ନୂଆଦିଲ୍ଲୀ: ନିଟ୍-ୟୁଜି ପରୀକ୍ଷାକୁ ନେଇ ହୋଇଥିବା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି ଯେ ଆମେ ଯେକୌଣସି ପ୍ରକାର ସଂସ୍କାର ପାଇଁ ପ୍ରସ୍ତୁତ। ପ୍ରଶ୍ନପତ୍ର ଲିକ୍ ସମ୍ପର୍କିତ ଗୁଜବ ପ୍ରଚାର କରାଯିବା ଉଚିତ ନୁହେଁ। ସେ କହିଛନ୍ତି ଯେ ଆମ ସମସ୍ତଙ୍କ ସାମ୍ନାରେ ଏକ ଚିନ୍ତାଜନକ ପ୍ରସଙ୍ଗ ଆସିଛି। ମୁଁ ସମସ୍ତଙ୍କୁ ଆଶ୍ୱାସନା ଦେବାକୁ ଚାହୁଁଛି ଯେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ମାମଲାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯିବ ଓ କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ । ଲିକ୍ ହେବାରୁ ପ୍ରଶ୍ନପତ୍ର ଲିକ୍ ହେବାରୁ ନେଟ୍ ପରୀକ୍ଷା ବାତିଲ କରାଗଲା ବୋଲି ସେ କହିଛନ୍ତି ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ ନିଟ୍ ପରୀକ୍ଷାକୁ ନେଇ ଆମେ ବିହାର ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛୁ । ପାଟନାରୁ ମଧ୍ୟ କିଛି ତଥ୍ୟ ଆସୁଛି। ପାଟନା ପୁଲିସ ଏହି ଘଟଣାର ତଦନ୍ତ ଚଳାଇଛି । ଖୁବ୍ ଶୀଘ୍ର ଏହାର ବିସ୍ତୃତ ରିପୋର୍ଟ ଭାରତ ସରକାରଙ୍କୁ ପଠାଯିବ। ଠୋସ୍ ସୂଚନା ମିଳିଲେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏନଟିଏ ହେଉ କିମ୍ବା ଏନଟିଏର କୌଣସି ବଡ ବ୍ୟକ୍ତି, ଯିଏ ଏଥିରେ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"