ପିଥୋରାଗଡ଼: ନିଜର ବୋଲି ଦାବି କରି ପିଥୋରାଗଡ଼ର ଲିପୁଲେଖ, ଲିମ୍ପିୟାଧୁରା ଏବଂ କଳାପାଣି ଅଞ୍ଚଳ ଦର୍ଶାଉଥିବା ମାନଚିତ୍ରକୁ ସ୍କୁଲ୍ ପାଠବହି ଓ ମୁଦ୍ରାରେ ସାମିଲ କରିବା ଲାଗି ପଦକ୍ଷେପ ନେବା ପରେ ଏହି ସବୁ ଅଞ୍ଚଳରେ ନେପାଳ ଏବେ ଜନଗଣନା କରିବାକୁ ଯୋଜନା କରୁଛି।
ପ୍ରତି ୧୦ ବର୍ଷରେ ନେପାଳ ଜନଗଣନା କରେ। ସେହି ହିସାବରେ ପରବର୍ତ୍ତୀ ଜନଗଣନା ଆସନ୍ତା ମେ ମାସରେ ପଡୁଛି। ଏହି ଜନଗଣନାରେ ଦେଶର ଯୋଜାନ କମିସନ୍ ଏବଂ ଜାତୀୟ ପରିସଂଖ୍ୟାନ ବ୍ୟୁରୋ ଦ୍ବାରା ପରିଚାଳିତ ଏହି ଜନଗଣନାରେ ଦ୍ବାର ଦ୍ବାର ବୁଲି ସର୍ବେକ୍ଷଣ କରାଯାଏ।
ଏ ସଂକ୍ରାନ୍ତରେ ଅବଗତ ଥିବା ସୂତ୍ରରୁ ଜଣାପଡ଼ିଛି ଯେ, ଲିମ୍ପିୟାରୁଦ୍ର, କଳାପାଣି ଏବଂ ଲିପୁଲେଖ ଅଞ୍ଚଳରେ ଥିବା ଗାଁଗଣ୍ଡାରେ ବଳପୂର୍ବକ ଜନସୁମାରି କରାଇବାକୁ ନେପାଳୀ ରାଜନୈତି ନେତୃତ୍ବ ଯୋଜନା କରୁଛି। ଏଥିପାଇଁ ପ୍ରଶ୍ନାବଳୀ ମଧ୍ୟ ପ୍ରସ୍ତୁତ ସରିଲାଣି। ଦ୍ବାର ଦ୍ବାର ବୁଲି ଜନ ସୁମାରି କରିବା ସମ୍ଭବ ନ ହେଲେ, ଏହାର ବିକଳ୍ପ କଥା ମଧ୍ୟ ନେପାଳ ବିଚାର କରୁଛି।
/sambad/media/post_attachments/wp-content/uploads/2020/09/kp.jpg)
ସମ୍ପୃକ୍ତ ଅଞ୍ଚଳର ଗ୍ରାମବାସୀମାନେ କହିଛନ୍ତି, ନେପାଳ ଦ୍ବାରା ହେବାକୁ ଥିବା କୌଣସି ଜନସୁମାରିରେ ଅଂଶଗ୍ରହଣ କରିବାର ପ୍ରଶ୍ନ ହିଁ ଉଠୁନାହିଁ। ଆମ୍ଭେମାନେ ଭାରତର ନାଗରିକ। ନେପାଳୀ ସରକାରଙ୍କ ଦ୍ବାରା ପରିଚାଳିତ ଜନଗଣନାରେ କାହିଁକି ଭାଗ ନେବୁ?
ପିଥୋରାଗଡ଼ ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ଯେ, ନେପାଳୀ ସରକାରଙ୍କର ଏଭଳି ପଦକ୍ଷେପ ସଂବନ୍ଧରେ ସେମାନେ ଅବଗତ ନୁହନ୍ତି। ଯଦି ବା ସେମିତି କିଛି ଯୋଜନା ହୋଇଥାଏ, ତାହା ସାକାର ହେବ ନାହିଁ। କାରଣ, ଏଭଳି କାର୍ଯ୍ୟକ୍ରମ ପାଇଁ ନେପାଳୀ ଟିମ୍ଙ୍କୁ ସମ୍ପୃକ୍ତ ଅଞ୍ଚଳ ମଧ୍ୟକୁ ପ୍ରବେଶ କରାଇ ଦିଆଯିବ ନାହିଁ।