ଆଲୋଚନା ବିଫଳ, ୯ରେ ପୁଣି ବୈଠକ: ଚାଷୀଙ୍କ ଦାବି ନେଇ ସମୟ ଲୋଡ଼ିଲେ ସରକାର

କୃଷି ଆଇନ ପ୍ରତ୍ୟାହାର ଜିଦ୍‌ରେ ଚାଷୀ ଅଟଳ, ଡିସେମ୍ବର ୮ ଭାରତ ବନ୍ଦକୁ ବାମଦଳର ସମର୍ଥନ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ବିଗତ ୧୦ ଦିନ ଧରି ଆନ୍ଦୋଳନ ଚଳାଇଥିବା କୃଷକ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ହୋଇଥିବା ପଞ୍ଚମ ପର୍ଯ୍ୟାୟ ବୈଠକ ବିଫଳ ହୋଇଛି। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ଏହି ବୈଠକରେ କୌଣସି ସମାଧାନ ପନ୍ଥା ବାହାରି ପାରିନାହିଁ। ୪୦ଟି କୃଷକ ସଂଗଠନ ପକ୍ଷରୁ ରଖାଯାଇଥିବା ଦାବି ସଂପର୍କରେ ନିଷ୍ପତ୍ତି ନେବା ପାଇଁ ସରକାର କିଛିଦିନ ସମୟ ଚାହିଁଛନ୍ତି। ଏ ବାବଦରେ ପରବର୍ତ୍ତୀ ବୈଠକ ଡିସେମ୍ବର ୯ରେ ହେବାକୁ ସ୍ଥିର ହୋଇଛି। ଅପରପକ୍ଷେ, ଡିସେମ୍ବର ୮ରେ କୃଷକ ସଂଗଠନମାନଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଭାରତ ବନ୍ଦ ପରଦିନ ଅର୍ଥାଥ ବୁଧବାର ବସିବାକୁ ଥିବା ଷଷ୍ଠ ପର୍ଯ୍ୟାୟ ବୈଠକକୁ ପୁଣି ଅପେକ୍ଷା କରାଯାଇଛି। ସରକାର ଚାଷୀ ସଂଗଠନମାନଙ୍କୁ କେତେକ ଲିଖିତ ପ୍ରସ୍ତାବ ଦେଇଛନ୍ତି। ଆଜିର ଆଲୋଚନାରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ସମେତ ଖାଦ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ, ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସୋମ୍‌ ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ। ଚାଷୀମାନେ ଆନ୍ଦୋଳନରୁ ଓହରି ଆସିବାକୁ ସରକାରଙ୍କ ଅନୁରୋଧକୁ ଚାଷୀ ନେତାମାନେ ପ୍ରତ୍ୟାଖ୍ୟାନ କରିଥିଲେ।

ଏମ୍‌ଏସ୍‌ପି ପ୍ରସଙ୍ଗରେ ସରକାରଙ୍କୁ ସବୁ ଦାବି ମାନିବାକୁ ପଡ଼ିବ ବୋଲି ଚାଷୀମାନେ କହିଛନ୍ତି। ସେହିଭଳି ଆମେ କର୍ପୋରେଟ୍‌ ଫାର୍ମିଂ ଚାହୁନାହୁ ବୋଲି କୃଷକ ନେତାମାନେ ବୈଠକରେ କହିଥିଲେ। ଅନ୍ୟପକ୍ଷରେ ଚାଷୀ ଆନ୍ଦୋଳନ ନେଇ ସରକାରଙ୍କ ଆଭିମୁଖ୍ୟକୁ କୃଷକ ନେତାମାନେ ଜୋର୍‌ଦାର ବିରୋଧ କରିଛନ୍ତି। ସରକାର କୃଷି ଆଇନ ପ୍ରତ୍ୟାହାର ନ କଲା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କୃଷକ ନେତା କହିଛନ୍ତି। ନୂଆ କୃଷି ଆଇନରେ କେତେକ ପରିବର୍ତ୍ତନ ଆଣିବାକୁ ସରକାର ଦେଇଥିବା ଲିଖିତ ପ୍ରସ୍ତାବକୁ ମଧ୍ୟ ଚାଷୀ ସଂଗଠନ ଅଗ୍ରାହ୍ୟ କରିଦେଇଛନ୍ତି। ସୂଚନାଯୋଗ୍ୟ, ଆଜିର ଆଲୋଚନା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଜି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହି ତିନି ଜଣ କେନ୍ଦ୍ରମନ୍ତ୍ରୀ କୃଷି ଆଇନରେ ପରିବର୍ତ୍ତନ ଆଣିବା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଆଜି ଆର୍‌ଜେଡ଼ି ନେତୃତ୍ବରେ ମହାମେଣ୍ଟ ପାଟନାର ଗାନ୍ଧୀ ମୈଦାନରେ ବିକ୍ଷୋଭ ପ୍ରଦର୍ଶନ କରିଛି। ସେହିଭଳି ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନଙ୍କ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ବାମଦଳମାନେ ସମର୍ଥନ ଜଣାଇଛନ୍ତି। ସିପିଆଇଏମ୍‌, ସିପିଆଇଏମ୍‌ଏଲ, ସୋସିଆଲିଷ୍ଟ ପାର୍ଟି, ଅଖିଳ ଭାରତ ଫରୱାର୍ଡ ବ୍ଲକ, ସିଆଇଟିୟୁ ପ୍ରମୁଖ ବାମଦଳମାନେ ଭାରତ ବନ୍ଦକୁ ସମର୍ଥନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର