ନୂଆଦିଲ୍ଲୀ : ପୁଣି ଥରେ ଭାରତକୁ ଚ୍ୟାଲେଞ୍ଜ କରିଛି ନେପାଳ । ଭାରତୀୟ ଅଞ୍ଚଳ କାଲାପାନି, ଲିପୁଲେଖ ଓ ଲିମ୍ପିଆଧୁରାକୁ ନିଜ ଅଞ୍ଚଳ ବୋଲି କହୁଥିବା ନେପାଳ ନିଜର ସଂଶୋଧିତ ମାନଚିତ୍ରକୁ ଜାତିସଂଘକୁ ନେଇଯିବାକୁ ଘୋଷଣା କରିଛି । ଏହା ସହିତ ଏହି ମାନଚିତ୍ରକୁ ଗୁଗୁଲ ମ୍ୟାପରେ ଦର୍ଶାଇବାକୁ ଗୁଗୁଲକୁ ପ୍ରଦାନ କରିବାକୁ ଘୋଷଣା କରିଛି ।

Advertisment

ଏ ସଂପର୍କରେ ନେପାଳର ଭୂମି ପରିଚାଳନା ମନ୍ତ୍ରୀ ପଦ୍ମ ଅରୟଲ ସୂଚନା ଦେଇ କହିଛନ୍ତି ଯେ ନେପାଳ ସରକାର ଏହି ସଂଶୋଧିତ ମାନଚିତ୍ରର ୨୫ ହଜାର କପି ପ୍ରିଣ୍ଟ କରି ନିଜର ବିଭିନ୍ନ ବିଭାଗକୁ ପ୍ରଦାନ କରିଛନ୍ତି । ଗତ କାଲି ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗଓ୍ଵାଲି କହିଥିଲେ ଯେ ଏ ସଂପର୍କରେ ଆଲୋଚନା ପାଇଁ ଭାରତକୁ ପୂର୍ବରୁ ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା ।

ଲିପୁଲେଖ, କାଲାପାନି ଓ ଲିମ୍ପିଆଧୁରା ଅଞ୍ଚଳ ଭାରତୀୟ ସୀମା ମଧ୍ୟରେ ଆସୁଥିବାବେଳେ ଗତ କିଛି ମାସ ହେଲା ନେପାଳ ଏହାକୁ ନିଜର ବୋଲି କହୁଛି । ନେପାଳକୁ ଉସୁକାଇ ଚୀନ ଭାରତ ସହ ଉତ୍ତେଜନା ସୃଷ୍ଟି କରୁଥିବା ଅନୁମାନ କରାଯାଉଛି ।
ଗତ ଏପ୍ରିଲ ମାସରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲିପୁଲେଖ ପାସ ନିକଟରେ ଏକ ୮୦ କିମି ଲମ୍ବ ରାସ୍ତା ଓ ପୋଲ ଉଦଘାଟନ କରିବାପରେ ନେପାଳ ତାହାକୁ ବିରୋଧ କରିଚାଲିଛି । ଲିପୁଲେଖ, କାଲାପାନି ଓ ଲିମ୍ପିଆଧୁରା ଅଞ୍ଚଳକୁ ନିଜର ଅଞ୍ଚଳ ଦର୍ଶାଇ ନିଜ ସଂସଦରେ ଏକ ପ୍ରସ୍ତାବ ଗୃହୀତ କରିଛି ।