ସୀମାରେ ନେପାଳ ପୁଲିସର ଆଖିବୁଜା ଗୁଳିମାଡ଼: ଜଣେ ଭାରତୀୟ ମୃତ, ୪ ଆହତ

ପାଟନା: ବିହାର ସୀତାମଢ଼ି ନିକଟସ୍ଥ ଭାରତ-ନେପାଳ ସୀମା ନିକଟରେ ଆଜି ନେପାଳ ପୁଲିସ ସାମାନ୍ୟ କାରଣରୁ ଆଖିବୁଜା ଗୁଳିବର୍ଷା କରିବାରୁ ଜଣେ ଭାରତୀୟଙ୍କ ମୃତ୍ୟୁ ଘଟିଛି ଏବଂ ଗୁଳିମାଡ଼ରେ ଅନ୍ୟ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି। ସୀତାମଢ଼ି ଜିଲ୍ଲା ସୋନେବ‌ର୍ଷା ଥାନା ଅଧୀନସ୍ଥ ମୋହବା ଗ୍ରାମର ଲାଲ୍‌ବନ୍ଦି-ଜାନ୍‌କୀ ନଗର ସୀମାରେ ଆଜି କିଛି ସ୍ଥାନୀୟ ବ୍ୟକ୍ତି ସେମାନଙ୍କ କୃଷିକ୍ଷେତ୍ରରେ କାମ କରୁଥିବା ବେଳେ କୌଣସି ଏକ ଅଞ୍ଚଳକୁ ନେଇ ସେମାନଙ୍କର ନେପାଳ ସଶସ୍ତ୍ର ପୁଲିସ ବାହିନୀ ସହ ବଚସା ‌ହୋଇଥିଲା। ଏହାପରେ ନେପାଳ ପୁଲିସ ଆଖିବୁଜା ଗୁଳି ଚାଳନା କରିଥିଲା। କ୍ଷେତରେ କାମ କରୁଥିବା ଜଣେ କୃଷକ ନେପାଳ ପୁଲିସ ଗୁଳିରେ ଟଳି ପଡ଼ିଥିଲେ। ପାଟନା ଫ୍ରଣ୍ଟିୟରର ଏସ୍‌ଏସ୍‌ବି ଆଇଜି ସଂଜୟ କୁମାର କହିଛନ୍ତି ଯେ ଭାରତୀୟ କୃଷକଙ୍କୁ ନେପାଳ ପୁଲିସ ଟା‌ର୍ଗେଟ୍‌ କରି ଏଭଳି ଆକ୍ରମଣ କରିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଭାରତର ଜଣେ କୃଷକଙ୍କୁ ମଧ୍ୟ ନେପାଳ ପୁଲିସ ଅଟକ ରଖିଛି ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ତେବେ ନେପାଳ ପୁଲିସ କହିଛି ଯେ, ସ୍ଥାନୀୟ ଲୋକେ ସେମାନଙ୍କ ଅସ୍ତ୍ର ଛଡ଼ାଇବାକୁ ଉଦ୍ୟମ କରିବାରୁ ସେମାନେ ଗୁଳି ଚଳାଇଥିଲେ। ପୁଲିସ ଗୁଳିମାଡ଼ରେ ପ୍ରାଣ ହରାଇଥିବା ଯୁବ ଚାଷୀଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ନାମ ଦିନେଶ କୁମାର। ସେ ସୀତାମଢ଼ି ଜିଲ୍ଲା ଅଧୀନସ୍ଥ ଜାନ୍‌କୀନଗର ବାସିନ୍ଦା। ଲଗନ ରାୟ ନାମକ ଜଣେ ବ୍ୟକ୍ତିଙ୍କୁ ନେପାଳ ପୁଲିସ ଅଟକ ରଖିଥିବାରୁ ଏ ବାବଦରେ ଅଧିକ ଖୋଳତାଡ଼ ଜାରି ରହିଛି।

ନେପାଳର ବିବାଦୀୟ ମାନଚିତ୍ରକୁ ନେଇ ଭାରତ ଓ ନେପାଳ ମଧ୍ୟରେ ସଂପର୍କ ତିକ୍ତ ହୋଇଉଠିଥିବା ସମୟରେ ନେପାଳ ପୁଲିସର ଏଭଳି କାର୍ଯ୍ୟ ମାମଲାକୁ ଆହୁରି ଗମ୍ଭୀର କରିଦେଇଛି। ସୀମାବର୍ତ୍ତୀ ଗ୍ରାମଗୁଡ଼ିକରେ ଏବେ ଉତ୍ତେଜନା ଲାଗି ରହିଛି ଏବଂ ନେପାଳ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର