୧୨ ରାଜ୍ୟରେ ପ୍ରବେଶ ପାଇଁ ନେଗେଟିଭ୍‌ ରିପୋର୍ଟ ଜରୁରି

ନୂଆଦିଲ୍ଲୀ : ସଂକ୍ରମଣ ବଢ଼ିବାରୁ ବିଭିନ୍ନ ରାଜ୍ୟରେ ପୁଣିଥରେ କରୋନା କଟକଣା କଡ଼ାକଡ଼ି କରାଯାଇଛି। କେବଳ ବିଦେଶ ଫେରନ୍ତା ନୁହନ୍ତି ଅନ୍ୟ ରାଜ୍ୟରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ବିଭିନ୍ନ ରାଜ୍ୟରେ କରୋନା ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୧୨ଟି ରାଜ୍ୟରେ ପ୍ରବେଶ ପାଇଁ ନେଗେଟିଭ୍‌ ଆର୍‌ଟିପିସିଆର ଟେଷ୍ଟ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଏହି ରାଜ୍ୟ ଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରାଖଣ୍ଡ, ମଣିପୁର, ଆସାମ, ମେଘାଳୟ, ମିଜୋରାମ୍‌, ତ୍ରିପୁରା, ଓ ହିମାଚଳପ୍ରଦେଶ ଅନ୍ତର୍ଭୁକ୍ତ। କିନ୍ତୁ ଭିନ୍ନ ରାଜ୍ୟରେ ନିୟମ ଭିନ୍ନ ରହିଛି। ଗୁଜରାଟ, ଦିଲ୍ଲୀ, ଗୋଆ, ରାଜସ୍ଥାନ ଏବଂ ‌କେରଳରୁ ମହାରାଷ୍ଟ୍ର ଆସୁଥିବା‌ ଯାତ୍ରୀଙ୍କ ପାଇଁ ନେଗେଟିଭ୍‌ ଆର୍‌ଟି ପିସିଆର ଟେଷ୍ଟ୍‌ ରିପୋର୍ଟ ଜରୁରି। କର୍ଣ୍ଣାଟକରେ ମହାରାଷ୍ଟ୍ର, କେରଳରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ନେଗେଟିଭ୍‌ ରିପୋର୍ଟ ଆବଶ୍ୟକ।

ସେହିପରି ଉତ୍ତରାଖଣ୍ଡ ସରକାର ମଧ୍ୟ ମହାରାଷ୍ଟ୍ର, ଗୁଜରାଟ, କେରଳ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରୁ ଫେରୁଥିବା ଯାତ୍ରୀଙ୍କ ପାଇଁ କୋଭିଡ୍‌ ଟେଷ୍ଟ୍‌ ଲାଗୁ କରିଛନ୍ତି। ମହାରାଷ୍ଟ୍ର ଏବଂ କେରଳରୁ ଆସୁଥିବା ଯାତ୍ରୀଙ୍କ ପାଇଁ ମଣିପୁରରେ କୋଭିଡ୍‌ ଟେଷ୍ଟ୍‌ ବାଧ୍ୟତାମୂଳକ କରାଯାଇଛି। ଆସାମକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ କୋଭିଡ୍‌ ଟେଷ୍ଟ୍‌ ବାଧ୍ୟତାମୂଳକ କରାଯାଇଛି। ମେଘାଳୟରେ ପହଞ୍ଚୁଥିବା ଯାତ୍ରୀମାନଙ୍କୁ ୭୨ ଘଣ୍ଟା ପୂର୍ବର ଟେଷ୍ଟ୍‌ ରିପୋର୍ଟ ଦେବାକୁ ପଡ଼ିବ। ନଚେତ୍‌ ବିମାନବନ୍ଦରରେ ପହଞ୍ଚିବାପରେ ଟେଷ୍ଟିଂ କରାଯିବ। ସେହିପରି ମିଜୋରାମ୍‌ରେ ବି ସମସ୍ତ ଯାତ୍ରୀଙ୍କ ପାଇଁ ନେଗେଟିଭ୍‌ କୋଭିଡ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ଓଡ଼ିଶାରେ ୫୫ ବର୍ଷରୁ ଅଧିକ ବୟସର ସମସ୍ତ ଯାତ୍ରୀଙ୍କୁ ରାଜ୍ୟରେ ‌ପହଞ୍ଚିବାପରେ ରୢାପିଡ୍‌ ଏଣ୍ଟିଜେନ୍‌ ଟେଷ୍ଟ୍‌ ରିପୋର୍ଟ ଦେବାକୁ ପଡ଼ିବ। ତ୍ରିପୁରାରେ ସମସ୍ତ ଯାତ୍ରୀଙ୍କ ପାଇଁ ଟେଷ୍ଟିଂ ମାଗଣାରେ କରାଯିବା ବ୍ୟବସ୍ଥା ହୋଇଛି।

ସମ୍ବନ୍ଧିତ ଖବର