ନେପାଳରେ ରାଜନୈତିକ ସଂକଟ ଗମ୍ଭୀର: ଏପ୍ରିଲ ୩୦ ପରେ ହୋଇପାରେ ନିର୍ବାଚନ

ନୂଆଦିଲ୍ଲୀ: ନେପାଳ ରାଜନୀତି ଏବେ ସରଗରମ ହେଉଥିବା ଦେଖିବାକୁ ମିଳିଛି । ନେପାଳ କମ୍ୟୁନିଷ୍ଟ ପାର୍ଟି ସରକାରରେ ପ୍ରଧାନମନ୍ତ୍ରୀ ଥିବା କେ.ପି ଶର୍ମା ଓଲି ସଂସଦ ଭଙ୍ଗ ନେଇ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ କରିଥିବା ସୁପାରିଶକୁ ସେ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛନ୍ତି । ସଂସଦ ଭଙ୍ଗ ପରେ ଆସନ୍ତା ବର୍ଷ ଏପ୍ରିଲ ୩୦ ରୁ ମେ ମାସ ୧୦ ତାରିଖ ମଧ୍ୟରେ ନେପାଳରେ ପୁଣି ନିର୍ବାଚନ ହେବ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଆଜି ପ୍ରଧାନମନ୍ତ୍ରୀ ଓଲି ଏକ ଜରୁରୀକାଳୀନ କ୍ୟାବିନେଟ୍ ଡାକିଥିଲେ । ଏହି ବୈଠକରେ କ୍ୟାବିନେଟ୍ ଭଙ୍ଗ କରିବାକୁ ରାଷ୍ଟ୍ରପତିଙ୍କୁ ଚିଠି କରାଯାଇଥିଲା । ଯାହାକୁ କିଛି ଘଣ୍ଟା ମଧ୍ୟରେ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ । ସୁପାରିଶକୁ ଅନୁମୋଦନ ପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି କି କ୍ୟାବିନେଟ ଭଙ୍ଗ ହେବା ପରେ ଏପ୍ରିଲ ୩୦ ରୁ ମେ ମାସ ୧୦ ତାରିଖ ମଧ୍ୟରେ ପୁଣି ନିର୍ବାଚନ ଅନୁଷ୍ଠିତ ହେବ ।

ଅନ୍ୟପଟେ ନେପାଳ ସଂସଦରେ ମଧ୍ୟବର୍ତ୍ତିକାଳୀନ କ୍ୟାବିନେଟ୍ ଭଙ୍ଗ କରିବାର ପ୍ରସ୍ତାବ ନଥିବାରୁ ଓଲିଙ୍କ ଏଭଳି ନିଷ୍ପତ୍ତି ବିରୋଧରେ କୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରେ । ସଂସଦ ଭଙ୍ଗ ନେଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ନେପାଳ ସଂସଦର ମୁଖ୍ୟ ବିରୋଧିଦଳ ନେପାଳୀ କଂଗ୍ରେସ ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇଛି ।

ଉଲ୍ଲେଖଯୋଗ୍ୟ, ନେପାଳରେ ଚାଲିଥିବା ସରକାରରେ ନେପାଳ କମ୍ୟୁନିଷ୍ଟ ପାର୍ଟି ସହ ସହଯୋଗରେ ଥିଲା ନେପାଳ ମାଓବାଦୀ ପାର୍ଟି । କିଛିଦିନ ହେବ ଚୀନ ଓ ଭାରତ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଉଭୟ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଓ ମାଓବାଦୀ ପାର୍ଟିର ମୁ୍ଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରୂଦ୍ର ବାହଲ ପ୍ରଚଣ୍ଡଙ୍କ ମଧ୍ୟରେ ମତଭେଦ ଜାରି ରହିଥିଲା । ଅନ୍ୟପଟେ ନେପାଳର କିଛି ସଂଗଠନ ନେପାଳକୁ ସ୍ୱତନ୍ତ୍ର ହିନ୍ଦୁ ରାଷ୍ଟ୍ର ଘୋଷଣା କରିବାକୁ ସରକାରଙ୍କ ଉପରେ ଚାପ ପକାଇବା ସହ ହଜାର ହଜାର ଲୋକ ସଡ଼କରେ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ମୁଖ୍ୟ ବିରୋଧୀ ଦଳ ନେପାଳୀ କଂଗ୍ରେସ ଅଭିଯୋଗ କରିଛି କି ପ୍ରଧାନମନ୍ତ୍ରୀ ଓଲି ତାଙ୍କ କାର୍ଯ୍ୟକାଳରେ ଲୋକଙ୍କ ଉପରେ ପୂର୍ବଭଳି ରାଜତନ୍ତ୍ର ବ୍ୟବସ୍ଥାକୁ ଲଦି ଦେବାକୁ ଚେଷ୍ଟା କରିବା ସହ କୋଇରାଲା ପରିବାର ସହିତ ପରୋକ୍ଷରେ ସଂପର୍କ ସୁଦୃଢ କରୁଥିଲେ ।

ସମ୍ବନ୍ଧିତ ଖବର