କାଠମାଣ୍ଡୁ: ସୋମବାର ଆରମ୍ଭ ହୋଇଥିବା ଜେନ୍-ଜି ବିପ୍ଲବ ଦ୍ବିତୀୟ ଦିନ ମଧ୍ୟ ଜାରି ରହିଛି। ସରକାର ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇସାରିଥିଲେ ବି କାଠମାଣ୍ଡୁର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ମଙ୍ଗଳବାର ସକାଳଠାରୁ ପ୍ରଦର୍ଶନକାରୀମାନେ ସଂସଦ ଭବନ ବାହାରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି। ନେପାଳରେ ରାଷ୍ଟ୍ରପତି ଭବନରେ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଛନ୍ତି। ନେପାଳରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ବୃଦ୍ଧି ପାଉଥିବା ଦୁର୍ନୀତି ବିରୋଧରେ ପ୍ରତିବାଦ ଏବେ ହିଂସାତ୍ମକ ରୂପ ନେଇଛି। ରାଜଧାନୀ କାଠମାଣ୍ଡୁର ପରିସ୍ଥିତି ଅନିୟନ୍ତ୍ରିତ ହେବାରେ ଲାଗିଛି। ଏନେଇ କାଠମାଣ୍ଡୁର ମହାରାଜଗଞ୍ଜ ସେନା ବାରାକକୁ ଭିଆଇପିମାନଙ୍କୁ ସ୍ଥାନାନ୍ତର କରାଯାଉଛି।

Advertisment

ସୂଚନା ମୁତାବକ, ହିଂସା ବଢ଼ୁଥିବା ଦେଖି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନେପାଳ ସେନା ମୁଖ୍ୟ ଜେନେରାଲ ଅଶୋକ ରାଜ ସିଗଡେଲଙ୍କ ସହ କଥା ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ବାସଭବନରୁ ତାଙ୍କର ନିରାପଦ ପ୍ରସ୍ଥାନ ସୁନିଶ୍ଚିତ କରିବା ପାଇଁ ସାମରିକ ସହାୟତା ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ଓଲି। କୁହାଯାଉଛି ଯେ, ସେନା ମୁଖ୍ୟ ଜେନେରାଲ ଅଶୋକ ରାଜ, ଓଲିଙ୍କୁ ପଦ ଛାଡିବାକୁ ପରାମର୍ଶ ଦେଇଛନ୍ତି। ସେନା ମୁଖ୍ୟ କହିଛନ୍ତି ଯେ, ଯଦି ସେ କ୍ଷମତା ପରିତ୍ୟାଗ କରନ୍ତି ତେବେ ସାମରିକ ବାହିନୀ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିପାରିବ। 

ଜାତୀୟ ଗଣମାଧ୍ୟମ ଅନୁଯାୟୀ, ସରକାରୀ କୋଠା ଏବଂ ବାସଭବନରେ ନିଆଁ ଲଗାଇବା ପରେ, ପ୍ରଦର୍ଶନକାରୀମାନେ କାଠମାଣ୍ଡୁର ହିଲଟନ ହୋଟେଲରେ ମଧ୍ୟ ଭଙ୍ଗାରୁଜା ଏବଂ ନିଆଁ ଲଗାଇ ଦେଇଛନ୍ତି, ଯାହା ଶାସକ ଦଳର ଜଣେ ନେତାଙ୍କ ମାଲିକାନାରେ ଥିଲା। ପ୍ରଦର୍ଶନକାରୀମାନେ ବରିଷ୍ଠ ରାଜନୈତିକ ନେତାଙ୍କ ଘର ଏବଂ କାର୍ଯ୍ୟାଳୟକୁ ଟାର୍ଗେଟ କରିଚାଲିଛନ୍ତି। ନେପାଳର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ବାସଭବନ ସମେତ ଅନେକ ନେତାଙ୍କ ବାସଭବନ ଉପରେ ଆକ୍ରମଣ, ଭଙ୍ଗାରୁଜା ଏବଂ ନିଆଁ ଲଗାଇ ଦିଆଯାଇଛି। ଏବେ ପରିସ୍ଥିତି ଗମ୍ଭୀର ହେଉଥିବାରୁ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ତାଙ୍କ ସରକାରୀ ବାସଭବନରୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ଯୋଜନା କରୁଛି ‌ସେନା।

ତେବେ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ୩୦୦ରୁ ଅଧିକ ସାମରିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେନା ହେଲିକପ୍ଟର ଯୋଗେ ମନ୍ତ୍ରୀମାନଙ୍କୁ ସେମାନଙ୍କ ସରକାରୀ ବାସଭବନରୁ ବାହାର କରାଯାଉଛି। ପ୍ରମୁଖ ସରକାରୀ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବରେ ବିମାନବନ୍ଦରକୁ ପହଞ୍ଚାଇବା ପାଇଁ ଅତି କମରେ ପାଞ୍ଚଟି ହେଲିକପ୍ଟର ନିୟୋଜିତ କରାଯାଇଛି। ଦେଶବ୍ୟାପୀ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି ଏବଂ ସମସ୍ତ ବିମାନ ଉଡ଼ାଣ ବାତିଲ କରାଯାଇଛି।

Nepal | kp-sharma-oli