ଚୀନ୍‌ ଏବଂ କଶ୍ମୀର ସମସ୍ୟାର ମୂଳରେ ନେହରୁ: ଜେଟ୍‌ଲି

ନୂଆଦିଲ୍ଲୀ: ଚୀନ୍‌ ଏବେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ପାଇଁ ଯେଉଁ ସମସ୍ୟା ସୃଷ୍ଟି କରୁଛି ଏବଂ କଶ୍ମୀରକୁ ନେଇ ଯେଉଁ ଜଟିଳ ସ୍ଥିତିକୁ ଭାରତ ସାମ୍ନା କରୁଛି ସେଥି ପାଇଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜବାହରଲାଲ ନେହରୁ ହିଁ ଦାୟୀ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି। ଆତଙ୍କବାଦୀ ମସୁଦ୍‌ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାରେ ଚୀନ୍‌ ଜାତିସଂଘରେ ଯେଉଁ ପ୍ରତିବନ୍ଧକ ସୃଷ୍ଟି କରିଛି, ସେହି ସମସ୍ୟା ଏବେ ନଥାନ୍ତା, ଯଦି ନେହରୁ ଭାରତକୁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଭାବେ ଗ୍ରହଣ କରିବାକୁ ଆସିଥିବା ପ୍ରସ୍ତାବକୁ ଗ୍ରହଣ କରିଥାନ୍ତେ। ଭାରତ ବଦଳରେ ଚୀନ୍‌କୁ ଏହି ସୁଯୋଗ ଦେବାକୁ ନେହରୁ ଯୁକ୍ତି କରିଥିଲେ ‌ଏବଂ ସେହି ଅନୁସାରେ କାର୍ଯ୍ୟ କରିବାରୁ ଚୀନ୍‌ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହୋଇପାରିଥିଲା। ସେହିଭଳି କଶ୍ମୀରକୁ ନେଇ ଉପୁଜିଥିବା ଅତି ଜଟିଳ ସ୍ଥିତି ଯୋଗୁଁ ଭାରତକୁ ବହୁ ମୂଲ୍ୟ ଦେବାକୁ ପଡ଼ୁଛି। ଏହି ସମସ୍ୟାର ମୂଳରେ ମଧ୍ୟ ନେହରୁ ଅଛନ୍ତି ଏବଂ ତାଙ୍କର ଭୁଲ୍‌ ନିଷ୍ପତ୍ତି ଦେଶ ପାଇଁ ମହଙ୍ଗା ହୋଇଛି ବୋଲି ଜେଟ୍‌ଲି ତାଙ୍କ ବ୍ଲଗ୍‌ରେ କହିଛନ୍ତି।

ସମ୍ବନ୍ଧିତ ଖବର