ନୂଆଦିଲ୍ଲୀ: ୧୬ବର୍ଷ ବ୍ୟବଧାନରେ ବିମାନ ଦୁର୍ଘଟଣା ନେଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ। ଅଧାରେ ରହିଗଲା ସହ-ପାଇଲଟ ଅଞ୍ଜୁଙ୍କ କ୍ୟାପଟେନ ହେବାର ସ୍ବପ୍ନ। ରବିବାର ନେପାଳରେ ଏକ ଯନ୍ତ୍ରଣାଦାୟକ ବିମାନ ଦୁର୍ଘଟଣା ଘଟିଥିଲା। ବିମାନ ଅବତରଣ କରିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ୟେତି ଏୟାରଲାଇନ୍ସର ଏଟିଆର-୭୨ ବିମାନ। ଏହି ବିମାନରେ ମୋଟ ୭୨ଜଣ ଯାତ୍ରୀ ଥିବା ବେଳେ ୬୮ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଏହି ୬୮ଜଣଙ୍କ ମଧ୍ୟରେ ରହିଛନ୍ତି ସହ-ପାଇଲଟ ଅଞ୍ଜୁ ଖତିବଡ଼ା। ୧୬ବର୍ଷ ପୂର୍ବେ ବିମାନ ଦୁର୍ଘଟଣାରେ ସ୍ବାମୀଙ୍କୁ ହରାଇଥିବା ଅଞ୍ଜୁ ଆଜି ନିଜେ ବିମାନ ଦୁର୍ଘଟଣାର ଶିକାର ହୋଇ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଏହି ଉଡାଣ ସହ-ପାଇଲଟ ଭାବେ ତାଙ୍କର ଶେଷ ଉଡ଼ାଣ ଥିଲା। ଏହା ପରେ ସେ କ୍ୟାପଟେନ ହୋଇଥାନ୍ତେ। ହେଲେ ତାଙ୍କର ଏହି ସ୍ବପ୍ନ ଆଜି ଅଧାରେ ରହିଯାଇଛି।

Advertisment

ସୂଚନା ମୁତାବକ, ପାଇଲଟ୍ ହେବାକୁ ଅତିକମରେ ୧୦୦ଘଣ୍ଟାର ଉଡ଼ାଣ ଅଭିଜ୍ଞତା ଆବଶ୍ୟକ। ଏହି ଅଭିଜ୍ଞତା ଅଞ୍ଜୁଙ୍କୁ ମିଳିସାରିଥିଲା। ସହ-ପାଇଲଟ୍ ଅଞ୍ଜୁ ପୂର୍ବରୁ ମଧ୍ୟ ନେପାଳର ପ୍ରାୟ ସମସ୍ତ ବିମାନବନ୍ଦରରେ ସଫଳତାର ସହ ବିମାନ ଅବତରଣ କରିଥିଲେ। ଆଜି ପୋଖରା ଅଭିମୁଖେ ଯାତ୍ରା କରୁଥିବା ସମୟରେ କ୍ୟାପଟେନ କମଲ କେସି ତାଙ୍କୁ ମୁଖ୍ୟ ପାଇଲଟଙ୍କ ଆସନରେ ବସାଇଥିଲେ। ଏଟିଆର-୭୨ ବିମାନର ସଫଳ ଅବତରଣ ପରେ ଅଞ୍ଜୁଙ୍କୁ ମୁଖ୍ୟ ପାଇଲଟର ଲାଇସେନ୍ସ ମିଳିଥାନ୍ତା। କିନ୍ତୁ ଦୁର୍ଭାଗ୍ୟବଶତଃ ଅବତରଣର ମାତ୍ର ୧୦ସେକେଣ୍ଡ ପୂର୍ବରୁ ଅଞ୍ଜୁଙ୍କ ସବୁ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଛି।

କୁହାଯାଉଛି ଯେ, ଅଞ୍ଜୁଙ୍କ ସ୍ବାମୀ ଦୀପକ ପୋଖରେଲ ମଧ୍ୟ ୟେତି ଏୟାରଲାଇନ୍ସରେ ସହ-ପାଇଲଟ୍ ଥିଲେ। ଜୁନ୍ ୨୧, ୨୦୦୬ରେ ୟେତି ଏୟାରଲାଇନ୍ସର ଏକ ବିମାନ, ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଏହି ଦୁର୍ଘଟଣାରେ ଦୀପକଙ୍କ ମୃତ୍ୟୁ ହୋଇଥିଲା।  ନେପାଳଗଞ୍ଜରୁ ସୁରଖେଟ ଦେଇ ଜୁମଲା ଯାଉଥିବାବେଳେ ୟେତି ଏୟାରଲାଇନ୍ସର  ୯ଏନ ଏଇକ୍ୟୁ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ୬ଜଣ ଯାତ୍ରୀ ଏବଂ ୪ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା।