ନୂଆଦିଲ୍ଲୀନେପାଳରେ ସୋସିଆଲ ମିଡ଼ିଆ ଫେସବୁକ, ହ୍ଵାଟ୍ସଆପ ଓ ଏକ୍ସ ସମେତ ୨୬ଟି ସୋସିଆଲ ମିଡ଼ିଆ ସାଇଟ ଉପରେ ବ୍ୟାନ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ ସରକାର। ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ନେପାଳର ଜେନ୍ ଜି ପିଢ଼ି(୧୯୯୬ ରୁ ୨୦୧୦ ମଧ୍ୟରେ ଜନ୍ମିତ ବ୍ୟକ୍ତି)। ଏହି ପ୍ରତିବାଦରେ ଏକାଧିକ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମଙ୍ଗଳବାର ଏହି ପ୍ରତିବାଦ ସୀମା ପାର୍ କରିଥିବା ବେଳେ ଏବେ ଟିକେ ଥଣ୍ଡା ପଢ଼ିଛି ନେପାଳ। ସରକାର ପ୍ରତିବନ୍ଧକ ହଠାଇ ସାରିବା ପରେ ବି ପ୍ରତିବାଦର ନିଆଁ କୁହୁଳିଥିଲା, ଯେଉଁଥିରେ ସ୍ବାହା ହୋଇଥିଲା ଦେଶର ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ସମେତ ଅନେକ ବଡ଼ ବଡ଼ ନେତାଙ୍କ ଘର। ସ୍ଥିତି ଅଣାୟତ୍ତ ହେବା ଦେଖି ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଇସ୍ତଫା ଦେବା ସହ ଗୃହମନ୍ତ୍ରୀଙ୍କ ସମେତ କ୍ଷମତାରେ ଥିବା ଦଳର ପ୍ରାୟ ସବୁ ନେତା ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ। ଜୀବନ ବଞ୍ଚାଇବା ପାଇଁ ସମସ୍ତେ ନିଜ ଘର ଛାଡ଼ିଥିବା ବେଳେ ଏବେ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି। 

Advertisment

ଗୋଟାଏ ରାତି ମଧ୍ୟରେ ସରକାର ଭାଙ୍ଗିବା ସହ ଏବେ ନେପାଳର ଜେନ୍-ଜି ନୂଆ ସରକାର ଗଠନ ନେଇ ପ୍ରାର୍ଥୀଙ୍କ ନାମ ଦେବା ଆରମ୍ଭ କରିଛନ୍ତି। ଏଭଳି ରାତାରାତି ସରକାର ଭାଙ୍ଗିବା କିଛି ନୂଆ ନୁହେଁ। କିଛି ମାସ ତଳେ ବଂଲାଦେଶରେ ମଧ୍ୟ ସମାନ ଘଟଣା ଘଟିଥିଲା, ଯେଉଁଠି ଲୋକଙ୍କ କ୍ରୋଧ ଦେଖି ଡରରେ ଦେଶ ଛାଡ଼ିଥିଲେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ତେବେ ବର୍ଷ ବର୍ଷ ହେଲାଣି ଚାରିପାଖରେ ହିଂସାର ଜ୍ବାଳା ଜଳୁଥିବା ବେଳେ ଅଟଳ ହୋଇ ଛିଡ଼ା ହୋଇ ଭାରତ। ପଡ଼ୋଶୀ ରାଷ୍ଟ୍ରରେ ଜନତା ନିଜ ନେତାମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ବେଳେ ଭାରତରେ ରହିଛି ଶାନ୍ତିର ବାତାବରଣ। ଭାରତର ସମ୍ବିଧାନ ପାଇଁ ଏହା ସମ୍ଭବ ହୋଇପାରିଥିବା କୁହାଯାଉଛି। ଭାରତରେ ମଧ୍ୟ ଅନ୍ୟ ଦେଶ ଭଳି ବିରୋଧୀ ଦଳ ଅଛନ୍ତି। କିନ୍ତୁ କେବେ ବି ପରିସ୍ଥିତି ଏତେ ଭୟଙ୍କର ହୋଇନାହିଁ। ଆଜି ଆମେ ଭାରତର ପଡୋଶୀ ରାଷ୍ଟ୍ର ଓ ସେଠାରେ ହୋଇଥିବା ସରକାର ବିରୋଧୀ ପ୍ରତିବାଦ ଏବଂ ଅଶାନ୍ତି ବିଷୟରେ ଜଣାଇବୁ।

୧. ଯଦି ଆମେ ବାଂଲାଦେଶ କଥା କହିବା ତେବେ ଅଗଷ୍ଟ ୨୦୨୪ରେ, ବାଂଲାଦେଶ ଏକ ବିରାଟ ରାଜନୈତିକ ଅସ୍ଥିରତା ଦେଖିଥିଲା। ପ୍ରଧାନମନ୍ତ୍ରୀ ଶେଖ ହସିନା ସରକାର ବିରୋଧରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ଯେଉଁଥିରେ ୬୦୦ ଲୋକ ପ୍ରାଣ ହରାଇଥିଲେ।  ଜନତାଙ୍କ ବିରୋଧ ପରେ ଇସ୍ତଫା ଦେଇଥିଲେ ଶେଖ ହସିନା। ଇସ୍ତଫା ପରେ ସେନା ଦେଶର ଦାୟିତ୍ବ ନେଇଥିଲା। ସଂରକ୍ଷଣ ପାଇଁ ହିଂସାତ୍ମକ ବିରୋଧକୁ ଦୃଷ୍ଟିରେ ରଖି ଶେଖ ହସିନା ଇସ୍ତଫା ଦେବା ସହ ଜୀବନ ବଞ୍ଚାଇବାକୁ ବାଂଲାଦେଶ ଛାଡି ଭାରତ ଚାଲିଆସିଥିଲେ। ଏହା ପରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା।

୨. ମ୍ୟାମାରର ବିଶେଷକରି ଚିନ୍ ରାଜ୍ୟରେ ଆଭ୍ୟନ୍ତରୀଣ ସଂଘର୍ଷ ତୀବ୍ର ହୋଇଛି, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ଶରଣାର୍ଥୀ ସଙ୍କଟ ସୃଷ୍ଟି କରିଛି। ୨୦୨୧ ମସିହାରେ ଆରମ୍ଭ ହୋଇଥିବା ସାମରିକ ବିଦ୍ରୋହ ପରଠାରୁ ୬୫ହଜାରରୁ ଅଧିକ ଶରଣାର୍ଥୀ ଭାରତକୁ ଚାଲି ଆସିଛନ୍ତି। ରଏଟର୍ସ ରିପୋର୍ଟ କରିଛି ଯେ, ମିଜୋରାମ ଏହି ଶରଣାର୍ଥୀଙ୍କ ପାଇଁ ଏକ ପ୍ରାଥମିକ ଗନ୍ତବ୍ୟସ୍ଥଳ ପାଲଟିଛି। ହଜାର ହଜାର ଶରଣାର୍ଥୀ ଏଠାରେ ଆଶ୍ରୟ ନେଉଛନ୍ତି। ଏହା ସ୍ଥାନୀୟ ସମ୍ବଳ ଉପରେ ଚାପ ପକାଇଛି ଏବଂ ଅଞ୍ଚଳରେ ଜାତିଗତ ଉତ୍ତେଜନାକୁ ବୃଦ୍ଧି କରିଛି।

୩. ୨୦୦୧ ମସିହାରେ ଆଫଗାନ ସଂଘର୍ଷ ଆରମ୍ଭ ହୋଇଥିଲା ଯେତେବେଳେ ୯/୧୧ ଆକ୍ରମଣ ପରେ ଆମେରିକା ନେତୃତ୍ୱାଧୀନ ନାଟୋ ସେନା ତାଲିବାନକୁ କ୍ଷମତାରୁ ହଟାଇ ଅଲ-କାଏଦାକୁ ଟାର୍ଗେଟ କରିବା ପାଇଁ ହସ୍ତକ୍ଷେପ କରିଥିଲେ। ଏହି ଯୁଦ୍ଧ ଦୁଇ ଦଶନ୍ଧି ଧରି ଅର୍ଥାତ୍ ୨୦୨୧ ମସିହା ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିଥିଲା। ହେଲେ ଏହା ପରେ ଆମେରିକା ନିଜ ସୈନ୍ୟମାନେ ଦେଶରୁ ପ୍ରତ୍ୟାହାର କରିନେଇଥିଲା। ସୈନ୍ୟ ପ୍ରତ୍ୟାହାର ପରେ, ତାଲିବାନ ପୁଣି ଆଫଗାନସ୍ତାନକୁ କବଜାକୁ ନେଇ ରାଜ୍ ଆରମ୍ଭ କରିଥିଲା। ଏବେ ବି କିଛି ଅଞ୍ଚଳରେ ତାଲିବାନ, ଆଇଏସଆଇଏସ୍-କେ ଏବଂ ତାଲିବାନ ବିରୋଧୀ ରିପବ୍ଲିକାନ୍ ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି।

