ଗୁଳି କରି ହତ୍ୟା ପରେ ମୃତ ଭାରତୀୟଙ୍କ ଶବକୁ ଘୋଷାଡ଼ି ଘୋଷାଡ଼ି ନେଇଯାଇଥିଲେ ନେପାଳ ପୁଲିସ

ପାଟନା: ବିହାର ସୀତାମି ନିକଟସ୍ଥ ଭାରତ-ନେପାଳ ସୀମା ନିକଟରେ ନେପାଳ ପୁଲିସ ସାମାନ୍ୟ କାରଣରୁ ଆଖିବୁଜା ଗୁଳିବର୍ଷା କରିବାରୁ ଜଣେ ଭାରତୀୟଙ୍କର ମୃତ୍ୟୁ ହୋଇଥିଲା। ମୃତ ଭାରତୀୟଙ୍କ ନାମ ବିକେଶ କୁମାର ବୋଲି ଜଣାପଡ଼ିଛି। ଏହି ଗୁଳିମାଡ଼ରେ ଅନ୍ୟ ୪ ଜଣ ଆହତ ବି ହୋଇଥିଲେ।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ବିକେଶଙ୍କ ମୃତ୍ୟୁ ପରେ ନେପାଳ ପୁଲିସ ତାଙ୍କ ଶବକୁ ଘୋଷାଡ଼ି ଘୋଷାଡି ନେପାଳ ସୀମାକୁ ନେଇ ଯାଇଥିଲା। ଏହାକୁ ଦେଖି ଗ୍ରାମବାସୀ ପାଟିତୁଣ୍ଡ କରିବା ସହ ପ୍ରତିବାଦ କରିଥିଲେ। ଏହାପରେ ନେପାଳ ପୁଲିସ ଶବକୁ ଛାଡ଼ି ଘଟଣାସ୍ଥଳରୁ ପଳାଇ ଯାଇଥିଲା। ଏହି ଘଟଣାକୁ ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

କୁହାଯାଉଛି କି, ମୃତ ବିକେଶଙ୍କ ଦୁଇବର୍ଷ ପୂର୍ବେ ବିବାହ ହୋଇଥିଲା। ସେ ତାଙ୍କ ପତ୍ନୀଙ୍କୁ ଧରି ରୋଜଗାର ପାଇଁ ଗତବର୍ଷ ପଞ୍ଜାବର ଲୁଧିୟାନା ଯାଇଥିଲେ। ଲକ୍‌ଡାଉନ୍‌ କାରଣରୁ ଘରୁ ପଳାଇ ଆସିଥିଲେ। ବିକେଶଙ୍କ ଅନ୍ତସତ୍ତ୍ୱା ପତ୍ନୀ ଗୁଞ୍ଜା ସ୍ୱାମୀଙ୍କୁ ଓ ପରିବାରବର୍ଗ ପୁଅକୁ ହରାଇ ପାଗଳପ୍ରାୟ ହୋଇପଡ଼ିଛନ୍ତି। ବିକେଶଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି।

ବିକେଶଙ୍କ ପିତା ନାଗେଶ୍ୱର କହନ୍ତି, ମୋ ପୁଅ କିଛି କରି ନଥିଲା। ସେ କେବଳ ଘଟଣାସ୍ଥଳରେ ଛିଡ଼ା ହୋଇଥିଲା। କିନ୍ତୁ ନେପାଳ ପୁଲିସ ତା’ ଉପରକୁ ଗୁଳି ଚଳାଇ ଥିଲେ। କେବଳ ଏତିକି ନୁହେଁ, ଗୁଳି ମାରିବା ପରେ ବିକେଶର ମୃତଦେହକୁ ଘୋଷାଡ଼ି ଘୋଷାଡ଼ି ନେପାଳ ନେଇଯାଉଥିଲେ। ଗ୍ରାମବାସୀ ବିରୋଧ କରିବାରୁ ନେପାଳ ପୁଲିସ ପୁଅର ମୃତଦେହକୁ ଛାଡ଼ି ପଳାଇଥିଲେ। ଏହାପରେ ଆମେ ପୁଅର ମୃତଦେହକୁ ଗ୍ରାମକୁ ଆଣିଥିଲୁ।

bihar_061420123847.jpg

ଉଲ୍ଲେଖଯୋଗ୍ୟ, ସୀତାମି ଜିଲ୍ଲା ସୋନେବର୍ଷା ଥାନା ଅଧୀନସ୍ଥ ମୋହବା ଗ୍ରାମର ଲାଲବନ୍ଦ-ଜାନ୍‌କୀ ନଗର ସୀମାରେ କିଛି ସ୍ଥାନୀୟ ବ୍ୟକ୍ତି ସେମାନଙ୍କ କୃଷିକ୍ଷେତ୍ରରେ କାମ କରୁଥିବା ବେଳେ କୌଣସି ଏକ ଅଞ୍ଚଳକୁ ନେଇ ସେମାନଙ୍କର ନେପାଳ ସଶସ୍ତ୍ର ପୁଲିସ ବାହିନୀ ସହ ବଚସା ହୋଇଥିଲା। ଏହାପରେ ନେପାଳ ପୁଲିସ ଆଖିବୁଜା ଗୁଳି ଚାଳନା କରିଥିଲେ।

ସମ୍ବନ୍ଧିତ ଖବର