ପରୀକ୍ଷା ମାର୍ଚ୍ଚ ୧୨, ୨୦୨୨ ରେ ଅନୁଷ୍ଠିତ ହେବାର ଥିଲା। ୬ଜଣ ଏମବିବିଏସ ଛାତ୍ରଛାତ୍ରୀ ସ୍ନାତକୋତ୍ତର ନିଟ୍-ପିଜି ପରୀକ୍ଷାକୁ ଘୁଞ୍ଚାଇବାକୁ ନିବେଦନ କରିବା ପରେ ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛି। ୬-୮ ସପ୍ତାହ ପରେ ମନ୍ତ୍ରୀଳୟ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିବ।
ତେବେ ଆଜି ନିଟ୍-ପିଜି ପରୀକ୍ଷା ସମ୍ବନ୍ଧରେ ସୁପ୍ରିମକୋର୍ଟରେ ଶୁଣାଣି ହେବାର ଥିଲା। ଅନେକ ଛାତ୍ର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଯେ ବର୍ତ୍ତମାନ ନିଟ୍-ପିଜି ପରୀକ୍ଷାକୁ ସ୍ଥଗିତ ରଖାଯାଉ। ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଏକ ଖଣ୍ଡପୀଠ ଏହି ଆବେଦନ ଶୁଣାଣି କରିଥାନ୍ତେ। ଆବେଦନକାରୀମାନେ ସେମାନଙ୍କ ଆବେଦନରେ ମେଡିକାଲ ଇଣ୍ଟର୍ନସିପ ବିଷୟରେ କହିବାକୁ ଯାଇ ଲେଖିଥିଲେ ଯେ, ଅନେକ ଛାତ୍ର ସେମାନଙ୍କ ଇଣ୍ଟର୍ନସିପ୍ ସମାପ୍ତ କରିନାହାଁନ୍ତି। ଏଭଳି ସ୍ଥିତିରେ ପରୀକ୍ଷା ହେଲେ ଉତ୍ତିର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଇଣ୍ଟର୍ନସିପ କରିପାରିବେ ନାହିଁ। ଦୁଇଟି ବ୍ୟାଚର ଛାତ୍ରଛାତ୍ରୀ ଏକା ସାଙ୍ଗରେ ଇଣ୍ଟର୍ନସିପ କରିବା ସମ୍ଭବ ହେବନି ବୋଲି କହି ପରୀକ୍ଷା ଘୁଞ୍ଚାଇବାକୁ ସେମାନେ ନିବେଦନ କରିଥିଲେ।