ସରକାର-ଚାଷୀ ସଂଗଠନ ଆଲୋଚନା ପୁଣି ବିଫଳ: ଆଭିମୁଖ୍ୟ କଠୋର କଲେ ସରକାର

ଆନ୍ଦୋଳନରେ ଯୋଗ ‌‌ଦେବେ ଶରଦ ପାୱାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ସରକାର ଏବଂ ଚାଷୀ ସଂଗଠନ ମଧ୍ୟରେ ଲାଗି ରହିଥିବା ଅଚଳାବସ୍ଥା ଜାରି ରହିଛି ଏବଂ ଆଜି ଏ ବାବଦରେ ଅନୁଷ୍ଠିତ ହୋଇଥିବା ୧୧ତମ ବୈଠକ ମଧ୍ୟ ବିଫଳ ହୋଇଛି। କୃଷି ଆଇନ ଉପରେ ୧୮ ମାସ ରୋକ୍‌ ଲଗାଇ ଏହି ସମୟ ମଧ୍ୟରେ ସବୁ ବିବାଦର ସମାଧାନ କରିବାକୁ ପ୍ରୟାସ ହେବ ବୋଲି ସରକାର ଦେଇଥିବା ପ୍ରସ୍ତାବକୁ ଚାଷୀ ସଂଗଠନମାନେ ଗ୍ରହଣ କରିନାହାନ୍ତି। ଚାଷୀ ନେତାଙ୍କ ଏଭଳି ନିଷ୍ପତ୍ତି ପରେ ସରକାର ମଧ୍ୟ ଆଭିମୁଖ୍ୟ କଠୋର କରିଛନ୍ତି ଏବଂ ଏହାଠାରୁ ଆଉ ଅଧିକ କ’ଣ ‌କରି ହୋଇଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି। କୃଷି ସଂସ୍କାର କ୍ଷେତ୍ରରେ ସରକାର ନେଇଥିବା ବଡ଼ ପଦକ୍ଷେପରେ ଯଦି କୌଣସି ସମସ୍ୟା ରହିଛି ତା’ହେଲେ ଆଲୋଚନା ମାଧ୍ୟମରେ ତାହାର ସମାଧାନ ହୋଇପାରିବ ଏବଂ ଆଇନରେ ମଧ୍ୟ ସଂଶୋଧନ ହେବ। କିନ୍ତୁ ଚାଷୀ ନେତାମାନେ ଏହାକୁ ଗ୍ରହଣ ନକରି ଆଗକୁ ବଢ଼ିବାର ରାସ୍ତା ବନ୍ଦ କରିବା ଉଚିତ ନୁହେଁ ବୋଲି ଆଜି ସରକାର ରୋକ୍‌ଠୋକ ଶୁଣାଇ ଦେଇଥିଲେ।

ବୈଠକ ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର୍‌ କହିଥିଲେ ଯେ ଆମେ ୧୧ଟି ବୈଠକରେ ନୂଆ କୃଷି ଆଇନ ସଂପର୍କରେ ୪୫ ଘଣ୍ଟା ଚର୍ଚ୍ଚା କରିଛୁ ଏବଂ ଚାଷୀଙ୍କ ପ୍ରଗତି ହିଁ ସରକାରଙ୍କ ଏକମାତ୍ର ଲକ୍ଷ୍ୟ। ତେବେ ସବୁ ପ୍ରସ୍ତାବ, ସବୁ ବିକଳ୍ପକୁ ପ୍ରତ୍ୟାଖ୍ୟାନ କରାଯାଉଛି ଏବଂ ସରକାର ଆଉ ଅଧିକ କ’ଣ କରିଥାନ୍ତେ ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଏ ବାବଦରେ ପରବର୍ତ୍ତୀ ବୈଠକ କେବେ ହେବ ସେ ନେଇ ଆଜି କିଛି ସ୍ଥିର ହୋଇପାରି ନାହିଁ। ଆଜି ବୈଠକରେ ଚାଷୀ ନେତା ରାକେଶ ଟିକାୟତ କହିଥିଲେ ଯେ କେନ୍ଦ୍ର ସରକାର ନୂଆ କୃଷି ଆଇନ କାର୍ଯ୍ୟକାରୀ କରିବା ଉପରେ ୨ ବର୍ଷ ପାଇଁ ପ୍ରତିବନ୍ଧକ ଲଗାନ୍ତୁ ଏବଂ ତା’ପରେ ହିଁ ପରବର୍ତ୍ତୀ ବୈଠକରେ ଆଲୋଚନା ହେବ। ଅନ୍ୟପକ୍ଷରେ ଜାନୁଆରି ୨୬ରେ ଚାଷୀ ସଂଗଠନ ପକ୍ଷରୁ ଟ୍ରାକ୍ଟର ରୢାଲି ବାହାର କରାଯିବ ବୋଲି ଆଜି ଚାଷୀ ନେତାମାନେ ପୁଣି ଘୋଷଣା କରିଛନ୍ତି। ଏଥିପାଇଁ ଦିଲ୍ଲୀ ପୁଲିସ ଅନୁମତି ଦେଇନଥିଲେ ମଧ୍ୟ ଆମେ ଟ୍ରାକ୍ଟର ରୢାଲି କରିବୁ ବୋଲି ପଂଜାବ ଏବଂ ହରିୟାଣାର ଚାଷୀ ନେତାମାନେ କହିଛନ୍ତି।

ସରକାରଙ୍କ ଯୁକ୍ତି: ସବୁ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଅଚଳାବସ୍ଥା ହଟିବ ନାହିଁ
ପରବର୍ତ୍ତୀ ବୈଠକ ସ୍ଥିର ହେଲାନାହିଁ
୧୧ଥର ବୈଠକ, ୪୫ ଘଣ୍ଟା ଚର୍ଚ୍ଚା

ଆନ୍ଦୋଳନରେ ଯୋଗ ‌‌ଦେବେ ଶରଦ ପାୱାର
ମୁମ୍ବାଇ: ଏନ୍‌ସିପି ସଭାପତି ଶରଦ ପାୱାର ଆନ୍ଦୋଳନରତ ଚାଷୀଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ନୂଆ କୃଷି ଆଇନକୁ ବିରୋଧ କରି ଏବେ ମହାରାଷ୍ଟ୍ରରେ ଆନ୍ଦୋଳନ ବ୍ୟାପକ କରିବାକୁ ଯୋଜନା ହୋଇଛି। ଆଜି ଚାଷୀ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ ହେବାପରେ ମାମଲା ଆହୁରି ଜଟିଳହୋଇଛି। କୋହ୍ଲାପୁରରେ ଗଣମାଧ୍ୟମକୁ ପୂର୍ବତନ କୃଷି ମନ୍ତ୍ରୀ ପାୱାର କହିଛନ୍ତି, ସରକାରଙ୍କ ପ୍ରସ୍ତାବକୁ କୃଷକମାନେ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ କୃଷି ଆଇନକୁ ସମ୍ପୂର୍ଣ୍ଣ ରଦ୍ଦ କରିବାକୁ ଚାହିଛନ୍ତି। କୃଷକମାନେ ଆଗକୁ ମୁମ୍ବାଇରେ ଆନ୍ଦୋଳନ ପାଇଁ ‌ଯୋଜନା‌ କରିଥିବାବେଳେ ଏନ୍‌ସିପି ସଭାପତି ଶରଦ ପାୱାର ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର