ପ୍ରବାସୀ ଶ୍ରମିକମାନଙ୍କ ପ୍ରସଙ୍ଗରେ ରାଜ୍ୟମାନଙ୍କ ସହ ଆଲୋଚନା

କ‌ରୋନାକୁ ଦୃଷ୍ଟିରେ ରଖି ପଦକ୍ଷେପ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଥିବାରୁ ପ୍ରବାସୀ ଶ୍ରମିକମାନେ ପୁନର୍ବାର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି।

ସମୀକ୍ଷା ବୈଠକରେ ରେଲୱେ ପକ୍ଷରୁ କୁହାଯାଇଛି, ଆବଶ୍ୟକ ହେଲେ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ କରାଯିବ। ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସଂପର୍କରେ ଅବଗତ ହେବା ପାଇଁ ସାରା ଦେଶରେ ୨୧ଟି ତଦାରଖ କେନ୍ଦ୍ର ଆରମ୍ଭ ହୋଇଛି। ଏହା ଉପରେ ମୁଖ୍ୟ ଶ୍ରମ ଆୟୁକ୍ତ (କେନ୍ଦ୍ରୀୟ) ନଜର ରଖିବେ। କରୋନା ଯୋଗୁ ଶ୍ରମିକଙ୍କ ଯେ ଭଳି କୌଣସି ଅସୁବିଧା ନ ହୁଏ ସେ ନେଇ କେନ୍ଦ୍ର ଶ୍ରମ ସଚିବ ରାଜ୍ୟ ଶ୍ରମ ସଚିବମାନଙ୍କ ସହିତ ବୈଠକ କରିଛନ୍ତି। ଯେଉଁଠି କରୋନା ମାମଲା ବୃଦ୍ଧି ପାଉଛି ସେହି ସବୁ ସ୍ଥାନକୁ ବାଦ୍‌ ଦେଲେ ଅନ୍ୟ ସ୍ଥାନମାନଙ୍କରେ ନିର୍ମାଣ, ବ୍ୟବସାୟିକ ଓ ଉଦ୍ୟୋଗ ସଂକ୍ରାନ୍ତ କାର୍ଯ୍ୟ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇନଥିବା ରାଜ୍ୟମାନଙ୍କ ପକ୍ଷରୁ କୁହାଯାଇଥିଲା।

ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ପ୍ରତିବନ୍ଧକ ସୀମିତ ରହିଥିବାରୁ ପ୍ରବାସୀ ଶ୍ରମିକମାନଙ୍କ ଅସ୍ବାଭାବିକ ଗମନାଗମନରେ କୌଣସି ରିପୋର୍ଟ ନଥିବା ରାଜ୍ୟ ମାନଙ୍କ ଦ୍ବାରା କେନ୍ଦ୍ରକୁ ସୂଚନା ଦିଆଯାଇଛି। ଶ୍ରମିକମାନେ ନିଜ ରାଜ୍ୟକୁ ପଳାୟନ କରୁଥିବା ଭଳି ମିଡିଆ ରିପୋର୍ଟ ସତ୍ୟ ଉପରେ ଆଧାରିତ ନୁହେଁ ବୋଲି ରାଜ୍ୟମାନଙ୍କ ପକ୍ଷରୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ଶ୍ରମିକମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇଦେବା ନେଇ ବ୍ୟବସ୍ଥା କରାଯାଇଥିବା ସଂପର୍କରେ ରାଜ୍ୟମାନଙ୍କ ଦ୍ବାରା କେନ୍ଦ୍ରକୁ ଅବଗତ କରାଯାଇଛି। ବୈଠକରେ ରାଜ୍ୟମାନଙ୍କୁ ସ୍ଥାନୀୟ ରେଲୱେ ଅଧିକାରୀଙ୍କ ସହିତ ସଂପର୍କରେ ରହିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର