ଏଣିକି ବର୍ଷକୁ ଦୁଇ ଥର ହେବ ନିଟ ପରୀକ୍ଷା, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ: ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ ପରୀକ୍ଷା ପାଇଁ ଆପଣ ପ୍ରସ୍ତୁତ ହେଉଛନ୍ତି କି ? ଯଦି ହଁ, ତେବେ ଏହି ଖବର ଜାଣିବା ଆପଣଙ୍କ ପାଇଁ ଜରୁରୀ ହୋଇପାରେ | କାରଣ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବର୍ତ୍ତମାନ ବର୍ଷକୁ ଦୁଇଥର ନିଟ ପରୀକ୍ଷା କରିବାକୁ ଅନୁମୋଦନ ଦେଇଛି । ତଥାପି ଏମବିବିଏସ୍, ବିଡିଏସ୍, ଆୟୁଷ ଏବଂ ଅନ୍ୟାନ୍ୟ ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ କାର୍ଯ୍ୟକ୍ରମ ଘୋଷଣା ହୋଇନାହିଁ। ମନ୍ତ୍ରଣାଳୟର ଜଣେ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ଅନଲାଇନ୍ ମାଧ୍ୟମରେ ଏମବିବିଏସ୍, ବିଡିଏସ୍ ପରୀକ୍ଷା ଦେବାକୁ ପ୍ରସ୍ତୁତ ନାହାଁନ୍ତି ।

ତେଣୁ, ୨୦୨୧-୨୨ରେ ଦୁଇଥର ନିଟ ପରୀକ୍ଷା କରିବାକୁ ସହମତି ପ୍ରକାଶ ପାଇଛି। ସେ କହିଛନ୍ତି ଯେ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ବର୍ଷକୁ ଦୁଇଥର ପରୀକ୍ଷା ଦେଇ ଗୋଟିକରେ ଭଲ ମାର୍କ ହାସଲ କରି ଭଲ ରାଙ୍କ ପାଇପାରିବେ | ଜାତୀୟ ପରୀକ୍ଷା ଏଜେନ୍ସିର ଜଣେ ଅଧିକାରୀ କହିଛନ୍ତି ଯେ ବର୍ଷକୁ ଦୁଇଥର ନିଟ ପରୀକ୍ଷା କରିବା ଦ୍ୱାରା ପରୀକ୍ଷାର୍ଥୀଙ୍କ ଉପରେ କମ୍ ବୋଝ ପଡ଼ିବ ଏବଂ ସେମାନେ ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ହେବେ। ଏହାପୂର୍ବରୁ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଜାତୀୟ ପରୀକ୍ଷା ଏଜେନ୍ସିର ଅଧିକାରୀଙ୍କ ସହ ନିଟ ପରୀକ୍ଷାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ | ​​

ଯେଉଁଥିରେ ୨୦୨୧ ବର୍ଷ ପାଇଁ ନିଟ ପରୀକ୍ଷା ଦୁଇଥର ଅନଲାଇନରେ କରାଯାଇପାରିବ କି ନାହିଁ ତାହା ଉପରେ ଆଲୋଚନା କରାଯାଇଥିଲା। ସୂଚନା ଥାଉ କି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଫିସିଆଲ ୱେବସାଇଟ୍ ଅନୁଯାୟୀ, NEET 2021 ପାଇଁ ଖୁବ ଶୀଘ୍ର ଆବେଦନ ପତ୍ର ଜାରି କରାଯିବ | ନିଟ-୨୦୨୧ ପରୀକ୍ଷା ସମଗ୍ର ଭାରତରେ ଥିବା ୯୧୩୬୭ ଏମବିବିଏସ, ୨୬୯୪୯ ବିଡିଏସ, ୫୨୭୨୦ ଆୟୁଷ ଏବଂ ୫୨୫ ବିଭିଏସସି ସିଟ୍ ପାଇଁ କରାଯିବ |

ସମ୍ବନ୍ଧିତ ଖବର