୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ହେଉନାହିଁ କି ୧୦୦୦ ଟଙ୍କିଆ ନୋଟର ପୁନଃ ପ୍ରଚଳନ ହେଉ ନାହିଁ; ଭାଇରାଲ ହେଉଥିବା ଖବର ମିଥ୍ୟା; ସ୍ପଷ୍ଟକଲା ପିଆଇବି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୁଣିଥରେ ୨୦୦୦ ଟଙ୍କିଆ ନୋଟକୁ ପ୍ରତ୍ୟାହାର କରିନେଇ ଆଉଥରେ ୧୦୦୦ ଟଙ୍କିଆ ନୋଟର ପୁନଃ ପ୍ରଚଳନ କରିବେ ବୋଲି କିଛି ସୋସିଆଲ ମିଡିଆରେ ଯେଉଁ ପ୍ରଚାର ଚାଲିଛି, ତାହା ସଂପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ଏପରି ଖବରର କୌଣସି ଆଧାର ନାହିଁ କିମ୍ବା କେନ୍ଦ୍ର ସରକାରଙ୍କର ମଧ୍ୟ ଏପରି କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ସରକାରଙ୍କର ନିୟନ୍ତ୍ରଣାଧୀନ ପ୍ରେସ୍‌ ଇନ୍‌ଫରମେସନ୍‌ ବ୍ୟୁରୋ (ପିଆବି) ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି।

ପିଆଇବି ପକ୍ଷରୁ କୁହାଯାଇଛି ଯେ କିଛି ସୋସିଆଲ ମିଡିଆରେ ଏବେ ଏକ ‘ମିଥ୍ୟା ଖବର’ ଘୂରି ବୁଲୁଛି। ଯେଉଁଥିରେ ଉଲ୍ଲେଖ ରହିଛି ଯେ ଚଳିତ ୨୦୧୯ ଡିସେମ୍ବର ୩୧ ତାରିଖ ପରଠାରୁ ଦେଶରେ ପ୍ରଚଳିତ ଥିବା ୨୦୦୦ ଟଙ୍କିଆ ନୋଟ ସବୁ ଅଚଳ ହୋଇ ପଡ଼ିବ। ଏପରି ଖବର ପାଇବା ପରେ ଲୋକେ ଆତଙ୍କିତ ହୋଇ ପଡ଼ୁଛନ୍ତି। ତେବେ, ଏପରି ଖବର ସଂପୂର୍ଣ୍ଣ ମିଥ୍ୟା ଭିତ୍ତିହୀନ ବୋଲି କହିଛି ପିଆଇବି।

ସେହିପରି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ମିଥ୍ୟା ପ୍ରଚାରିତ ଖବରରେ କେନ୍ଦ୍ର ସରକାର ପୁଣିଥରେ ୨୦୦୦ ଟଙ୍କିଆ ନୋଟକୁ ପ୍ରତ୍ୟାହାର କରିନେଇ ଆଉଥରେ ୧୦୦୦ ଟଙ୍କିଆ ନୋଟର ପୁନଃ ପ୍ରଚଳନ କରିବେ ବୋଲି ଯାହା ଉଲ୍ଲେଖ ରହିଛି ତାହା ମଧ୍ୟ ମିଥ୍ୟୃା ଓ ଭିତ୍ତିହୀନ ବୋଲି କହିଛି ପିଆଇବି।

ସମ୍ବନ୍ଧିତ ଖବର