ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ଦ୍ବାରା ପରିଚାଳିତ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି-୨୦୨୪ର ପ୍ରଶ୍ନପତ୍ର ଲିକ୍ ପରେ ପୁନଃପରୀକ୍ଷା ଦାବି କରି ହୋଇଥିବା ୩୮ଟି ମାମଲାର ଶୁଣାଣି ସମୟରେ ସୁପ୍ରିମ୍କୋର୍ଟ ଆଜି କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ପ୍ରଶ୍ନପତ୍ର ଲିକ୍ ହୋଇଥିବାକୁ ସରକାର ଗ୍ରହଣ କରିଛନ୍ତିି। ୨୩ ଲକ୍ଷ ଛାତ୍ରଛାତ୍ରୀଙ୍କ ସହ ଜଡ଼ିତ ମାମଲାର ଶୁଣାଣି ଆମେ କରୁଥିବାରୁ ପ୍ରଶ୍ନପତ୍ର ଲିକ୍ କେତେ ମାତ୍ରାରେ ହୋଇଛି ସେ ସଂପର୍କରେ ଆମକୁ ସଚେତନ ରହିବାକୁ ହେବ ବୋଲି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି। ରାୟ ଦେବା ପୂର୍ବରୁ ଅଦାଲତ ଅବଗତ ହେବା ଦରକାର ଯେ ଜାଲିଆତି ଦ୍ବାରା କେତେ ପିଲା ଫାଇଦା ଉଠାଇଛନ୍ତି ତାହା ଜାଣିବା ସମ୍ଭବ କି? ପ୍ରଶ୍ନପତ୍ର ଲିକ୍ ମାମଲାରେ ପବିତ୍ରତା ନଷ୍ଟ ଦ୍ବାରା ପରୀକ୍ଷାର ସଂପୂର୍ଣ୍ଣ ବ୍ୟବସ୍ଥା ପ୍ରଭାବିତ ହୋଇଛି କି? ଅସାଧୁ ଉପାୟରେ ପରୀକ୍ଷାରେ ଉପକୃତ ହୋଇଥିବା ଛାତ୍ରଛାତ୍ରୀ ଏବଂ ସାଧୁତାର ସହ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୃଥକ୍ କରାଯାଇ ପାରିବ କି? ଯଦି ଏହି ପୃଥକ କାର୍ଯ୍ୟ ସମ୍ଭବ ହେବ ନାହିଁ ତା’ହେଲେ ପୁନଃପରୀକ୍ଷାର ଆବଶ୍ୟକତା ରହିଛି। ଯଦି ଅସାଧୁ ପରୀକ୍ଷାର୍ଥୀଙ୍କୁ ଚିହ୍ନଟ କରାଯାଇ ପାରିବ ତା’ହେଲେ ପୁନଃପରୀକ୍ଷାର ଆବଶ୍ୟକତା ନାହିଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଏହି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଏନ୍ଟିଏ ଠାରୁ ଏ ସଂକ୍ରାନ୍ତରେ ସଂପୂର୍ଣ୍ଣ ତଥ୍ୟ ଅଦାଲତ ମାଗିବା ସହିତ ପରବିର୍ତ୍ତୀ ଶୁଣାଣିକୁ ଆସନ୍ତା ୧୧ ତାରିଖକୁ ଧାର୍ଯ୍ୟ କରିଛନ୍ତି।
ଏନ୍ଟିଏ ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ଯଦି ଏ ନେଇ କିଛି ପଦକ୍ଷେପ ଗ୍ରହଣ କରାଯାଏ ତା’ହେଲେ କାଉନସେଲିଂର ଷ୍ଟାଟସ୍ ସଂପର୍କରେ ସରକାରଙ୍କୁ ନୀତିଗତ ନିଷ୍ପତ୍ତି ନେବାକୁ ହେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ତେବେ ପୁନଃପରୀକ୍ଷା କରାଯିବ କି ନାହିଁ ସେ ନେଇ ତିନିଟି ମାନଦଣ୍ଡ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଛନ୍ତି। ସେଗୁଡ଼ିକ ହେଲା ବ୍ୟବସ୍ଥିତ ଭାବେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା କି? ଲିକ୍ ଏଭଳି ପ୍ରକୃତିର ଯାହାଦ୍ବାରା ସଂପୂର୍ଣ୍ଣ ପରୀକ୍ଷା ପ୍ରକ୍ରିୟାର ସଚ୍ଚୋଟତା ପ୍ରଭାବିତ ହୋଇଛି କି? ସଚ୍ଚୋଟ ଛାତ୍ରଛାତ୍ରୀ ଏବଂ ଜାଲିଆତି ଦ୍ବାରା ଫାଇଦା ପାଇଥିବା ଛାତ୍ରଛାତ୍ରୀଙ୍କୁ ଅଲଗା କରାଯିବା ସମ୍ଭବ କି? ପ୍ରଶ୍ନପତ୍ର ଲିକ୍ ଦ୍ବାରା ଫାଇଦା ପାଇଥିବା ଛାତ୍ରଛାତ୍ରୀ ଏବଂ ସଚ୍ଚୋଟତାର ସହ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ଅଲଗା କରାଯାଇ ପାରିବ କି ନାହିଁ? ନା ଆମେ ଏପର୍ଯ୍ୟନ୍ତ ଅସାଧୁ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଚାଲିଛି ବୋଲି ତାହା ଜଣାଇବାକୁ ସୁପ୍ରିମକୋର୍ଟ ଏନଟିଏ ଏବଂ କେନ୍ଦ୍ର ସରକାରଙ୍କୁ କହିଛନ୍ତି।
କେନ୍ଦ୍ର ସରକାର ଯେତେବେଳେ ଅଦାଲତକୁ ଜଣାଇଥିଲେ ଯେ ସିବିଆଇ ଏହି ଅଭିଯୋଗର ତଦନ୍ତ କରୁଛି ଏବଂ ୬ଟି ମାମଲା ରୁଜୁ କରାଯାଇଛି ସେତେବେଳେ ପ୍ରଧାନ ବିଚାରପତି ଉତ୍ତର ଦେଇଥିଲେ ଯେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ତଥ୍ୟକୁ ତାହେଲେ ଗ୍ରହଣ କରାଯାଇଛି। ଏଥିସହିତ ସିବିଆଇକୁ ମଧ୍ୟ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା କିଭଳି ପ୍ରକୃତିର ଥିଲା। କେଉଁ ସ୍ଥାନରେ ଏହା ହୋଇଥିଲା ଏବଂ ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷା ମଧ୍ୟରେ କେତେ ସମୟ ବ୍ୟବଧାନ ରହିଥିଲା। ଏସବୁ ପ୍ରଶ୍ନର ଉତ୍ତର ଦେବାକୁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାର ବିଚାର କରୁଥିବା ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ର ମଧ୍ୟ ଅନ୍ୟତମ ବିଚାରପତି ଅଛନ୍ତି। ସେମାନେ ନିଟ୍-ୟୁଜି ପେପରଲିକ୍ ସମ୍ବନ୍ଧିତ ୩୮ଟି ଆବେଦନର ବିଚାର କରୁଛନ୍ତି। ତେଣେ ସିବିଆଇ ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା ଅଭିଯୋଗ ଓ ମାମଲାର ତଦନ୍ତ ଆରମ୍ଭ କରିଛି। ଏନ୍ଟିଏ ଦ୍ୱାରା ସ୍ୱଚ୍ଛ ଓ ନିରପେକ୍ଷ ପରୀକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ସରକାର ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏଜେନ୍ସିର ଅଧ୍ୟକ୍ଷ ମଧ୍ୟ ପରିବର୍ତ୍ତନ କରାଯାଇଛି।