ନେପାଳ ହେଲିକପ୍ଟର ଦୁଘର୍ଟଣାରେ ପାଇଲଟ ସମେତ ୬ ମୃତ, ମହିଳା ଯାତ୍ରୀ ଉଦ୍ଧାର 

କାଠମାଣ୍ଡୁ: କେନ୍ଦ୍ରୀୟ ନେପାଳର ପାର୍ବତ୍ୟାଞ୍ଚଳ ଦେଇ ଶନିବାର ସକାଳୁ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ, ପାଇଲଟ ସମେତ ୬ଜଣଙ୍କର ମୃତ୍ୟୁ ହୋଇଛି। ହେଲିକପ୍ଟର ଦୁର୍ଘଟଣାରୁ ଜଣେ ମହିଳା ଯାତ୍ରୀ ବଞ୍ଚିଯାଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିବା ହେଲିକପ୍ଟର ‘ଅଲ୍ଟିଚୁଡ ଏୟାର ହେଲିକପ୍ଟର’ ୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ଏଥିରେ ଜଣେ ଜାପାନୀ ଟ୍ରିକେର ମଧ୍ୟ ଯାତ୍ରୀ ଥିଲେ। ଗୋରଖା ଜିଲ୍ଲା ଦେଇ ଯାଉଥିବା ହେଲିକପ୍ଟର ପାଇଲଟ ଏୟାର ଟ୍ରାଫ୍ରିକ କଣ୍ଟ୍ରୋଲ ସହିତ ସଂପର୍କ କରିପାରି ନଥିଲେ। ଏହାପରେ ସେ ଭାରସାମ୍ୟ ହରାଇଥିଲେ। ଫଳରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇ ନିମ୍ନଗାମୀ ହୋଇଥିଲା।

କାଠମାଣ୍ଡୁ ବିମାନବନ୍ଦର ମହାପ୍ରବନ୍ଧକ ରାଜ କୁମାର ଛେତ୍ରୀ କହିଛନ୍ତି ଦଧିଙ୍ଗ ଜିଲ୍ଲାର ପଡୋଶୀ ଜିଲ୍ଲାରେ ଥିବା ପାର୍ବତ୍ୟାଞ୍ଚଳରେ ହେଲିକପ୍ଟର ଦୁର୍ଘଟଣା ଘଟିଛି। ଆମେ ଦୁର୍ଘଟଣାସ୍ଥଳକୁ ପହଞ୍ଚିବାକୁ ଉଦ୍ୟମ କରୁଛୁ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନେପାଳରେ ଘରୋଇ ହେଲିକପ୍ଟର ଶିଳ୍ପ ବଢୁଛି। ନେପାଳରେ ସଡ଼କ ପଥ ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିବାରୁ ପର୍ଯ୍ୟଟକମାନଙ୍କୁ ହେଲିକପ୍ଟର ମାଧ୍ୟମରେ ଦୁର୍ଗମ ସ୍ଥାନକୁ ନିଆଯାଇ ଘରୋଇ ହେଲିକପ୍ଟର କମ୍ପାନିମାନେ ଭଲ ଟଙ୍କା ରୋଜଗାର କରୁଛନ୍ତି।

ସମ୍ବନ୍ଧିତ ଖବର