ରାଞ୍ଚି: ନିଟ୍‌ ପେପର୍‌ ଲିକ୍‌ ମାମଲାର ତଦନ୍ତ କରୁଥିବା ସିବିଆଇ ଗତକାଲି ପାଟନା ଏମ୍ସର ୪ ଏମ୍‌ବିବିଏସ୍‌ ଛାତ୍ରଙ୍କୁ ଗିରଫ କରିବାପରେ ଆଜି ରାଞ୍ଚି ରିମ୍ସର ଜଣେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଗିରଫ କରିଛି। ଚୋରି ହୋଇଥିବା ପ୍ରଶ୍ନପତ୍ରର ଉତ୍ତର ପ୍ରସ୍ତୁତ କରୁଥିବା ସଲ୍‌ଭର ଗ୍ୟାଙ୍ଗ୍‌ ସହ ଉକ୍ତ ଛାତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କୁ ଗିରଫ କରି ଜେରା ଚାଲିଛି। ସିବିଆଇ ମଧ୍ୟ ଉକ୍ତ ଛାତ୍ରୀଙ୍କ ଲାପ୍‌ଟପ ଏବଂ ଫୋନ୍‌ ଜବତ କରିଛି। ଛାତ୍ରୀ ଜଣଙ୍କ ପ୍ରଶ୍ନର ଉତ୍ତର ତାଙ୍କ ମୋବାଇଲ୍‌ ଫୋନ୍‌ରୁ ଫରୱାର୍ଡ କରିଛନ୍ତି କି ନା’ ସେନେଇ ସିବିଆଇ ତଦନ୍ତ କରୁଛି। ପୂର୍ବରୁ ଗିରଫ ହୋଇଥିବା କିଛି ଅଭିଯୁକ୍ତଙ୍କ ପକ୍ଷରୁ ସୂଚନା ପାଇବାପରେ ସିବିଆଇ ଆଜି ରାଞ୍ଚି ରିମ୍ସ ଛାତ୍ରୀଙ୍କୁ ଗିରଫ କରିଛି।

Advertisment

ରିମ୍ସ ପିଆର୍‌ଓ ଡା ରାଜୀବ ରଂଜନ କହିଛନ୍ତି, ଅଟକ ଥିବା ଛାତ୍ରୀ ଜଣଙ୍କ ପ୍ରଥମ ବର୍ଷର। ତାଙ୍କୁ ଜେରା ପରେ ହାଜତକୁ ନିଆଯାଇଛି। ତାଙ୍କ ଅଭିଭାବକଙ୍କୁ ଏନେଇ ଅବଗତ କରାଯାଇଛି। ଆବଶ୍ୟକ ସ୍ଥଳେ ଆମେ ସହଯୋଗ କରିବୁ ବୋଲି ରାଜୀବ ରଂଜନ କହିଛନ୍ତି। ଗତ ସପ୍ତାହରେ ଗିରଫ ହୋଇଥିବା ମାମଲାର ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ ରକି ସଲ୍‌ଭର ଗ୍ୟାଙ୍ଗ୍‌ ସହ ଏମ୍‌ବିବିଏସ୍‌ ଛାତ୍ରଙ୍କ ସମ୍ପୃକ୍ତି ଥିବା ପ୍ରକାଶ କରିବାପରେ ସିବିଆଇ ଏବେ କିଛି ଏମବିବିଏସ୍‌ ଛାତ୍ରଛାତ୍ରୀଙ୍କୁ ଜେରା କରୁଛି। ତେ‌ବେ ଏହି ସମଗ୍ର ଅପରେସନ୍‌ର ମାଷ୍ଟରମାଇଣ୍ଡ୍‌ ସଂଜୀବ ମୁଖିୟା ଏବେ ବି ଧରାପଡ଼ିନି। ବିଭିନ୍ନ ସ୍ଥାନରେ ସିବିଆଇ ଚଢ଼ଉ ଜାରି ରଖିଥିଲେ ମଧ୍ୟ ସଂଜୀବର କିଛି ପତ୍ତା ମିଳୁନି।