ନୂଆଦିଲ୍ଲୀ: ନିଟ୍‌ ୟୁଜି ପେପର୍‌ ଲିକ୍‌ ମାମଲାରେ ତଦନ୍ତ ଜାରି ରଖିଥିବା ସିବିଆଇ ଆଜି ପୁଣି ୩ ଜଣଙ୍କୁ ଗିରଫ କରିଛି। ସିବିଆଇ ଆଜି ଏହି ମାମଲାରେ ଜଣେ ‘ମାଷ୍ଟରମାଇଣ୍ଡ’ ବିଟେକ୍‌ ଗ୍ରାଜୁଏଟ୍‌ ଏବଂ ୨ ଜଣ ଏମ୍‌ବିବିଏସ୍‌ ଛାତ୍ରଙ୍କୁ ଗିରଫ କରିଛି। ଉକ୍ତ ୨ ଏମବିବିଏସ୍‌ ଛାତ୍ର ‘ସଲ୍‌ଭର’ (ଉତ୍ତର ପ୍ରସ୍ତୁତକାରୀ) ଭାବେ କାମ କରିଥିଲେ। ଗିରଫ ହୋଇଥିବା ୨ ମେଡିକାଲ ଛାତ୍ର ଭରତପୁର ମେଡିକାଲ କଲେଜର। ସେମାନେ ହେଲେ କୁମାର ମଙ୍ଗଳମ ବିଷ୍ଣୋଇ ଏବଂ ଦୀପେନ୍ଦ୍ର କୁମାର। ପରୀକ୍ଷା ଦିନ ସେମାନେ ହଜାରିବାଗରେ ଥିବା ସ୍ପଷ୍ଟ ହୋଇସାରିଛି। ଗିରଫ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ହେଉଛନ୍ତି ଶଶି କୁମାର ପାଶ୍ବାନ। ସେ ଏନଆଇଟି ଜାମ‌ଶେଦପୁରର ଜଣେ ବିଟେକ୍‌ ଗ୍ରାଜୁଏଟ୍‌। ସେ ଜଣେ ଅଲ୍‌ରାଉଣ୍ଡର ଏବଂ ସେ ଅନ୍ୟ ମାଷ୍ଟରମାଇଣ୍ଡ୍‌ମାନଙ୍କ ସହ ତାଳମେଳ ରଖି କାମ କରୁଥିଲେ ବୋଲି ସିବିଆଇ ସୂତ୍ରରୁ ଜଣାପଡ଼ିଛି।

Advertisment

ଉଲ୍ଲେଖଯୋଗ୍ୟ, ସିବିଆଇ ଗତକାଲି ଏହି ମାମଲାରେ ରାଞ୍ଚି ରିମ୍ସର ଜଣେ ଏମବିବିଏସ୍‌ ଛାତ୍ରୀ ସୁରଭି କୁମାରୀଙ୍କୁ ଗିରଫ କରିଥିଲା। ଏହାର ପୂର୍ବଦିନ ପାଟନା ଏମ୍ସର ୪ ଜଣ ଛାତ୍ର ଗିରଫ ହୋଇଥିଲେ। ଏଥିସହ ଏହି ମାମଲାରେ ମୋଟ୍‌ ୨୧ ଜଣଙ୍କୁ ସିବିଆଇ ଗିରଫ କଲାଣି। ବି‌ଟେକ୍‌ ଗ୍ରାଜୁଏଟ୍‌ ଶଶି ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା କୁମାର ଏବଂ ରକିଙ୍କ ସହ କାମ କରୁଥିଲେ। ଅନ୍ୟପକ୍ଷେ ଏହି ମାମଲାରେ ଗିରଫ ହୋଇଥିବା ସୁରଭି କୁମାରୀଙ୍କୁ ସିବିଆଇ ୨ ଦିନ ହେଲା ଜେରା କରୁଛି।

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା- ସ୍ନାତକୋତ୍ତର (ନିଟ୍-ୟୁଜି)ର ଫଳାଫଳ ଆଜି ଘୋଷଣା କରାଯାଇଛି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ଏନ୍‌ଟିଏ ଉଭୟ କେନ୍ଦ୍ର ଓ ସହର ଭିତ୍ତିରେ ନିଟ୍-ୟୁଜି ୨୦୨୪ ଫଳ ପ୍ରକାଶ କରିଛି। ଅଫିସିଆଲ ୱେବସାଇଟ୍‌ exams.nta.ac.inରେ ରେଜଲ୍ଟ ଆକ୍‌ସେସ୍ କରିବା ପାଇଁ ଲିଙ୍କ୍‌କୁ ସକ୍ରିୟ କରାଯାଇଛି। ଏନ୍‌ଟିଏ ଏକ ନୋଟିସ୍‌ରେ କହିଛି, ସର୍ବୋଚ୍ଚ ନ୍ୟାୟାଳୟଙ୍କ ଜୁଲାଇ ୧୮ର ଆଦେଶ ଅନୁଯାୟୀ ଏହି ଫଳାଫଳ ପ୍ରକାଶ କରାଯାଇଛି। ପରୀକ୍ଷାର୍ଥୀଙ୍କ ପରିଚୟ ପ୍ରକାଶ ନ କରି ସେମାନେ ହାସଲ କରିଥିବା ମାର୍କ ପ୍ରକାଶ ପାଇଛି। ଯେଉଁମାନେ ପରୀକ୍ଷା ଦେଇଥିଲେ ସେମାନେ ଉପରୋକ୍ତ ୱେବ୍‌ସାଇଟ୍‌କୁ ଯାଇ ନିଜର ରାଜ୍ୟ/ସହର/କେନ୍ଦ୍ର ଅନୁଯାୟୀ ନିର୍ଦ୍ଦିଷ୍ଟ ଲିଙ୍କ୍‌ରେ କ୍ଲିକ୍ କରିବେ। ଫଳାଫଳର ପିଡିଏଫ୍ ଫାଇଲ୍‌ ଖୋଲିବ। ଫଳାଫଳ ପିଡିଏଫ୍‌ରେ ପ୍ରାର୍ଥୀଙ୍କ ସୀମିତ ବିବରଣୀ ରହିଛି, ରୋଲ ନମ୍ବର ନାମ କିମ୍ବା ଆଇଡି ନମ୍ବର ଭଳି କୌଣସି ପରିଚୟଯୋଗ୍ୟ ଉପାଦାନ ନାହିଁ। କେବଳ ସିରିୟଲ ନମ୍ବର ଓ ପରୀକ୍ଷାର୍ଥୀଙ୍କ ଦ୍ୱାରା ପ୍ରାପ୍ତ ମାର୍କ ଉଲ୍ଲେଖ କରାଯାଇଛି।