ରନ୍‌ୱେ -୨୦ ନା ରନ୍‌ୱେ -୦୨ କେଉଁଠି କରିବ ଅବତରଣ; ପାଇଲଟ୍‌ଙ୍କ ଏହି ଦ୍ୱନ୍ଦ୍ୱ ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହେଲା ୟୁଏସ୍‌- ବାଂଲା ଏୟାରଲାଇନସ୍‌ ବିମାନ

କାଠମାଣ୍ଡୁ: ନେପାଳ ରାଜଧାନୀ କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୋମବାର ଅପରାହ୍ନରେ ଘଟିଥିବା ବିମାନ ଦୁର୍ଘଟଣାର କାରଣ ଖୋଜି ବାହାର କରିବା ପାଇଁ ତଦନ୍ତ ଆରମ୍ଭ ହୋଇଯାଇଛି। ଦୁର୍ଘଟଣାଗ୍ରସ୍ତ ୟୁଏସ୍‌- ବାଂଲା ଏୟାରଲାଇନସ୍‌ ବିମାନର ଧ୍ୱଂସାବଶେଷ ମଧ୍ୟରୁ ତଦନ୍ତକାରୀ ଦଳ ଆଜି ‘ବ୍ଲାକ୍‌ବକ୍ସ’କୁ ଖୋଜି ବାହାର କରିବାରେ ସମର୍ଥ ହୋଇଛନ୍ତି।

ବିମାନଟିର ଅବତରଣ ସମୟରେ ତ୍ରିଭୁବନ ବିମାନ ବନ୍ଦରର ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ଏଟିସି)ର କର୍ମଚାରୀ ଓ ଦୁର୍ଘଟଣାଗ୍ରସ୍ତ ୟୁଏସ୍‌- ବାଂଲା ଏୟାରଲାଇନସ୍‌ ବିମାନର ପାଇଲଟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତଳାପର ରେକର୍ଡିଂକୁ ଅନୁଧ୍ୟାନ କଲାପରେ କେଉଁ ରନ୍‌ୱେ ବିମାନଟି ଅବତରଣ କରିବ, ସେଥିନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ବୋଲି ତଦନ୍ତକାରୀ ଦଳ ପ୍ରାଥମିକ ରିପୋର୍ଟରେ ସୂଚନା ଦେଇଛନ୍ତି।
ବିମାନ ଦୁର୍ଘଟଣାର କାରଣ ଖୋଜି ବାହାର କରିବା ପାଇଁ ନେପାଳ ସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ୬ ଜଣିଆ ଦଳରେ ଅନ୍ୟତମ ସଦସ୍ୟ ଥିବା ତ୍ରିଭୁବନ ବିମାନ ବନ୍ଦରର ଜେନେରାଲ ମ୍ୟାନେଜର ରାଜକୁମାର ଚିତ୍ରି କହିଛନ୍ତି, ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାର ୪ ମିନିଟ ପୂର୍ବରୁ ଏଟିସି କର୍ମଚାରୀ ଓ ବିମାନର ପାଇଲଟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ଅନୁଧ୍ୟାନ କରାଯାଇଛି। ଏଥିରୁ ଜଣାପଡ଼ୁଛି ଯେ ବିମାନ ବନ୍ଦରର ଦକ୍ଷିଣ ଦିଗରେ ଥିବା ରନ୍‌ୱେ ନମ୍ବର ୦୨ ନା ଉତ୍ତର ଦିଗରେ ଥିବା ରନ୍‌ୱେ ନମ୍ବର ୨୦ରେ ବିମାନଟି ଅବତରଣ କରିବ, ସେଥିନେଇ ବିମାନର ପାଇଲଟଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା।

