ନୂଆଦିଲ୍ଲୀ: ଗତ ଚାରିମାସ ପୂର୍ବରୁ ଘରଲୋକଙ୍କୁ ମିଛକଥା କହି ଅଞ୍ଜୁ ନାମକ ଜଣେ ବିବାହିତ ମହିଳା ପାକିସ୍ତାନର ପ୍ରେମିକଙ୍କ ପାଖକୁ ଚମ୍ପଟ ମାରିଥିଲେ। କିଛିଦିନ ମଧ୍ୟରେ ଭାରତ ଫେରି ଆସିବେ ବୋଲି ତାଙ୍କ ଘରଲୋକଙ୍କୁ ପ୍ରତିଶ୍ରୃତି ଦେଇଥିଲେ ହେଁ ଲୁଚିଲୁଚି ପାକିସ୍ତାନ ପ୍ରେମିକଙ୍କୁ ବିବାହ କରି ଅଞ୍ଜୁରୁ ଫାତିମା ହୋଇ ଯାଇଥିଲେ ଭାରତୀୟ ମହିଳା।

Advertisment

ଅଞ୍ଜୁ ଓରଫ ଫାତିମା ନଭେମ୍ବର ୨୯ ତାରିଖରେ ଭାରତ ଫେରି ଆସିଛନ୍ତି। ନିକଟରେ ଅଞ୍ଜୁଙ୍କୁ ନେଇ ଏକ ସାକ୍ଷାତକାର ହୋଇଥିଲା। ଏହି ସାକ୍ଷାତକାରରେ ଅଞ୍ଜୁ ଯେଉଁସବୁ କଥା କହିଛନ୍ତି ଆପଣମାନେ ବି ଶୁଣି‌ଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଅଞ୍ଜୁ ସାକ୍ଷାତକାର ସମୟରେ କହିଥିଲେ, ‘ବର୍ତ୍ତମାନ ମୁଁ ଦିଲ୍ଲୀରେ ଅଛି। ଏହା ପୂର୍ବରୁ ହରିୟାଣାରେ ଥିଲି। ଯେଉଁମାନେ କହୁଛନ୍ତି କି ପିଲାଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ ଏହା ମିଥ୍ୟା ଅଟେ। କାରଣ ମୋର ପିଲାଙ୍କ ସହିତ ଯୋଗାଯୋଗ ଅଛି। ସେମାନେ ମୋ ସହିତ କଥା ବି ‌ହେଉଛନ୍ତି। ଏମିତି କି ଅରବିନ୍ଦ ସହ ବି ମୁଁ କଥା ହେଉଛି। ଆମ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହେବ ନା ନାହିଁ ଏହା ଆମର ବ୍ୟକ୍ତିଗତ କଥା। ଯାହାକୁ ମୁଁ ଆପଣମାନଙ୍କୁ ଜଣାଇ ପାରିବି ନାହିଁ। ଯାହାବି ହେବେ ଆପଣମାନେ ନିଶ୍ଚୟ ଜାଣିବେ।

ଦୁଇମାସ ମଧ୍ୟରେ ନସରୁଲ୍ଲାହ ପାକିସ୍ତାନରୁ ଭାରତ ଚାଲି ଆସିବେ। ମୁଁ ମୋର ସମସ୍ୟା ଭାରତରେ ହିଁ ସମାଧାନ କରିଦେବାକୁ ଚାହେଁ। ଏହାପରେ ଯାଇ ନସରୁଲ୍ଲାହଙ୍କୁ ଏଠାକୁ ଡାକିବି। ବାପା ମୋ ସହିତ କଥା ହେଉ ନଥିବା ବେଳେ ମା’ କଥା ହେଉଛନ୍ତି। ମୁଁ ଏବେ ଏକା ରହୁଛି।

ମୋତେ କାହାରି ସହାଯ୍ୟ ଲୋଡା ନାହିଁ। ଯେତିକି ପାରିବି ସେତିକି କରିବି। ମୁଁ କହିଥିଲି ଭାରତ ଆସିଲେ ପୁଲିସର ସମସ୍ତ ପ୍ରଶ୍ନର ଉତ୍ତର ଦେବି କିନ୍ତୁ ମୁଁ ଯେତେବେଳେ ସୀମାରେ ପହଞ୍ଚିଥିଲି ମୋତେ ଚାରିଆଡୁ ପ୍ରଶ୍ନବାଣ କରାଯାଇଥିଲା। ଯାତ୍ରା କରି ମୁଁ ଥକି ଯାଇଥିବାରୁ କୌଣସି ପ୍ରଶ୍ନର ଉତ୍ତର ଦେଇ ପାରି ନଥିଲି।

ମୁଁ ଆଗାମୀ ଦିନରେ ଅରବିନ୍ଦ କି ନସରୁଲ୍ଲାହ କାହା ପାଖରେ ରହିବି ସେନେଇ ଏଯାବତ କିଛି ସ୍ପଷ୍ଟ ହୋଇନାହିଁ। ବାସ ଏତିକି ପ୍ରାର୍ଥନା ସବୁ ସମସ୍ୟାର ସମାଧାନ ହୋଇଗଲେ ମୁଁ ଭାରତ ଓ ପାକିସ୍ତାନ ଛାଡ଼ି ଦୁବାଇ ଚାଲିଯିବି।  ସେଠାରେ ମୋର ପିଲାଙ୍କୁ ଧରି ବସବାସ କରିବି। କାରଣ ଦୁବାଇ ହେଉଛି ‌ମୋର ସ୍ବପ୍ନର ସହର।’