ନେପାଳରେ ଅସିଦ୍ଧ ହେଲା ଭାରତୀୟ ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌

କାଠମାଣ୍ଡୁ: ନେପାଳରେ ଭାରତୀୟ ୧୦୦ ଟଙ୍କିଆ ମୁଦ୍ରା ଉପରର ସମସ୍ତ ମୁଦ୍ରାକୁ ଅସିଦ୍ଧ ଘୋଷଣା କରାଯାଇଛି। ନେପାଳରେ ଆଉ ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ଭାରତୀୟ ମୁଦ୍ରା ଚଳିବ ନାହିଁ। ଏହା ଦ୍ୱାରା ହିମାଳୟ ପାଦଦେଶରେ ଅବସ୍ଥିତ ଏହି ଦେଶକୁ ବୁଲିବାକୁ ଯାଉଥିିବା ପର୍ଯ୍ୟଟକମାନେ ତ ହଇରାଣ ହେବେ, ଭାରତରେ ବ୍ୟବସାୟ ଠାରୁ ଆରମ୍ଭ କରି ଶ୍ରମିକଭାବେ କାର୍ଯ୍ୟ କରୁଥିବା ହଜାର ହଜାର ନେପାଳୀ ଲୋକ ମଧ୍ୟ ଏହା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଉଛି।
ସୂଚନା ଯୋଗ୍ୟ ଯେ ନେପାଳରେ ଭାରତୀୟ ମୁଦ୍ରାର ବହୁଳ ପ୍ରଚଳନ ହୋଇଥାଏ। ଏପରିକି ନେପାଳର ଲୋକେ ସେମାନଙ୍କ ସଞ୍ଚୟ ମଧ୍ୟ ଭାରତୀୟ ଟଙ୍କାକୁ ନେଇ କରିଥାନ୍ତି। କିନ୍ତୁ ଏବେ ନେପାଳ ସରକାର ଲୋକମାନଙ୍କୁ କହିଛନ୍ତି ଯେ ସେମାନେ ଆଉ ଶହେ ଟଙ୍କିଆ ଉପରକୁ ଭାରତୀୟ ଟଙ୍କାକୁ ସଞ୍ଚୟ କରନ୍ତୁ ନାହିଁ।ଏପରିକି ଏହି ଟଙ୍କା କୁ ସେମାନେ ନିଜ ପାଖରେ ମଧ୍ୟ ରଖନ୍ତୁ ନାହିଁ, ବ୍ୟବହାର କରନ୍ତୁ ନାହିଁ ବୋଲି ନେପାଳ ସରକାର କହିଛନ୍ତି। ନେପାଳ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଗୋକୁଳ ପ୍ରସାଦ ବାସ୍କୋଟା କହିଛନ୍ତି ଯେ ନେପାଳ ସରକାର ଭାରତୀୟ ୨୦୦, ୫୦୦ ଓ୨୦୦୦ଟଙ୍କିଆ ନୋଟ୍‌ ବ୍ୟବହାରକୁ ଅସିଦ୍ଧ ଘୋଷଣା କରିବାକୁ ନିଷ୍ପତ୍ତି ନେବା ସହିତ ଏହାର ବ୍ୟବହାର ନ କରିବାକୁ ଲୋକମାନଙ୍କୁ କହିଛନ୍ତି। ଏ ନେଇ ନେପାଳ ସରକାର ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବେ ବୋଲି ଶ୍ରୀ ବାସ୍କୋଟା କହିଛନ୍ତି।

ତେବେ ନେପାଳ ସରକାରଙ୍କ ଏହି ନିଷ୍ପତ୍ତି ଭାରତରେ ଶ୍ରମିକଭାବେ କାର୍ଯ୍ୟ କରୁଥିବା ନେପାଳୀମାନଙ୍କ ଆର୍ଥିକ ସ୍ଥିତିକୁ ଗଭୀର ଭାବେ ପ୍ରଭାବିତ କରିବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ ଯେ ୨୦୧୬ ମସିହା ନଭେମ୍ବର ୮ ତାରିଖ ଦିନ ଭାରତ ସରକାର ୪୫ଶହ ଓ ୧୦୦୦ ଟଙ୍କିଆ ନୋଟ୍‌ର ବମୁଦ୍ରୀକରଣ କରିବା ସହିତ ନୂଆ ୨ଶହ, ୫ଶହ ଓ ୨ ହଜାର ଟଙ୍କିଆ ନୋଟ୍‌ ପ୍ରଚଳନ କରିଥିଲେ। ଏହି ନୂଆ ଟଙ୍କା ମଧ୍ୟ ନେପାଳରେ ଖୁବ ଯୋରରେ ବ୍ୟବହାର ହେଉଛି। ବିମୁଦ୍ରୀକରଣ ପରେ ଭାରତୀୟ ଟଙ୍କାକୁ ନେଇ ଯେଉଁ ସମସ୍ୟା ନେପାଳରେ ଦେଖାଦେଇଥିଲା, ଏ ନେଇ ନେପାଳର ନୂଆ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭାରତୀୟ ନେତୃତ୍ୱ ସହିତ କଥାବାର୍ତ୍ତା କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର