ଗୋଆରେ ନିଖୋଜ ନେପାଳ ମେୟରଙ୍କ ଝିଅ ଦୁଇଦିନ ପରେ ମିଳିଲେ

ଗୋଆ: ନେପାଳର ଜଣେ ମେୟରଙ୍କ ଝିଅ ନିଖୋଜ ହେବାର ଦୁଇଦିନ ପରେ ମିଳିଛନ୍ତି। ନିଖୋଜ ହେବା ସ୍ଥାନଠାରୁ ପ୍ରାୟ ୨୦ କିଲୋମିଟର ଦୂର ଉତ୍ତର ଗୋଆର ମାଣ୍ଡ୍ରେମରେ ଥିବା ଏକ ହୋଟେଲରୁ ତାଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ ବାପା ଗୋପାଳ ହମାଲ ତାଙ୍କ ବଡ଼ ଝିଅ ଆରତି (୩୬) ସୋମବାରଠାରୁ ନିଖୋଜ ଥିବା ନେଇ ଅଭିଯୋଗ କରିବା ପରେ ଗୋଆ ପୁଲିସ ଏକ ମାମଲା ରୁଜୁ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।

ଆରତି ହମାଲ ଗତ କିଛି ମାସ ହେବ ଗୋଆର ଏକ ଓଶୋ ଧ୍ୟାନକେନ୍ଦ୍ରରେ ରହୁଥିଲେ। ଶେଷଥର ପାଇଁ ତାଙ୍କୁ ଆଶ୍ବେମ ବେଳାଭୂମି ନିକଟରେ ଦେଖିବାକୁ ମିଳିଥିଲା ବୋଲି ତାଙ୍କ ବାପା ଏକ୍ସରେ ଏକ ପୋଷ୍ଟରେ କହିଥିଲେ। ତାଙ୍କୁ ଖୋଜିବା ପାଇଁ ସାରା ରାଜ୍ୟରେ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ସେ ତାଙ୍କ ଫୋନକୁ ଓଶୋ ସେଣ୍ଟରରେ ଛାଡି ଦେଇଥିବାରୁ ତାଙ୍କୁ ସହଜରେ ଠାବ କରାଯାଇ ପାରି ନ ଥିଲା। ଉତ୍ତର ଗୋଆର ପେର୍ନେମ୍ ଓ ମାଣ୍ଡ୍ରେମ୍ ଅଞ୍ଚଳରେ ଥିବା ସମସ୍ତ ହୋଟେଲରେ ରାଜ୍ୟ ପୁଲିସ ଚଢ଼ଉ କରିବା ପରେ ବୁଧବାର ହମାଲଙ୍କୁ ଚୋପେଡେମ ଗାଁର ଏକ ହୋଟେଲରେ ଦେଖିବାକୁ ମିଳିଥିଲା। ତାଙ୍କ ସାଙ୍ଗରେ ଅନ୍ୟ ଦୁଇ ଜଣ ମହିଳା ଥିଲେ। ତେବେ ସେ ଉକ୍ତ ହୋଟେଲକୁ କିପରି ଗଲେ, ତାଙ୍କ ସହ କ’ଣ ହୋଇଥିଲା, ଏ ବିଷୟରେ ସବିଶେଷ ବିବରଣୀ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର