କାଠମାଣ୍ଡୁ: ନେପାଳର ପୋଖରାଠାରେ ଗତ ରବିବାର ଏକ ଭୟାବହ ବିମାନ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ୧୫ ଜଣ ବିଦେଶୀ ନାଗରିକଙ୍କ ସହ ୬୮ ଜଣ ଯାତ୍ରୀ ଓ ୪ ଜଣ ବିମାନ କର୍ମଚାରୀ ରହିଥିଲେ। ଦୁଃଖର ବିଷୟ କି ବିମାନରେ ଥିବା ୭୨ ଜଣଙ୍କ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୬୮ ଜଣଙ୍କର ପୋଡ଼ା ଶବ ଉଦ୍ଧାର କରିଥିବା ବେଳେ ବାକି ୪ ଜଣଙ୍କ ପତ୍ତା ମିଳୁନାହିଁ ବୋଲି କୁହାଯାଉଛି।।
ଏହି ଦୁର୍ଘଟଣା ନେପାଳର ସବୁଠାରୁ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି। କିନ୍ତୁ ଏହି ଦୁର୍ଘଟଣା ନେପାଳର ଉଦ୍ଧାରକାରୀ ଦଳର ଅବହେଳା ସମେତ ଦେଶରେ ଜରୁରୀକାଳୀନ ପରିସ୍ଥିତି ପାଇଁ ଥିବା ବ୍ୟବସ୍ଥାର ବିକଳ ଚିତ୍ର ସାମ୍ନାକୁ ଟାଣି ଆଣିଛି।
କୁହାଯାଉଛି କି ବିମାନ ଦୁର୍ଘଟଣାଗସ୍ତ ହେବାପରେ ନେପାଳର ସୁରକ୍ଷାକର୍ମୀ ଓ ଉଦ୍ଧାରକାରୀ ଦଳ ୧୦ମିନିଟ ଭିତରେ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ, କିନ୍ତୁ ଏହି ସମୟରେ ସେମାନଙ୍କ ପାଖରେ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଦରକାର ଥିବା ଉପକରଣ ନଥିଲା। ତେଣୁ ଯାତ୍ରୀ ଉଦ୍ଧାର ପାଇଁ ଚିତ୍କାର କରୁଥିବା ବେଳେ ଉଚିତ ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା। ଫଳରେ ଘଟଣାସ୍ଥଳରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା।
‘ ଦ କାଠମାଣ୍ଡୁ ପୋଷ୍ଟ’ ମୁତାବକ, ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ୧୦ ମିନିଟ ଭିତରେ ନେପାଳ ପୁଲିସ, ସୁରକ୍ଷାଦଳ, ସେନା ଓ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। କିନ୍ତୁ ଉଦ୍ଧାରକାରୀ ଦଳ ପାଖରେ ନିଆଁ ଲିଭାଇବା ମ୍ୟାସିନ, ୱାଟର ସୋର୍ସ ଓ ଅନ୍ୟ ଆବଶ୍ୟକ ଉପକରଣ ନଥିଲା, ଯାହାକୁ ଜରୁରୀକାଳୀନ ଉଦ୍ଧାର ପାଇଁ ବ୍ୟବହାର କରାଯାଇଥାଏ।
ତେବେ ଯେଉଁସ୍ଥାନରେ ବି ଦୁର୍ଘଟଣା ଘଟେ ଉଦ୍ଧାରକାରୀ ଦଳ ଯେତେଶୀଘ୍ର ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥାଆନ୍ତି , ସେତେ ଲୋକଙ୍କ ବଞ୍ଚିବା ସମ୍ଭାବନା ଅଧିକ ରହିଥାଏ। କୁହାଯାଉଛି କି ଏହି ବିମାନ ଦୁର୍ଘଟଣାସ୍ଥଳରେ ଯଦି ଉଦ୍ଧାରକାରୀ ଦଳ ଉଦ୍ଧାର ପାଇଁ ଆବଶ୍ୟକ ଜରୁରୀ ସାମଗ୍ରୀ ଧରି ଥାଆନ୍ତେ, ହୁଏତେ କିଛି ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ଯାଇ ପାରି ଥାଆନ୍ତା।
ସୌଜନ୍ୟ: ଆଜତକ