୪. ଶ୍ରୀଲଙ୍କା ୨୦୨୨ ମସିହାରେ ଆରମ୍ଭ ହୋଇଥିବା ଆର୍ଥିକ ସଙ୍କଟର କବଳରେ ଏବେ ବି ରହିଛି। ଇନ୍ଧନ, ଖାଦ୍ୟ, ଔଷଧର ଅଭାବ ଏବଂ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ପରିସ୍ଥିତିକୁ ଆହୁରି ଖରାପ କରିଛି। ୨୦୨୨ରେ ଏନେଇ ଜନତା ବିରୋଧ କରିବାରୁ ଦେଶ ଛାଡ଼ି ମାଳଦ୍ବୀପକୁ ଖସି ପଳାଇଥିଲେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ। ସେଠାରୁ ସେ ସିଙ୍ଗାପୁର ଯିବା ପରେ ଇସ୍ତଫା ଦେଇଥିଲେ। ତାଙ୍କ ସହ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ମଧ୍ୟ ଇସ୍ତଫା ଦେଇଥିଲେ।ତାଙ୍କ ପରେ ରାନିଲ ବିକ୍ରମସିଂଘେ ରାଷ୍ଟ୍ରପତି ପଦ ଗ୍ରହଣ କରିଥିଲେ। କିନ୍ତୁ ନିରନ୍ତର ବିରୋଧର ସମ୍ମୁଖୀନ ହୋଇଥିଲେ। ୨୦୨୪ରେ ନିର୍ବାଚନ ହେବା ପରେ ଅନୁରା କୁମାରା ଦିସାନାୟକେ ଏବଂ ନ୍ୟାସନାଲ ପିପୁଲ୍ସ ପାୱାର ଗଠବନ୍ଧନ କ୍ଷମତାକୁ ଆସିଥିଲା।

୫. ପାକିସ୍ତାନ ଲଗାତାର ରାଜନୈତିକ ଅସ୍ଥିରତା ଲାଗି ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଅନାସ୍ଥା ଭୋଟ ମାଧ୍ୟମରେ ହଟାଯିବା ପରେ ପାକିସ୍ତାନରେ ଅଶାନ୍ତି ସୃଷ୍ଟି ହୋଇଥିଲା। ଦେଶବ୍ୟାପୀ ପ୍ରତିବାଦ, ରାଲି, ପ୍ରାଦେଶିକ ବିଧାନସଭା ଭଙ୍ଗ ହେବା ସହ ନଭେମ୍ବର ୨୦୨୨ରେ ଖାନଙ୍କ ଉପରେ ବିଫଳ ହତ୍ୟା ଉଦ୍ୟମ କରାଯାଇଥିଲା।ତେହେରିକ-ଏ-ତାଲିବାନ୍ ପାକିସ୍ତାନ (ଟିଟିପି) ପରି ଗୋଷ୍ଠୀଗୁଡ଼ିକ ଉତ୍ତର-ପଶ୍ଚିମ ପାକିସ୍ତାନ ଏବଂ ବେଲୁଚିସ୍ତାନରେ ଆକ୍ରମଣକୁ ତୀବ୍ର କରିଛନ୍ତି। ପ୍ରାୟତଃ ଡ୍ରୋନ୍ ସାହାଯ୍ୟରେ ରାସ୍ତାପାର୍ଶ୍ବରେ ବୋମା ବିସ୍ଫୋରଣ କରାଯାଉଛି।ପାକିସ୍ତାନର ଆର୍ଥିକ ସଙ୍କଟ, ଉଚ୍ଚ ମୁଦ୍ରାସ୍ଫୀତି, ବେକାରୀ ସମସ୍ୟା, ଆଇଏମଏଫ ଉପରେ ନିର୍ଭରଶୀଳତା ଏବଂ ମାରାତ୍ମକ ବନ୍ୟା ଭଳି ଜଳବାୟୁ ସମ୍ବନ୍ଧୀୟ ବିପର୍ଯ୍ୟୟ ଅଶାନ୍ତିକୁ ବଢାଇ ଦେଇଛି।