ଏଟିସି ୟୁଏସ୍‌-ବାଂଲା ଏୟାରଲାଇନସ୍‌ ପାଇଲଟଙ୍କୁ ନିର୍ଦ୍ଦେଶ ଦେଇ କହିଥିଲା, ‘ମୁଁ ଆଉଥରେ କହୁଛି, ରନ୍‌ୱେ ୨୦ ଆଡ଼କୁ ଅଗ୍ରସର ହୁଅନାହିଁ।’ ‘ରନ୍‌ୱେ ୦୨ରେ ଅବତରଣ ପାଇଁ ପ୍ରସ୍ତୁତ ହୁଅ।’ କାରଣ ସେଇ ସମୟରେ ରନ୍‌ୱେ ୨୦ରେ ଆଉ ଗୋଟିଏ ବିମାନ ଅବତରଣ କରିବା ପାଇଁ ପ୍ରସ୍ତୁତ ହେଉଥିଲା। ଏଟିସି ଠାରୁ ଏପ୍ରକାର ନିର୍ଦ୍ଦେଶ ପାଇବା ପରେ ବିମାନଟି ବିମାନ ବନ୍ଦରର ଦକ୍ଷିଣପଟକୁ ବୁଲି ଯାଇଥିଲା, କିନ୍ତୁ ରନ୍‌ୱେ ୦୨ରେ ଅବତରଣ ପାଇଁ ନିଜକୁ ପ୍ରସ୍ତୁତ ନକରି ଆକାଶରେ ଚକ୍କର କାଟୁଥିଲା। ଇତିମଧ୍ୟରେ ରନ୍‌ୱେ ୨୦ରେ ଅବତରଣ କରିବାକୁ ଥିବା ବିମାନଟି ଅବତରଣ କରିଯିବା ପରେ ଏଟିସି ୟୁଏସ୍‌-ବାଂଲା ବିମାନର ପାଇଲଟଙ୍କୁ ପଚାରିଲା, ‘ରନ୍‌ୱେ ୨୦ରେ ଅବତରଣ କରିବ ନା ୦୨ରେ।’ ପାଇଲଟ୍‌ କହିଥିଲେ, ‘ଆମେ ରନ୍‌ୱେ ୨୦ରେ ଅବତରଣ କରିବୁ’। ଏହାପରେ ଏଟିସି ରନ୍‌ୱେ ୨୦କୁ ୟୁଏସ୍‌-ବାଂଲା ବିମାନର ଅବତରଣ ପାଇଁ ପ୍ରସ୍ତୁତ କରିଥିଲା। ଏହାପରେ ଏଟିସି ପଚାରିଥିଲା, ‘ରନ୍‌ୱେ ଦେଖା ଯାଉଛି ତ?’ ଉତ୍ତରରେ ପାଇଲଟ କହିଥିଲେ, ‘ନା!’ ଏହାପରେ ବିମାନକୁ ଦକ୍ଷିଣ ପଟକୁ ନେବାକୁ କହିଥିଲେ ଏଟିସି। କିନ୍ତୁ, ହଠାତ୍‌ ପାଇଲଟ୍‌ କହିଥିଲେ, ‘ରନ୍‌ୱେ ଦେଖାଯାଉଛି। ରନ୍‌ୱେ ୦୨ କ୍ଲିୟର କରନ୍ତୁ। ଅବତରଣ କରିବି।’ ଯଦିଓ ପୂର୍ବରୁ ପାଇଲଟ ରନ୍‌ୱେ ୨୦ରେ ଅବତରଣ ପାଇଁ ଏଟିସିକୁ ଅନୁମତି ମାଗିଥିଲେ। ଏଟିସି କଛି କହିବା ପୂର୍ବରୁ, ‘ପାଇଲଟ ପଚାରିଲେ କ’ଣ କ୍ଲିୟର ହୋଇଗଲା ଲ୍ୟାଣ୍ଡ କରିବୁ’?… ବାସ୍‌ ଏହାପରେ କିଛି ସେକେଣ୍ଡର ନିରବତା… ତା’ପରେ ଶୁଣିବାକୁ ମିଳୁଛି ବିମାନର ‘ଫାୟାର ଆଲାର୍ମ’ ଓ ‘ଇମର୍ଜେନ୍ସି ଆଲାର୍ମ’ ଏବଂ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି ବିମାନଟି ଆଉ ଏଥିରେ ପ୍ରାଣ ହରାଇଛନ୍ତି ୫୦ ଜଣ।

ସମ୍ବନ୍ଧିତ ଖବର