ନୂଆଦିଲ୍ଲୀ : ଜୁନ ୧୫ରେ ହେବାକୁ ଥିବା ନିଟ୍ ପିଜି ୨୦୨୫ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷାକୁ ଗୋଟିଏ ସିଫ୍ଟରେ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ୍ସ ଇନ ମେଡିକାଲ ସାଇନ୍ସେସ (ଏନବିଏଏମଏସ) ପକ୍ଷରୁ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ପରୀକ୍ଷାରେ ସ୍ବଚ୍ଛତା ରକ୍ଷା ପାଇଁ ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଏନବିଏଏମଏସ ପକ୍ଷରୁ ଜାରି ଏକ ନୋଟିସରେ କୁହାଯାଇଛି ଯେ ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜନ କରିବାକୁ ଅଧିକ ସଂଖ୍ୟକ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯିବ । ଏଥିଲାଗି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।
ସୂଚନାଯୋଗ୍ୟ ଯେ ନିଟ୍ ପିଜି ହେଉଛି ମେଡିକାଲ ଗ୍ରାଜୁଏଟ ମାନଙ୍କ ପାଇଁ ଏକ ଜାତୀୟ ସ୍ତରର ପରୀକ୍ଷା । ମେଡିକାଲ ଗ୍ରାଜୁଏଟମାନେ ଏମଡି, ଏମଏସ ଓ ପିଜି ଡିପ୍ଲୋମା ଲାଗି ଏହି ପରୀକ୍ଷା ଦେଇଥାନ୍ତି । ଏହି ପରୀକ୍ଷାକୁ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ୍ସ ଇନ ମେଡିକାଲ ସାଇନ୍ସେସ (ଏନବିଏଏମଏସ) ପକ୍ଷରୁ ଆୟୋଜନ କରାଯାଇଥାଏ ।