କାଠମାଣ୍ଡୁ: ନେପାଳର ପାର୍ବତ୍ୟାଞ୍ଚଳ ମୁସ୍ତାଙ୍ଗ ଜିଲ୍ଲାରେ ଘଟିଥିବା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚାରି ଜଣ ଭାରତୀୟ (ଓଡ଼ିଆ)ଙ୍କ ମୃତଦେହ କାଠମାଣ୍ଡୁର ପବିତ୍ର ପଶୁପତିନାଥ ମନ୍ଦିର ପରିସରରେ ଅନ୍ତିମ ସଂସ୍କାର କରାଯାଇଛି।

Advertisment

ଭୁବନେଶ୍ୱରରେ ରହୁଥିବା ୫୪ ବର୍ଷ ବୟସ୍କ ବ୍ୟବସାୟୀ ଅଶୋକ କୁମାର ତ୍ରିପାଠୀ ଏବଂ ତାଙ୍କ ଥାନେସ୍ଥିତ ବିଚ୍ଛିନ୍ନ ପତ୍ନୀ ୫୧ ବର୍ଷୀୟ ବୈଭବୀ ବନ୍ଦେକର ତ୍ରିପାଠୀ ସେମାନଙ୍କ ପୁଅ ୨୨ ବର୍ଷୀୟ ଧନୁଷ ଏବଂ ୧୫ ବର୍ଷ ବୟସ୍କା ଝିଅ ରିତିକାଙ୍କ ସହ ହିମାଳୟର ପାଦଦେଶକୁ ଏକ ପୁନର୍ମିଳନ ଯାତ୍ରାରେ ଯାଇଥିଲେ। ହେଲେ, ବିଧିର ବିଧାନ ଥିଲା ବିଚିତ୍ର। ଦୁର୍ଘଟଣା ଗ୍ରସ୍ତ ବିମାନରେ ଯାତ୍ରା କରୁଥିବା ୪ ଜଣ ଯାକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

ଗୁରୁବାର, ପରିବାରର ଚାରି ଜଣ ସଦସ୍ୟଙ୍କ ଅନ୍ତିମ ସଂସ୍କାର କରାଯିବା ସମୟରେ ତ୍ରିପାଠୀଙ୍କ ଭାଇ ଏବଂ ଭାଉଜ ଉପସ୍ଥିତ ଥିଲେ। ବାଗମତୀ ନଦୀ କୂଳରେ ଅବସ୍ଥିତ କାଠମାଣ୍ଡୁର ପ୍ରସିଦ୍ଧ ପଶୁପତିନାଥ ମନ୍ଦିର ନେପାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ମନ୍ଦିର ମଧ୍ୟରୁ ଅନ୍ୟତମ। ସେଇଠାରେ ହିଁ କରାଯାଇଥିଲା ଏମାନଙ୍କର ଅନ୍ତିମ ସଂସ୍କାର। ଏହା ପୂର୍ବରୁ କାଠମାଣ୍ଡୁର ତ୍ରିଭୁବନ ବିଶ୍ୱବିଦ୍ୟାଳୟ ଡାକ୍ତରଖାନାରେ ଶବଗୁଡ଼ିକର ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା।

publive-image Image Courtesy: Himalaya Times

ସୋମବାର ଉଦ୍ଧାରକାରୀମାନେ ଦୁର୍ଘଟଣାଗ୍ରସ୍ତ ତାରା ଏୟାରର ବିମାନର ଧ୍ୱଂସାବଶେଷ ସ୍ଥାନରୁ ୨୧ଟି ମୃତଦେହ ଉଦ୍ଧାର କରିଥିବା ବେଳେ ମଙ୍ଗଳବାର ଦିନ, ଶେଷ ମୃତଦେହକୁ ମଧ୍ୟ ଧ୍ୱଂସାବଶେଷ ସ୍ଥାନରୁ ଉଦ୍ଧାର କରା ଯାଇଥିଲା।
ଉଲ୍ଲେଖଯୋଗ୍ୟ, କାନାଡା ନିର୍ମିିତ ଟର୍ବୋପ୍ରୋପ୍‌ ଟ୍ଵିନ୍‌ ଇଞ୍ଜନ ବିଶିଷ୍ଟ ୯ଏନ୍‌-ଏଇଟି ବିମାନ, ତାରା ଏୟାର, ଚାରି ଜଣ ଭାରତୀୟ, ଦୁଇ ଜଣ ଜର୍ମାନ ଏବଂ ୧୩ ଜଣ ନେପାଳୀ ଯାତ୍ରୀଙ୍କ ସମେତ ତିନି ଜଣିଆ ନେପାଳୀ କ୍ରୁୁ ସଦସ୍ୟଙ୍କୁ ଧରି ରବିବାର ଦିନ ପର୍ଯ୍ୟଟନ ସହର ପୋଖରାରୁ ଉଡ଼ାଣ ଆରମ୍ଭ କରିବାର କିଛି ମିନିଟ୍‌ ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।

ତାରା ଏୟାର ବିମାନ ଦୁର୍ଘଟଣାର କାରଣ ଜାଣିବା ପାଇଁ ନେପାଳ ସରକାର ବରିଷ୍ଠ ଏରୋନଟିକାଲ ଇଞ୍ଜିନିୟର ରତିଶ ଚନ୍ଦ୍ର ଲାଲ ସୁମନଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ତଦନ୍ତ ଆୟୋଗ ଗଠନ କରିଛନ୍ତି। ନେପାଳର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ସିଏଏଏନ) ଦ୍ୱାରା କରାଯାଇଥିବା ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ବିମାନ ଦୁର୍ଘଟଣା ପଛର ଖରାପ ପାଗ ଥିଲା। ବିମାନର ବ୍ଲାକ୍‌ ବକ୍ସକୁ ମଙ୍ଗଳବାର ଦିନ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି।