ଜେଲରେ ପି.ଚିଦାମ୍ବରମଙ୍କ ପଡୋଶୀ ସାଜିଲେ ଠକ ଓ ବିଛିନ୍ନତାବାଦୀ ନେତା

ନୂଆଦିଲ୍ଲୀ: ତିହାର ଜେଲରେ କଟିଲା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ପ୍ରଥମ ରାତି । ପ୍ରଥମ ଦିନ ରାତ୍ରିଭୋଜନରେ ଦିଆଗଲା ରୁଟି, ଡାଲି ଓ ଭାତ । ୧୯ ତାରିଖ ପର୍ଯ୍ୟନ୍ତ ତିହାର ଜେଲରେ ରହିବେ ଚିଦାମ୍ବରମ । ତେବେ ଜେଲରେ ଚିଦାମ୍ବରମଙ୍କ ପଡୋଶୀ ସାଜିଛନ୍ତି ଠକଙ୍କ ସହ ବିଛିନ୍ନତାବାଦୀ ନେତା | ଚିଦାମ୍ବରମଙ୍କ ପଡୋଶୀ ଭାବେ ଜମ୍ମୁକାଶ୍ମୀରର ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ, ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର ଦୁର୍ନୀତିର ଅଭିଯୁକ୍ତ କୃଷିଆନ ମିଶେଲ ରହିଛନ୍ତି | ସେହିପରି ଏହି ପଡୋଶୀଙ୍କ ତାଲିକାରେ ରତୁଲ ପୁରୀ ମଧ୍ୟ ରହିଛନ୍ତି | ରତୁଲ ପୁରୀ ହେଉଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା |

India Tv

ଏଠାରେ ସୂଚନା ଥାଉ କି ଜେଲ ନିଆଯିବା ପୂର୍ବରୁ ଚିଦାମ୍ବରମଙ୍କର ମେଡିକାଲ ଚେକଅପ୍ କରାଯାଇଥିଲା । ଚିଦାମ୍ବରମଙ୍କ ପକ୍ଷରୁ ଲଢ଼ୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲଙ୍କ ଶତଚେଷ୍ଟା ସତ୍ୱେ ଜେଲ ଯିବାରୁ ବର୍ତି ପାରିନାହାନ୍ତି ଚିଦାମ୍ବରମ । ଏପରିକି ଜେଲ ଯିବାରୁ ବର୍ତିବା ପାଇଁ ଚିଦାମ୍ବରମଙ୍କ ଓକିଲ ଟିମ୍, ତାଙ୍କୁ ଗିରଫ କରିବାକୁ ପ୍ରବର୍ତନ ନିର୍ଦ୍ଦେଶାଳୟକୁ ଅଫର କରିଥିଲା ।

କିନ୍ତୁ ଇଡି, କୋର୍ଟରେ ତା’ର ଆଭିମୁଖ୍ୟ ସ୍ପଷ୍ଟ କରିନଥିଲା । ଏହା ପରେ ଜଜଙ୍କ ଆଗରେ ଦୁଇଟି ବିକଳ୍ପ ରହିଥିଲା । ବେଲ ନ ହେଲେ ଜେଲ । ଶେଷରେ ବିଚାରପତି ତାଙ୍କୁ ଜେଲ ପଠାଇବା ପାଇଁ ରାୟ ଶୁଣାଇଥିଲେ । ତେବେ ଚିଦାମ୍ବରମଙ୍କ ଓକିଲଙ୍କ ଅନୁରୋଧ ଅନୁଯାୟୀ ତାଙ୍କୁ ୱେଷ୍ଟର୍ଣ୍ଣ ଟଏଲେଟ୍, ଚଷମା, ଔଷଧ, ସୁରକ୍ଷା ଓ ଅଲଗା ବାରାକ୍ ସମେତ ଆଉ କେତେକ ସୁବିଧା ଯୋଗାଇ ଦେବାକୁ ମଞ୍ଜୁରୀ ଦେଇଛନ୍ତି କୋର୍ଟ । ଏହା ସହିତ ଜେଡ-ପ୍ଲସ୍ ସୁରକ୍ଷାରେ ଥିବା ଚିଦାମ୍ବରମଙ୍କୁ ଜେଲରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ମଧ୍ୟ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ।

ସମ୍ବନ୍ଧିତ ଖବର