ନେପାଳ ସଂସଦରେ ବିବାଦୀୟ ମାନଚିତ୍ରକୁ ମଂଜୁରି, କୃତ୍ରିମ ସଂପ୍ରସାରଣ ଗ୍ରହଣୀୟ ନୁହେଁ: ଭାରତ

କାଠମାଣ୍ଡୁ: ନେପାଳ ସଂସଦରେ ଦେଶର ବିବାଦୀୟ ରାଜନୈତିକ ମାନଚିତ୍ରକୁ ନେଇ ଆଗତ ହୋଇଥିବା ସମ୍ବିଧାନ ସଂଶୋଧନ ବିଲ୍‌ ଆଜି ଗୃହୀତ ହୋଇଯାଇଛି। ବିଲ୍‌ ଉପରେ ଭୋଟ୍‌ ଗ୍ରହଣ ବେଳେ ବିରୋଧୀ ଦଳ ନେପାଳୀ କଂଗ୍ରେସ ଏବଂ ଜନତା ସମାଜବାଦୀ ପାର୍ଟି ସମ୍ବିଧାନର ତୃତୀୟ ଅନୁଚ୍ଛେଦରେ ସଂଶୋଧନ ସଂକ୍ରାନ୍ତ ବିଲ୍‌କୁ ସମର୍ଥନ କରିଥିଲେ। ଭାରତ ସହିତ ତିକ୍ତତା ଭିତରେ ଏହି ନୂଆ ମାନଚିତ୍ରରେ ଭାରତର ଲିପୁଲେଖ, କାଲାପାନି ଏବଂ ଲିମ୍ପିୟାଧୁରାକୁ ନେପାଳ ନିଜ ଅଂଚଳ ଭାବେ ଦର୍ଶାଇଛି। ନେପାଳ ନିଜ ମାନଚିତ୍ରରେ ୩୯୫ କିଲୋମିଟର ବ୍ୟାପୀ ଭାରତୀୟ ଅଂଚଳକୁ ନିଜର ବୋଲି ମାନଚିତ୍ରରେ ଦର୍ଶାଇବା ସମସ୍ତଙ୍କୁ ବିସ୍ମିତ କରିଛି।

ନେପାଳର ଏଭଳି ପଦକ୍ଷେପ ଆଗାମୀ ଦିନରେ ଭାରତ-ନେପାଳ ସଂପର୍କକୁ ତିକ୍ତତାର ଚରମ ସୀମାରେ ପହଞ୍ଚାଇବ ଏବଂ ଦ୍ବିପାକ୍ଷିକ ସଂପର୍କ ଗୁରୁତର ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି। ନେପାଳ ପୂର୍ବ ସଂପର୍କ ଏବଂ ଭାରତର ଉଦାରତାକୁ ଭୁଲି ଏବେ ଯେଭଳି ଆଚରଣ କରୁଛି ତାହା ଏହି ରାଷ୍ଟ୍ର ପାଇଁ ଘାତକ ସାବ୍ୟସ୍ତ ହେବ ବୋଲି ଅନେକ କୂଟନୀତି ବିଶେଷଜ୍ଞ ମତ ଦେଇଛନ୍ତି। ଆଜି ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ନେପାଳର ମାନଚିତ୍ରରେ ଯେଉଁ କୃତ୍ରିମ ସଂପ୍ରସାରଣ କରାଯାଇଛି ତାହା ଗ୍ରହଣୀୟ ନୁହେଁ। ଐତିହାସିକ ତଥ୍ୟ ଓ ପ୍ରମାଣ ନଥାଇ ଏଭଳି ମାନଚିତ୍ରର କିଛି ଅର୍ଥନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି। ଲିପୁଲେଖ ଦେଇ କୈଳାସ ମାନସରୋବର ଯିବା ପାଇଁ ଏକ ରାସ୍ତାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଦ୍‌ଘାଟନ କରିବା ପରେ ଏହାକୁ ବିରୋଧ କରି ନେପାଳ ଏଭଳି ମାନଚିତ୍ର ଜାରି କରିଛି। ନେପାଳ ସରକାର ଆଲୋଚନା ପାଇଁ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଉଚିତ ବୋଲି ଭାରତ ଚେତାଇ ଦେଇଛି।

ସମ୍ବନ୍ଧିତ ଖବର