ଚୀନ୍‌ର ୪ଟି ବନ୍ଦର ବ୍ୟବହାର କରିବାକୁ ନେପାଳକୁ ଅନୁମତି

କାଠମାଣ୍ଡୁ: ଚୀନ୍‌ ତା’ର ବନ୍ଦରଗୁଡ଼ିକ ମଧ୍ୟରୁ ୪ଟି ବନ୍ଦର ବ୍ୟବହାର କରିବାକୁ ନେପାଳକୁ ଅନୁମତି ଦେବ ବୋଲି ଶୁକ୍ରବାର ଦିନ ନେପାଳୀ ସରକାର କହିଛନ୍ତି। ବେଜିଙ୍ଗ୍‌ ସହ ଯୋଗସୂତ୍ର ବଢ଼ି ଚାଲିଥିବା ଯୋଗସୂତ୍ର ଫଳରେ ସ୍ଥଳଭାଗବେଷ୍ଟିତ ହିମାଳୀୟ ଦେଶ ତା’ର ବାଣିଜ୍ୟ ପଥ ଉପରେ ଭାରତର ଏକଚ୍ଛତ୍ରବାଦର ଅବସାନ ଘଟାଇଛି।

ଚୀନ୍‌ ଓ ଭାରତ ମଧ୍ୟରେ ଚାପି ହୋଇ ରହିଥିବା ନେପାଳ ଇନ୍ଧନ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଣ ନିମନ୍ତେ ଭାରତ ଉପରେ ଖୁବ୍‌ ନିର୍ଭରଶୀଳ। ଅନ୍ୟାନ୍ୟ ଦେଶଗୁଡ଼ିକ ସହ ବାଣିଜ୍ୟ କରିବାକୁ ନେପାଳ ଭାରତର ବନ୍ଦର ବ୍ୟବହାର କରେ। ୨୦୧୫ ଏବଂ ୨୦୧୬ରେ ଭାରତ ସହ ଥିବା ଏହାର ସୀମାନ୍ତ ଦୀର୍ଘ ସମୟ ଧରି ଅବରୋଧ ହେବା ଫଳରେ ଅନେକ ମାସ ଧରି ନେପାଳରେ ଇନ୍ଧନ ଓ ଔଷଧ ସଙ୍କଟ ଦେଖା ଦେଇଥିଲା। ତେଣୁ ଭାରତ ଉପରେ ନିର୍ଭରଶୀଳ ନ ହେବାକୁ ନେପାଳ ଚୀନ୍‌ ବନ୍ଦରକୁ ଯାତାୟାତ କରିବାକୁ ଅନୁମତି ଲୋଡୁଥିଲା।

ଶୁକ୍ରବାର ଦିନ କାଠମାଣ୍ଡୁ ଠାରେ ନେପାଳ ଓ ଚୀନ୍‌ର ଅଧିକାରୀମାନେ ‘ଟ୍ରାନ୍‌ଜିଟ୍‌ ଆଣ୍ଡ୍‌ ଟ୍ରାନ୍‌ସ୍‌ପୋର୍ଟ ଏଗ୍ରିମେଣ୍ଟ୍‌’ (ଟିଟିଏ) ପ୍ରୋଟୋକଲ୍‌ ଚୂଡ଼ାନ୍ତ କରିଥିଲେ। ଏବେ ନେପାଳ ଚୀନ୍‌ର ତିଆନ୍‌ଜିନ୍‌, ସେନ୍‌ଞ୍ଝେନ୍‌, ଲିଆନ୍‌ୟୁନ୍‌ଗାଙ୍ଗ୍‌ ଏବଂ ଝାଞ୍ଜିଆଙ୍ଗ୍‌ ବନ୍ଦରକୁ ପ୍ରବେଶ କରିପାରିବ ବୋଲି ନେପାଳ ବାଣିଜ୍ୟ ମନ୍ତ୍ରାଳୟ କହିଛି। ଲାନ୍‌ଝୌ, ଲାସା ଏବଂ ଜିଗାତ୍‌ସେ ଆଦି ସ୍ଥଳ ବନ୍ଦର ଏବଂ ସେଠାକୁ ଯାତାୟାତ କରିବାକୁ ରାସ୍ତା ବ୍ୟବହାର କରିବାକୁ ନେପାଳକୁ ଚୀନ୍‌ ଅନୁମତି ଦେଇଛି।

ସମ୍ବନ୍ଧିତ ଖବର