ଦିଲ୍ଲୀ ହସ୍ପିଟାଲ୍‌ର ଅବହେଳା, ପୁଣି ୨ ପରିବାରକୁ ଭୁଲ୍‌ ମୃତଦେହ ହସ୍ତାନ୍ତର

ନୂଆଦିଲ୍ଲୀ: ଦିଲ୍ଲୀରେ ହସ୍ପିଟାଲ୍‌ମାନଙ୍କରେ ଅତି ଭୟଙ୍କର ଏବଂ ଦୟନୀୟ ସ୍ଥିତି ଉପୁଜିଛି । ହସ୍ପିଟାଲ୍‌ ୱାର୍ଡ, ଲବି ଏବଂ ଏପରିକି ପ୍ରତୀକ୍ଷା ଗୃହରେ ମଧ୍ୟ କୋଭିଡ୍‌ ରୋଗୀଙ୍କ ମର ଶରୀର ପଡ଼ି ରହୁଛି। ମର ଶରୀରକୁ ସମ୍ମାନ ଦିଆଯାଉନାହିଁ।। ଅନେକ ସମୟରେ ରୋଗୀଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ରୋଗୀଙ୍କ ମର ଶରୀର ହସ୍ତାନ୍ତର କରାଯାଉନି। ଏନେଇ ସୁପ୍ରିମକୋର୍ଟ ଆଜି ଦିଲ୍ଲୀ ସରକାରଙ୍କ ଉପରକୁ ବର୍ଷିବା ସହ ଏଲଏନ୍‌ଜେପି ହସ୍ପିଟାଲ୍‌କୁ ନୋଟିସ୍‌ କରିଥିଲେ। କିନ୍ତୁ ଏହାର ମାତ୍ର କିଛି ଘଣ୍ଟା ପରେ ଆଜି ଏଲଏନ୍‌ଜେପି ହସ୍ପିଟାଲ୍‌ରୁ ପୁଣି ଏକ ସମାନ ଅଭିଯୋଗ ଆସିଛି। ଦୁଇଟି ପରିବାର ଦାବି କରିଛନ୍ତି ଯେ, ସେମାନଙ୍କ ସମ୍ପର୍କୀୟଙ୍କୁ ଏଲଏନ୍‌ଜେପି ହସ୍ପିଟାଲ୍‌ରେ କେବଳ ଅବହେଳା କରାଯାଇନି ବରଂ ସେମାନଙ୍କ ମର ଶରୀରକୁ ଅଦଳ ବଦଳ କରାଯାଇଛି। ଜଣେ ବ୍ୟକ୍ତିଙ୍କୁ ତାଙ୍କ ମା’ଙ୍କ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ସୁଯୋଗ ମିଳିନଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କ ବାପାଙ୍କ ସମେତ ଅନ୍ୟ ଜଣେ ଅପିରରିଚିତ ବ୍ୟକ୍ତିଙ୍କ ଶବ ସତ୍କାର କରିଛନ୍ତି।

ସିଆଇଏସଏଫ୍‌ ଏସ୍‌ଆଇ ସନ୍ନି ଚନ୍ଦ୍ର କହିଛନ୍ତି, ଗତ ଜୁନ୍‌ ୭ ତାରିଖରେ ତାଙ୍କ ବାପାଙ୍କ ମର ଶରୀରକୁ ଏଲଏନ୍‌ଜେପି ହସ୍ପିଟାଲ୍‌ ଆମ୍ବୁଲାନ୍ସ ଡ୍ରାଇଭର ଆଣି ନିଗମବୋଧ ଘାଟରେ ହସ୍ତାନ୍ତର କରିଥିଲେ। ସେ ଶେଷ ଥର ପାଇଁ ତାଙ୍କ ବାପାଙ୍କ ମୁହଁ ଦେଖିବାକୁ ଚାହିଥିଲେ ମଧ୍ୟ ତାଙ୍କୁ ଅନୁମତି ମିଳିନଥିଲା। ଶେଷରେ ସେ ସତ୍କାର କାର୍ଯ୍ୟ ଶେଷ କରିଦେଲେ। କିନ୍ତୁ ମାତ୍ର କିଛି ଘଣ୍ଟା ପରେ ତାଙ୍କୁ ହସ୍ପିଟାଲ୍‌ ପକ୍ଷରୁ ଫୋନ୍‌ ଆସିଥିଲା। ସେ ଜଣେ ମହ‌ିଳାଙ୍କ ଶବ ସତ୍କାର କରିଥିଲେ ବୋଲି ତାଙ୍କୁ କୁହାଯାଇଥିଲା। ପରେ ଚନ୍ଦ୍ର ମଧ୍ୟ ସେହି ଘାଟରେ ଅନ୍ୟ ଏକ ଆମ୍ବୁଲାନ୍ସରେ ତାଙ୍କ ବାପାଙ୍କ ମର ଶରୀର ଥୁଆ ହୋଇଥିବା ଦେଖିଥିଲେ ଏବଂ ସତ୍କାର କରିଥିଲେ। ଅନ୍ୟପକ୍ଷେ ମୀରା ଦେବୀ ନାମକ ଜଣେ କରୋନା ରୋଗୀଙ୍କର ଏଲଏନ୍‌ଜେପିରେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପୁଅ ମୁକେଶ ଶେଷ ଥର ପାଇଁ ମା’ଙ୍କ ମୁହଁ ଦେଖି ପାରିନଥିଲେ। ଶେଷରେ ଜାଣିବାକୁ ପାଇଲେ ଯେ, ତାଙ୍କ ମା’ଙ୍କ ମର ଶରୀର ସିଆଇଏସଏଫ୍‌ ଏସ୍‌ଆଇ ଚନ୍ଦ୍ର ସତ୍କାର କରିଦେଇଛନ୍ତି।

ସମ୍ବନ୍ଧିତ ଖବର