ଲିପୁଲେଖ ରାସ୍ତା ଚଉଡ଼ା ଯୋଜନାକୁ ନେପାଳର ବିରୋଧ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଲିପୁଲେଖ ଗିରିପଥ ଅଞ୍ଚଳକୁ ଭାରତର ରାସ୍ତା ପ୍ରଶସ୍ତୀକରଣ ଯୋଜନାକୁ ନେଇ ନେପାଳ ପ୍ରତିକ୍ରିୟା ପ୍ରକାଶ କରିଛି। ନେପାଳର ଉଭୟ ଶାସକ ଓ ବିରୋଧୀ ଦଳ ଏହାର ପ୍ରତିବାଦ କରିବା ସହ ନେପାଳର ସାର୍ବଭୌମତ୍ବ ଓ ଅଖଣ୍ଡତାକୁ ହେୟଜ୍ଞାନ ନ କରିବା ପାଇଁ ଭାରତକୁ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ଭାରତ-ଚୀନ୍-ନେପାଳ ସୀମାନ୍ତରେ ଥିବା ଉତ୍ତରାଖଣ୍ଡର ଏହି ଅଞ୍ଚଳ ସମେତ ଲିମ୍ପିୟାଧୁରା ଓ କାଲାପାନି ଅଞ୍ଚଳକୁ ନେପାଳ ନିଜର ବୋଲି ଦାବି କରି ଆସୁଛି। ନିଜର ଦାବିକୁ ଜାହିର କରିବା ପାଇଁ ଏହା ଏକ ନୂତନ ରାଜନୈତିକ ମାନଚିତ୍ର ବି ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତମାସରେ ଉକ୍ତ ରାସ୍ତା ସମ୍ପ୍ରସାରଣ ନେଇ ଘୋଷଣା କରିଥିବା ବେଳେ ନେପାଳର ମେଣ୍ଟ ସରକାର ଏ ଯାଏ ନୀରବ ଥିଲେ। କିନ୍ତୁ ଶୁକ୍ରବାର ମୁଖ୍ୟ ଶାସକ ଦଳ ନେପାଳୀ କଂଗ୍ରେସ କହିଛି ଯେ, ରାସ୍ତାକୁ ଆହୁରି ଚଉଡ଼ା କରିବା ପାଇଁ ଭାରତର ନିଷ୍ପତ୍ତି ଆପତ୍ତିଜନକ। ଉକ୍ତ ଅଞ୍ଚଳରୁ ଭାରତ ତା’ର ସେନାକୁ ମଧ୍ୟ ଫେରାଇ ନେବା ଉଚିତ। ଏକ ବିବୃତିରେ ନେପାଳୀ କଂଗ୍ରେସ କହିଛି ଯେ, ଲିପୁଲେଖ, ଲିମ୍ପିୟାଧୁରା ଓ କାଲାପାନି ହେଉଛି ନେପାଳର। ଏହି ଅଞ୍ଚଳକୁ ବ୍ୟବହାର କରିବାର ଅଧିକାର ନେପାଳର ଅଛି। ତେଣୁ ଭାରତ କାଲାପାନିରେ ନିଯୁକ୍ତ କରିଥିବା ସେନାକୁ ପ୍ରତ୍ୟାହାର କରିନେଉ।

ଭାରତ ନିଜର ପ୍ରତିକ୍ରିୟାରେ କହିଛି ଯେ, ଭାରତ ଯେଉଁ ରାସ୍ତା ପ୍ରଶସ୍ତୀକରଣ କରିବାକୁ ଯାଉଛି ତାହା କୌଣସି ନୂଆ ରାସ୍ତା ନୁହେଁ। ଏ ରାସ୍ତା ଆଗରୁ ଅଛି ଏବଂ କୈଳାସ ମାନସରୋବର ତୀର୍ଥଯାତ୍ରୀମାନେ ଏହି ରାସ୍ତା ଦେଇ ଯାଇଥାନ୍ତି। ରାସ୍ତା ପ୍ରଶସ୍ତୀକରଣ ହେଲେ ତୀର୍ଥଯାତ୍ରୀ, ସ୍ଥାନୀୟ ଅଧିବାସୀ ଓ ବେପାରବଣିଜ କରୁଥିବା ଲୋକମାନଙ୍କର ଯାତାୟାତରେ ସୁବିଧା ହେବ। ଉତ୍ତରାଖଣ୍ଡର ଲିପୁଲେଖ ଓ କାଲାପାନି ଅଞ୍ଚଳକୁ ନେପାଳ ନିଜର ବୋଲି ଦାବି କରୁଥିଲେ ମଧ୍ୟ ଏହା ଭାରତର ପ୍ରଶାସନିକ ନିୟନ୍ତ୍ରଣରେ ରହିଛି।

ସମ୍ବନ୍ଧିତ ଖବର