ବିଧିର ବିଚିତ୍ର ବିଧାନ! ପୁନର୍ମିଳନ ପାଇଁ ଆରମ୍ଭ ହୋଇଥିବା ଯାତ୍ରାର ଦୁଃଖଦ ସମାପ୍ତି ଘଟିଲା ନେପାଳ ବିମାନ ଦୁର୍ଘଟଣାରେ

କାଠମାଣ୍ଡୁ/ ମୁମ୍ବାଇ: ବିଧିର ବିଧାନ ବଡ଼ ବିଚିତ୍ର! ଏହିପରି ଏକ ବିଚିତ୍ର ଓ ଅଭାବନୀୟ ଘଟଣା ଏବେ ଦେଖିବା ପାଇଁ ମିଳିଛି ନେପାଳରେ ଗତ ରବିବାର ଦିନ ଘଟି ଯାଇଥିବା ବିମାନ ଦୁର୍ଘଟଣାରେ। ଦୀର୍ଘ ବର୍ଷର ବିଚ୍ଛେଦ ପରେ ଆଉଥରେ ପୁନର୍ମିଳନ କରି ନିଜ ଜୀବନ ହସଖୁସିରେ ଆରମ୍ଭ କରିବାର ସ୍ୱପ୍ନ ଧରି ଏହି ବିମାନରେ ଯାତ୍ରା କରୁଥିବା ଓଡ଼ିଶାର ଅଶୋକ କୁମାର ତ୍ରିପାଠୀ ଏବଂ ଥାନେରେ ରହୁଥିବା ତାଙ୍କ ପତ୍ନୀ ବୈଭବୀ ସେମାନଙ୍କ ଦୁଇ ପିଲାଙ୍କ ସହିତ ନେପାଳର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ପୁନର୍ମିଳନ ପାଇଁ ଆରମ୍ଭ ହୋଇଥିବା ଯାତ୍ରାର ଏକ ବିୟୋଗାନ୍ତକ ପରିସମାପ୍ତି ଘଟିଛି।

ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ପ୍ରକାଶ, ଓଡ଼ିଶାରେ ଏକ କମ୍ପାନି ଚଳାଉଥିବା ୫୪ ବର୍ଷୀୟ ଅଶୋକ ତ୍ରିପାଠୀ ଏବଂ ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ଏକ ଫାର୍ମରେ କାମ କରୁଥିବା ତାଙ୍କର ପତ୍ନୀ ୫୧ ବର୍ଷୀୟ ବୈଭବୀ ବନ୍ଦେକର ତ୍ରିପାଠୀ କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଲଗା ହୋଇ ଯାଇଥିଲେ ବୋଲି ଥାନେର କପୁରଓ୍ଵାଡ଼ି ପୁଲିସ ଷ୍ଟେସନର ଜଣେ ଅଧିକାରୀ ସୋମବାର କହିଛନ୍ତି।

ବୈଭବୀ, ତାଙ୍କ ପୁଅ ୨୨ ବର୍ଷ ବୟସ୍କ ଧନୁଷ ଏବଂ ୧୫ ବର୍ଷ ବୟସ୍କା ଝିଅ ରିତିକା ଥାନେ ସହରର ବାଲକୁମ ଅଞ୍ଚଳରେ ଥିବା ରୁସ୍ତମଜୀ ଆଥେନା ଆପାର୍ଟମେଣ୍ଟରେ ରହୁଥିଲେ।

ପୁଲିସ ଅଧିକାରୀ କହିଛନ୍ତି ଯେ ବୈଭବୀଙ୍କ ୮୦ ବର୍ଷ ବୟସ୍କା ମା’ ହେଉଛନ୍ତି ଥାନେରେ ଥିବା ଘରେ ଏବେ ପରିବାରର ଏକମାତ୍ର ବ୍ୟକ୍ତି। ଯେହେତୁ ସେ ଏବେ ଅସୁସ୍ଥ ଅଛନ୍ତି ଏବଂ ବର୍ତ୍ତମାନ ଅମ୍ଳଜାନ ସହାୟତାରେ ଅଛନ୍ତି, ସେମାନଙ୍କ ସମ୍ପର୍କୀୟ ଏବଂ ପଡ଼ୋଶୀମାନେ ତାଙ୍କୁ ବିମାନ ଦୁର୍ଘଟଣାର ଦୁଃଖଦ ଘଟଣା ବିଷୟରେ କିଛି କହିନାହାନ୍ତି। ବର୍ତ୍ତମାନର ଏହି ଦୁଃଖଦ ପରିସ୍ଥିତିରେ ବୃଦ୍ଧା ମହିଳାଙ୍କ ସାନ ଝିଅ ବର୍ତ୍ତମାନ ତାଙ୍କର ଯତ୍ନ ନେଉଛି ବୋଲି ପୁଲିସ କହିଛି।

ଅଶୋକ ତ୍ରିପାଠୀ, ବୈଭବୀ ଏବଂ ସେମାନଙ୍କର ଦୁଇ ପିଲା ରବିବାର ଦିନ ତାରା ଏୟାରଲାଇନ୍‌ସ ବିମାନରେ ଚଢିଥିଲେ, ଯାହାର ଧ୍ୱଂସାବଶେଷ ସୋମବାର ନେପାଳର ପାର୍ବତ୍ୟ ମୁସ୍ତାଙ୍ଗ ଜିଲ୍ଲାରୁ ମିଳିଥିଲା। ଟ୍ଵିିନ୍‌ ଇଞ୍ଜନ ବିଶିଷ୍ଟ ୯ଏନ୍‌-ଏଇଟି ବିମାନରେ ତିନି ଜଣ ନେପାଳୀ କ୍ରୁ ସଦସ୍ୟଙ୍କ ବ୍ୟତୀତ ଚାରି ଜଣ ଭାରତୀୟ ନାଗରିକ, ଦୁଇ ଜଣ ଜର୍ମାନ ଏବଂ ୧୩ ଜଣ ନେପାଳୀ ଯାତ୍ରୀ ଥିଲେ।

ନେପାଳ ବିମାନ ଚଳାଚଳ ବିଭାଗର ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ପର୍ଯ୍ୟଟନ ସହର ପୋଖରାରୁ ଉଡ଼ାଣ ଭରିବାର କିଛି ମିନିଟ୍‌ ପରେ ହିମାଳୟ ରାଷ୍ଟ୍ରର ପାର୍ବତ୍ୟ ଅଞ୍ଚଳରେ ରବିବାର ସକାଳେ ବିମାନଟି ନିଖୋଜ ହୋଇ ଯାଇଥିଲା।

ସମ୍ବନ୍ଧିତ ଖବର