ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ଆମେରିକାକୁ ରାଷ୍ଟ୍ରୀୟ ଗସ୍ତ କରିଛନ୍ତି। ତାଙ୍କ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ ଆମେରିକାକୁ ରାଷ୍ଟ୍ରୀୟ ଗସ୍ତରେ ଯାଇଥିଲେ। ଜୋ ବାଇଡେନ ଏବଂ ଜିଲ୍ ବାଇଡେନ ମୋଦୀଙ୍କୁ ଭବ୍ୟ ସ୍ବାଗତ ଜଣାଇଛନ୍ତି। ଏଥିସହିତ ଉଭୟ ମୋଦୀ ଏବଂ ବାଇଡେନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକରେ ସମାନ ପ୍ରକାରର ମତ ରଖିଛନ୍ତି।
ମୋଦୀ ହେଉଛନ୍ତି ଭାରତର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ।
ତେବେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଆମେରିକା ଗସ୍ତ କିଭଳି ରହିଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସମୀକରଣରେ କି ପରିବର୍ତ୍ତନ ଆସିଥିଲା ତାହା ଉପରେ ନଜର ପକାଇଲେ ଅନେକ କଥା ଜଣାପଡ଼େ। ନେହରୁ ଜଣେ ସମାଜବାଦୀ ଥିଲେ। ସେଥିପାଇଁ ଆମେରିକା ଗସ୍ତକୁ ସେ କେବେ ବି ଏତେମାତ୍ରାରେ ଉପଭୋଗ ପ୍ରଥମେ ପ୍ରଥମେ କରି ପାରି ନଥିଲେ। ନେହରୁ କହିଥିଲେ, ସେ ଆମେରିକାର କ୍ଷମତା ତୁଳନାରେ ସ୍ବାଧୀନତା ସଂଗ୍ରାମରେ ଅତିମାତ୍ରାରେ ଅନୁପ୍ରାଣୀତ ହୋଇଥିଲେ। ଆମେରିକା ଗସ୍ତକୁ ନେଇ ନେହରୁଙ୍କ ମନରେ ଅନେକ ଆଶଙ୍କା ଥିଲା। ଏହାର କାରଣ ହେଲା ତାଙ୍କର ସମାଜବାଦୀ ଚିନ୍ତାଧାରା।
ପ୍ରଥମ ଥର ପାଇଁ ନେହରୁ ୧୯୪୯ ଅକ୍ଟୋବର ୧୧ରେ ୱାସିଂଟନରେ ପହଞ୍ଚିଥିଲେ। ତାଙ୍କୁ ସେତେବେଳକୁ ୬୦ ବର୍ଷ ହୋଇଥିଲା। ସେହି ସମୟରେ ତାଙ୍କ ଭଉଣୀ ବିଜୟଲକ୍ଷ୍ମୀ ପଣ୍ଡିତ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିଲେ। ଭଉଣୀଙ୍କ ନିକଟକୁ ନେହରୁ ଏକ ଚିଠି ଲେଖିଥିଲେ। ସେଥିରେ ତାଙ୍କ ମନର ଅନେକ ଆଶଙ୍କା ପ୍ରକାଶ କରିଥିଲେ। ଆମେରିକାକୁ କିଭଳି ଉଦ୍ବୋଧନ ଦେବେ? ସରକାର, ବ୍ୟବସାୟୀ ଓ ଅନ୍ୟମାନଙ୍କ ସହିତ କିଭଳି ଆଲୋଚନା କରିବେ? ଆମ ଦେଶର ମୌଳିକ ନୀତି ବିରୋଧରେ ଯାଇ କୌଣସି ପ୍ରତିଶ୍ରୁତି ଦେବାକୁ ଚାହେ ନାହିଁ ବୋଲି ନେହରୁ ଚିଠିରେ ଲେଖିଥିଲେ। ନେହରୁଙ୍କ ମନରେ ଆଶଙ୍କା ଗୁଡ଼ିକ ଥିଲେ ମଧ୍ୟ ଆମେରିକୀୟମାନେ କିନ୍ତୁ ତାଙ୍କ ଗସ୍ତ ପାଇଁ ଅଧିକ ଉତ୍ସାହିତ ଥିଲେ। ନେହରୁ ଲଣ୍ଡନରୁ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ହ୍ୟାରି ଏସ୍ ଟ୍ରୁମ୍ୟାନଙ୍କ ନିଜସ୍ବ ବିମାନରେ ଯାଇଥିଲେ। ସେ ୱାସିଂଟନ ସାମରିକ ବିମାନ ଘାଟିରେ ଓହ୍ଲାଇବା ପରେ ଆମେରିକା ରାଷ୍ଟ୍ରପତି ନିଜେ ତାଙ୍କୁ ସେଠାରେ ସ୍ବାଗତ କରିଥିଲେ।
ନେହରୁଙ୍କୁ ସ୍ବାଗତ କରିବା ସମୟରେ ଟ୍ରୁମ୍ୟାନ ଭାରତକୁ କଲମ୍ବସ ଆବିଷ୍କାର କରିବାକୁ ଯାଇ ଆମେରିକା ଆବିଷ୍କାର କରିବା କଥା କହିଥିଲେ। ତେବେ ନେହରୁ ତାଙ୍କ ନିରକ୍ଷେପ ନୀତିରେ ଅଟଳ ରହିବା କାରଣରୁ ଆମେରିକାବାସୀ ନିରୁତ୍ସାହିତ ହୋଇଥିଲେ। କିନ୍ତୁ ସେତେବେଳେ ଭାରତରେ ଖାଦ୍ୟ ଅଭାବ ଥିବାରୁ ଆମେରିକାଠାରୁ ଭାରତ ଖାଦ୍ୟ ସହାୟତା ଲୋଡ଼ୁଥିଲା। ତେବେ ଟ୍ରୁମ୍ୟାନ ଭାରତକୁ ଆର୍ଥିକ ସହାୟତା ଦେବାକୁ ମନା କରିଦେଇଥିଲେ। ଆମେରିକା ଏବଂ ସୋଭିଏତ ରୁଷ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧରେ ଭାରତ ନିରକ୍ଷେପ ରହିବା ଏହାର କାରଣ ଥିଲା। କିନ୍ତୁ ୨ ବର୍ଷ ପରେ ଆମେରିକା ସହିତ ଭାରତ ଏକ ଋଣ ରାଜିନାମା ସ୍ବାକ୍ଷର କରିଥିଲା। ସେଥିରେ ଭାରତ ୨ ନିୟୁତ ଟନ ଗହମ କିରିଥିଲା। ତେବେ ସାମ୍ବାଦିକ ମିହିର ବୋଷଙ୍କ ଅନୁଯାୟୀ, ନେହରୁଙ୍କ ୧୯୪୯ ଆମେରିକା ଗସ୍ତ ଏକ ବଡ଼ ରାଜନୈତିକ ବିଫଳତା ଥିଲା। ଏହାପରେ ନେହରୁ ପ୍ରଧାନମନ୍ତ୍ରୀ ଭାବେ ଆଉ ୩ ଥର ଆମେରିକା ଗସ୍ତ କରିଥିଲେ। ସେହି ଗସ୍ତଗୁଡ଼ିକ ୧୯୫୬, ୧୯୬୦ ଏବଂ ୧୯୬୧ ମସିହାରେ ହୋଇଥିଲା।