ନୂଆଦିଲ୍ଲୀ: ମ୍ୟାଚ୍ ବେଳେ ଉଭୟ ଦଳର ଖେଳାଳି ଗଣ୍ଡଗୋଳରେ ମାତିବା ଭଳି ଲଜ୍ଜାଜନକ ଘଟଣା ସୋମବାର ଦେଖିବାକୁ ମିଳିଥିଲା। ଏଠାରେ ଚାଲିଥିବା ନେହରୁ କପ୍ ହକି ଫାଇନାଲ୍ ମ୍ୟାଚ୍ ବେଳେ ଉଭୟ ପଞ୍ଜାବ ପୁଲିସ ଏବଂ ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ୍ ଦଳର ଖେଳାଳିଙ୍କ ପିଟାପିଟିରେ ନ୍ୟାସ୍ନାଲ୍ ଷ୍ଟାଡିୟମ୍ ରଣକ୍ଷେତ୍ର ପାଲଟିଥିଲା। ହକି ଷ୍ଟିକ୍ରେ ଉଭୟ ଦଳର ଖେଳାଳିମାନେ ପିଟାପିଟି ହେଉଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଯାଇଥିଲା। ନାଲି ରଙ୍ଗ ଜର୍ସିରେ ପୁଲିସ ଦଳ ଏବଂ ଧଳା ରଙ୍ଗ ଜର୍ସିରେ ବ୍ୟାଙ୍କ୍ ଦଳ ଖେଳୁଥିଲେ। ଗଣ୍ଡଗୋଳ ବେଳେ ପୁଲିସ ଦଳର ଖେଳାଳିମାନେ ଅତ୍ୟଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥିବା ଭିଡିଓ ଭାଇରାଲରୁ ସ୍ପଷ୍ଟ ହୋଇଥିଲା। ପୁଲିସ ଦଳ ଖେଳାଳିଙ୍କ ହକି ଷ୍ଟିକ୍ ମାଡ଼ରେ ବ୍ୟାଙ୍କ୍ ଦଳର ଜଣେ ଖେଳାଳି ପଡ଼ିଆରେ ଅଚେତ ହୋଇ ପଡ଼ିଯାଇଥିବା ଦେଖାଯାଇଥିଲା।
#WATCH Delhi: Scuffle broke out between Punjab Police Hockey & Punjab National Bank Hockey teams during Nehru Cup finals. Elena Norman, Hockey India CEO says, "We're awaiting official report from Tournament officials, based on which Hockey India will take necessary action." pic.twitter.com/Yz3LAtGPl7
— ANI (@ANI) November 25, 2019
ଏଭଳି ଅଶୋଭନୀୟ ଘଟଣା ସତ୍ତ୍ବେ ଉଭୟ ଦଳର ୮ ଜଣ ଲେଖାଏଁ ଖେଳାଳିଙ୍କୁ ନେଇ କିଛି ସମୟ ପରେ ମ୍ୟାଚ୍ ପୁଣି ଆରମ୍ଭ ହୋଇଥିଲା ଏବଂ ବ୍ୟାଙ୍କ୍ ଦଳ ୬-୩ ଗୋଲ୍ରେ ମ୍ୟାଚ୍ ଜିତି ନେଇଥିଲା। ତେବେ ଏହି ଘଟଣାରେ ଉଭୟ ଦଳ ଓ ସେମାନଙ୍କ ମ୍ୟାନେଜମେଣ୍ଟ ବିପକ୍ଷରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଓଏ (ଭାରତୀୟ ଅଲିମ୍ପିକ୍ ସଂଘ) ସଭାପତି ନରିନ୍ଦର ଧ୍ରୁବ ବାତ୍ରା ହକି ଇଣ୍ଡିଆ ନିକଟରେ ଦାବି କରିଛନ୍ତି। ମ୍ୟାଚ୍ ବେଳେ ଏଭଳି ବ୍ୟବହାର ଖେଳର ଭାବମୂର୍ତ୍ତିକୁ ନଷ୍ଟ କରୁଛି ବୋଲି ବାତ୍ରା କ୍ଷୋଭର ସହ କହିଛନ୍ତି। ବାତ୍ରାଙ୍କ ଦାବି ଉପରେ ପ୍ରତିକ୍ରିୟା ରଖି ହକି ଇଣ୍ଡିଆ ସିଇଓ ଇଲିନା ନର୍ମାନ୍ କହିଛନ୍ତି, ଆମେ ପ୍ରତିଯୋଗିତା ଅଧିକାରୀଙ୍କ ରିପୋର୍ଟକୁ ଅପେକ୍ଷା କରିଛୁ। ରିପୋର୍ଟ ମିଳିବା ପରେ ତାକୁ ଭିତ୍ତି କରି ଆମେ ନିଶ୍ଚିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ନର୍ମାନ୍ କହିଛନ୍ତି। ପ୍ରତିଯୋଗିତା ଆୟୋଜକ ମଧ୍ୟ ଉଭୟ ଦଳର କର୍ତୃପକ୍ଷଙ୍କୁ ସେମାନଙ୍କ ବିଶୃଙ୍ଖଳିତ ଖେଳାଳିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି।