କାଠମାଣ୍ଡୁ: ନେପାଳରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଆଜି ‘ଜେନ୍‌ ଜେଡ୍‌’ କାର୍ଯ୍ୟକର୍ତ୍ତାମାନେ ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କୀଙ୍କୁ ଅନ୍ତରୀଣ ସରକାରର ନେତା ଭାବେ ଚୟନ କରିଛନ୍ତି। ଏହି ନିଷ୍ପତ୍ତି ୫,୦୦୦ରୁ ଅଧିକ ଯୁବକଙ୍କ ସହଭାଗିତାରେ ଦେଶବ୍ୟାପୀ ଭର୍ଚୁଆଲ୍‌ ବୈଠକରେ ନିଆଯାଇଛି। ଦୁର୍ନୀତି, ଖରାପ ଶାସନ ଓ ସରକାରୀ ଦମନ ନୀତି ବିରୋଧରେ ଯୁବକମାନେ କ୍ଷୁବ୍ଧ ଥିବା ବେଳେ ଦେଶରେ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ଉପଯୁକ୍ତ ନେତା ଚୟନ ଉପରେ ଗୁରୁତ୍ବାରୋପ କରାଯାଇଛି। ପ୍ରାରମ୍ଭରେ କାଠମାଣ୍ଡୁର ମେୟର ବାଲେନ ଶାହ ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟ ଥିଲେ। କିନ୍ତୁ ସେ ସମ୍ପର୍କ ସ୍ଥାପନ ପାଇଁ ସହଯୋଗ ନ କରିବାରୁ ସୁଶୀଳା କାର୍କୀଙ୍କୁ ଚୟନ କରାଯାଇଛି। ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ନେପାଳ ବିଦ୍ୟୁତ୍‌ ପ୍ରାଧିକରଣର ମୁଖ୍ୟ କୁଲମାନ ଘିସିଂ, ସାଗର ଧକାଲ ଓ ହର୍କା ସମ୍ପାଙ୍ଗ ମଧ୍ୟ ଏହି ଦୌଡ଼ରେ ଥିଲେ। ତେବେ କାର୍କୀ ୨,୫୦୦ରୁ ଅଧିକ ସଦସ୍ୟଙ୍କ ସମର୍ଥନ ପାଇ ଶୀର୍ଷ ପ୍ରାର୍ଥୀ ହୋଇଥିଲେ।

Advertisment

୭୨ ବର୍ଷୀୟା ସୁଶୀଳା କାର୍କୀ ୨୦୧୬ରେ ନେପାଳର ପ୍ରଥମ ମହିଳା ପ୍ରଧାନବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଶିକ୍ଷକ ଭାବେ କ୍ୟାରିୟର ଆରମ୍ଭ କରି ସେ ବିଚାର ବିଭାଗରେ ଯୋଗ ଦେଇଥିଲେ। ୨୦୦୯ରେ ସୁପ୍ରିମକୋର୍ଟରେ ଆଡହକ୍‌ ବିଚାରପତି ହେବା ପରେ ପରବର୍ତ୍ତୀ ସମୟରେ ସେ ପ୍ରଧାନ ବିଚାରପତି ହୋଇଥିଲେ। ତାଙ୍କ ନିଷ୍ଠା ଓ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଯୁବକମାନଙ୍କ ମଧ୍ୟରେ ତାଙ୍କୁ ଲୋକପ୍ରିୟ କରିଛି। ଯଦି କାର୍କୀ ରାଜି ହୁଅନ୍ତି, ତା’ହେଲେ ସେ ପ୍ରଥମେ ସେନା ମୁଖ୍ୟ ଜେନେରାଲ ଆଶୋକ ରାଜ ସିଗଦେଲଙ୍କ ସହ ଆଲୋଚନା କରିବେ। ସୂଚନାଯୋଗ୍ୟ, ଦୁର୍ନୀତି ବିରୋଧୀ ଆନ୍ଦୋଳନ ହିଂସାତ୍ମକ ହେବା ପରେ ଅତି କମ୍‌ରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରତିବାଦକାରୀମାନେ ସଂସଦ ଭବନ, ସୁପ୍ରିମ୍‌କୋର୍ଟ, ରାଷ୍ଟ୍ରପତି କାର୍ଯ୍ୟାଳୟ ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମେତ ଗୁରୁତ୍ୱପୂର୍ଣ୍ଣ ସରକାରୀ ଭବନରେ ନିଆଁ ଲଗାଇ ଦେଇଛନ୍ତି। ୫୦ରୁ ଅଧିକ ବରିଷ୍ଠ ନେତା, ମନ୍ତ୍ରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ ହୋଇଛି।