କେରଳରେ ପୁଣିଥରେ ‘ନିପା’ ଆତଙ୍କ

କେନ୍ଦ୍ର ପଠାଇଲା‌ ସ୍ବତନ୍ତ୍ର ଟିମ୍‌

ନୂଆଦିଲ୍ଲୀ : କେରଳରେ ଏବେ ପୁଣି ମାରାତ୍ମକ ‘ନିପା’ ଭାଇରସ୍‌ ଆତଙ୍କ ଖେଳାଇ ଦେଇଛି। ଜଣେ ୨୩ ବର୍ଷୀୟ କଲେଜ୍‌ ଛାତ୍ର ନିପା‌ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବାବେଳେ ଅନ୍ୟ ୩୧୧ ଜଣ ଏବେ ନିରୀକ୍ଷଣରେ ଅଛନ୍ତି। ଗତ ବର୍ଷ ମେ’ରେ ନିପା ହେତୁ‌ କେରଳରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା। ତେବେ ପୁଣି ବର୍ଷେ ପରେ କେରଳରେ ନିପା ଭାଇରସ୍‌ ଭୟ ସୃଷ୍ଟି କରିଛି। ସ୍ଥିତି ସୁଧାରିବାପାଇଁ ଏବେ କେନ୍ଦ୍ର ସରକାର ଏକ ୬ ଜଣିଆ‌ ଟିମ୍‌ କେରଳ ପଠାଇଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ମଧ୍ୟ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କେକେ ଶୈଲଜାଙ୍କ ସହ ଏନେଇ କଥା ହୋଇଛନ୍ତି ଏବଂ କେନ୍ଦ୍ର ପକ୍ଷରୁ ନିପା ପାଇଁ କେରଳକୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ହର୍ଷ ବର୍ଦ୍ଧନ ଆଶ୍ବାସନା ଦେଇଛନ୍ତି।
ନିପାରେ ପୀଡ଼ିତ ଉକ୍ତ ଛାତ୍ର ଜଣଙ୍କ ଏର୍ନାକୁଲମ୍‌ ଜିଲ୍ଲାର। ସେ ଇଡ଼ୁକ୍କି ଜିଲ୍ଲାର ‌ଥୋଦୁପୁଝାରେ ଅଧ୍ୟୟନ କରୁଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଛାତ୍ର ଜଣଙ୍କ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ‌ହେଉଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି।

ସମ୍ବନ୍ଧିତ ଖବର