ପାଟନା: ଭାରତର କିଛି ଅଞ୍ଚଳ ନିଜର ବୋଲି ଦାବି କରି ନେପାଳ ସରକାର ଏକ ନୂତନ ବିବାଦୀୟ ମାନଚ୍ଚିତ୍ର ପ୍ରଣୀତ କରିବା ପରେ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଏ ପ୍ରସଙ୍ଗରେ ନିଜର ଭାରତ ବିରୋଧୀ ଆଭିମୁଖ୍ୟକୁ ଆହୁରି ଶାଣିତ କରିବା ଲାଗି ନେପାଳ କର୍ତ୍ତୃପକ୍ଷ ସୀମାରେ ବିହାର ସରକାରଙ୍କ ଏକାଧିକ ବନ୍ୟା ନିୟନ୍ତ୍ରଣ ପ୍ରକଳ୍ପରେ ପ୍ରତିବନ୍ଧକ ସାଜିଥିବା ଅଭିଯୋଗ ହୋଇଛି। ନେପାଳ ସହ ଦୀର୍ଘ ୭୦୦ କିମି ଦୈର୍ଘ୍ୟର ସୀମା ସଂଲଗ୍ନ ଥିବା ବିହାରରେ ଏଥି ଯୋଗୁଁ ଆଗକୁ ବର୍ଷାଋତୁରେ ଅନେକ ତଳିଆ ସୀମାନ୍ତ ଗ୍ରାମ ବନ୍ୟାରେ ସମ୍ପୂର୍ଣ୍ଣ ଧୋଇହୋଇଯିବାର ଆଶଙ୍କା ରହିଛି ବୋଲି ବିହାର ଜଳସମ୍ବଳ ମନ୍ତ୍ରୀ ସଞ୍ଜୟ କୁମାର ଝା ଉଦ୍ବେଗ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ବାଲ୍ମିକୀ ନଗରଠାରେ ଗଣ୍ଡକୀ ନଦୀରେ ନିର୍ମିତ ବ୍ୟାରେଜ୍ର ମୋଟ ୩୬ଟି ଗେଟ୍ରୁ ନେପାଳ ପଟେ ୧୮ଟି ରହିଛି। ଏବେ ନୂଆ କରି ନେପାଳୀ କର୍ତ୍ତୃପକ୍ଷ ସେଠାରେ ପ୍ରତିବନ୍ଧ ତିଆରି କରିଛନ୍ତି।
ଏପରିକି ରବିବାର ସେହି ବ୍ୟାରେଜ୍ ବାଟେ ଦେଢ଼ ଲକ୍ଷରୁ ଅଧିକ କ୍ୟୁସେକ୍ ଜଳ ପ୍ରବାହିତ ହୋଇଛି। ଏପରି ସ୍ଥିତି ଜାରି ରହିଲେ ଯଦି ବନ୍ୟା ନିୟନ୍ତ୍ରଣ ସାମଗ୍ରୀ ଏବଂ ଆମ ଅଧିକାରୀମାନେ ଠିକଣା ସ୍ଥଳରେ ପହଞ୍ଚି ନପାରନ୍ତି ତେବେ ପରିସ୍ଥିତି ସଙ୍ଗିନ ହୋଇପଡ଼ିବ ବୋଲି ଶ୍ରୀ ଝା ଆଶଙ୍କା ପ୍ରକଟ କରିଛନ୍ତି। ସେହିପରି ବିହାରର ପୂର୍ବ ଚମ୍ପାରନ ଜିଲ୍ଲାରେ ଲାଲବୈକେୟା ନଦୀରେ ଥିବା ମାଳବନ୍ଧରେ ଆବଶ୍ୟକ ପଡୁଥିବା ମରାମତି କାମକୁ ନେପାଳ ସରକାର ବିରୋଧ କରିଛନ୍ତି। ଦୀର୍ଘ ୨୦ ବର୍ଷ ହେଲା ପ୍ରତିବର୍ଷ ବର୍ଷାଋତୁ ପୂର୍ବରୁ ବିହାର ସରକାର ଏହାର ମରାମତି କରି ଆସୁଥିବା ବେଳେ ଏ ବର୍ଷ ନେପାଳ ସରକାର କାମ କରାଇ ଦେଇନାହାନ୍ତି। ସେହିପରି ମଧୁବାଣୀର ଜୟନଗର ଠାରେ କମଳା ନଦୀର ଉପରମୁଣ୍ଡରେ ମଧ୍ୟ ମରାମତି କାର୍ଯ୍ୟ ହୋଇପାରୁନାହିଁ। ତେବେ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ପାଇଁ ବିଦେଶ ମନ୍ତ୍ରଣାଳୟକୁ ଅବଗତ କରାଯାଇଛି ବୋଲି ଶ୍ରୀ ଝା ସୂଚନା ଦେଇଛନ୍ତି।