୬ ଘଣ୍ଟା କାଳ ଖୋଜିବା ପରେ ପାଇଲଟଙ୍କ ଫୋନ ଦେଇଥିଲା ବିମାନର ଠିକଣା

ନୂଆଦିଲ୍ଲୀ: ନେପାଳର ପୋଖରାରୁ ଜୋମ୍‌ସୋମ୍‌ ଅଭିମୁଖେ ଯାଉଥିବା ଏକ ବିମାନ ସହ ଆଜି ସକାଳୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ନିଖୋଜ ହେବାର ପ୍ରାୟ ୬ଘଣ୍ଟା ପରେ ମୁସ୍ତାଙ୍ଗରେ ବିମାନର ଧ୍ୱଂସାବଶେଷ ଦେଖିବାକୁ ମିଳିଥିଲା ବିମାନଟି ହିମାଳୟର ମାନାପଥୀ ନିକଟ ଲାମଚେ ନଦୀ ଉପରେ ଖସିପଡିଥିଲା। ତେବେ ୬ଘଣ୍ଟା କାଳ ବିମାନକୁ ଖୋଜିବାକୁ ଉଦ୍ୟମ ଚାଲିଥିବା ବେ‌ଳେ ପାଇଲଟଙ୍କ ଫୋନ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ବିମାନର ଅବସ୍ଥିତି ବିଷୟରେ ଜଣାଇଥିଲା ବୋଲି ସାମ୍ନାକୁ ଆସିଛି।

ପାଇଲଟଙ୍କ ଫୋନ୍ ଯୋଗୁଁ ବିମାନକୁ ଟ୍ରାକ କରାଯାଇପାରିଛି ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ୟାପଟେନ ପ୍ରଭାକର ଘିମିରେ ଏହି ବିମାନ ଉଡାଉଥିଲେ। ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ବିମାନକୁ ଖୋଜିବା କଷ୍ଟକର ହୋଇପଡ଼ିଥିଲା। ଏହା ପରେ ବିମାନର ଅବସ୍ଥିତି ବିଷୟରେ ଜାଣିବା ପାଇଁ କ୍ୟାପଟେନ ପ୍ରଭାକର ଘିମିରେଙ୍କୁ ଫୋନ କରାଯାଇଥିଲା। ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ବି କ୍ୟାପଟେନଙ୍କ ଫୋନ ସୁରକ୍ଷିତ ଥିବାରୁ ତାଙ୍କ ଫୋନ ବାଜିଥିଲା, ହେଲେ କେହି ଫୋନ ଉଠାଇନଥିଲେ। ଏହା ପରେ ଫୋନର ଲୋକେସନକୁ ଟ୍ରାକ କରି ବିମାନର ଅବସ୍ଥିତି ଜାଣିପାରିଥିଲେ ବିମାନବନ୍ଦର କର୍ତ୍ତୃପକ୍ଷ।

indiatoday

ବିମାନରେ ଚାରିଜଣ ଓଡ଼ିଆ, ଦୁଇ ଜଣ ଜର୍ମାନ, ୧୩ ଜଣ ନେପାଳୀ ଯାତ୍ରୀ ଏବଂ ତିନିଜଣ ନେପାଳୀ କ୍ରୁ ସଦସ୍ୟ ଥିଲେ। ନିଖୋଜ ୪ ଜଣ ଓଡ଼ିଆ ହେଲେ ଅଶୋକ ତ୍ରିପାଠୀ, ଧନୁଷ ତ୍ରିପାଠୀ, ରୀତିକା ତ୍ରିପାଠୀ ଓ ବୈଭବ ତ୍ରିପାଠୀ। ବୁଲିବା ପାଇଁ ପରିବାର ନେପାଳ ଯାଇଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି।

ଉଲ୍ଲେଖଯୋଗ୍ୟ, ‘ତାରା ଏୟାର୍‌’ର ୯ଏନ୍‌ଏଇଟି ଦ୍ବୈତ-ଇଞ୍ଜିନ୍‌ ଥିବା ବିମାନଟି ଆଜି ସକାଳ ୯.୫୫ରେ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ରାଡାର୍‌ରୁ ଅଦୃଶ୍ୟ ହୋଇ ଯାଇଥିଲା। ନିରୁଦ୍ଦିଷ୍ଟ ବିମାନର ସନ୍ଧାନ କରିବା ଲାଗି ଗୋଟାଏ ହେଲିକପ୍ଟର୍‌କୁ ପଠାଯାଇଥିଲା।

ନିରୁଦ୍ଦିଷ୍ଟ ହୋଇଯାଇଥିବା ବିମାନଟିକୁ ଚଳାଉଥିବା ପାଇଲଟ୍‌ଙ୍କ ନାମ ପ୍ରଭାକରପ୍ରସାଦ ଘିମିରେ ବୋଲି ଜଣାପଡ଼ିଛି।

ଜିଲ୍ଲା ମୁଖ୍ୟ ଅଧିକାରୀ ନେତ୍ର ପ୍ରସାଦ ଶର୍ମା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’କୁ କହିଛନ୍ତି, ବିମାନଟି ମୁସ୍ତାଙ୍ଗ ଜିଲ୍ଲାର ଜୋମ୍‌ସୋମ୍‌ ଆକାଶରେ ଉଡୁଥିବାର ଦିଶୁଥିବା ବେଳେ ଧୌଳଗିରି ଶୃଙ୍ଗ ଆଡ଼କୁ ବୁଲି ଯାଇଥିଲା। ତା’ପରଠାରୁ ଉକ୍ତ ବିମାନ ସହିତ ଆଉ ଯୋଗଯୋଗ ସମ୍ଭବପର ହୋଇନଥିଲା।

ସମ୍ବନ୍ଧିତ ଖବର