କାଠମାଣ୍ଡୁ: ଏପଟେ କୋହଳ ହେଉଛି କର୍ଫ୍ୟୁ, ସେପଟେ ବଢୁଛି ମୃତ୍ୟୁ ସଂଖ୍ୟା । ନେପାଳରେ ହିଂସାରେ ବଢୁଛି ମୃତ୍ୟୁ ସଂଖ୍ଯା । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ମୃତ୍ୟୁ ସଂଖ୍ଯା ୫୧ ଛୁଇଁଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି କି ବିଦ୍ରୋହ ଏବଂ ହିଂସା ସମୟରେ ୩୦ ଜଣଙ୍କ ମୃତ୍ୟୁ ଗୁଳିମାଡ଼ରେ ହୋଇଥିବା ବେଳେ  ୨୧ ଜଣଙ୍କ ମୃତ୍ୟୁ ନିଆଁରେ ପୋଡି, ଆହତ ଏବଂ କ୍ଷତାକ୍ତ ପରେ ଚିକିତ୍ସାଧିନ ଅବସ୍ଥାରେ ହୋଇଛି ।

Advertisment

ସେପଟେ ସେପ୍ଟେମ୍ବର ୮ ତାରିଖରେ କାଠମାଣ୍ଡୁରେ ଜଳିଥିବା ବିଦ୍ରୋହର ନିଆଁ ଧିରେଧିରେ ଲିଭୁଛି । କାଠମାଣ୍ଡୁରେ ସ୍ଥିତି ସୁଧୁରୁଛି ଏବଂ ଶାନ୍ତି ଫେରୁଛି । ଯଦିଓ କର୍ଫ୍ୟୁ ଏବେବି ଜାରି ରହିଛି ମାତ୍ର କିଛି ସ୍ଥାନରେ କୋହଳ ହୋଇଛି । ସଂଧ୍ଯା ୫ଟା ଯାଏଁ କର୍ଫ୍ୟୁ ଜାରି ରହୁଥିବା ବେଳେ ମାତ୍ର ୨ ଘଣ୍ଟା ପାଇଁ କୋହଳ ପରେ ପୁଣି ସଂଧ୍ଯା ୭ରୁ ସକାଳ ୬ ଯାଏଁ କର୍ଫ୍ୟୁ ରହୁଛି ।

ହେଲେ ଅନେକ ସ୍ଥାନରେ କର୍ଫ୍ୟୁ କୋହଳ କରାଯାଇଛି । କର୍ଫ୍ୟୁ କୋହଳ ପରେ ଭାରଚ ନେପାଳ ସୀମାରେ ଥିବା ଚେକପୋଷ୍ଟରେ ଲୋକଙ୍କୁ ଯାଞ୍ଚ କରି ଛଡାଯାଉଛି । ସେପଟେ ଦେଶର ନିରପତ୍ତା ଓ ଶାନ୍ତି ପାଇଁ ନେପାଳ ସେନା ପକ୍ଷରୁ ଜାରି ରହିଛି ପ୍ରୟାସ । ନେପାଳରେ ଜେନ୍- ଜେଡ୍ ଯୁବକଗୋଷ୍ଠୀଙ୍କ ଆନ୍ଦୋଳନ ଫଳରେ ପି.କେ ଶର୍ମା ଓଲିଙ୍କ ସରକାର ଭାଙ୍ଗି ଯାଇଛି ।  ଆନ୍ଦୋଳନ ଥମିଥିବା ବେଳେ ଏବେ ଅନ୍ତରୀଣ ସରକାର ଗଠନ ପାଇଁ କିଏ ନେତୃତ୍ବ ନେବେ ସେନେଇ ଚାଲିଛି ଆଲୋଚନା ଓ ବୈଠକ । ଏହାରି ଭିତରେ ଦେଶର ପ୍ରମୁଖ ସହରରେ କର୍ଫ୍ୟୁକୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । କାଠମାଣ୍ଡୁରେ ବଜାରଗୁଡ଼ିକ ସାମୟିକ ଭାବେ ଖୋଲିଛି । କିନ୍ତୁ ସରକାରୀ ଯାନବାହନ ଚଳାଚଳ ବନ୍ଦ ରହିଛି । ଏବେ ସ୍ଥିତି ନିୟନ୍ତ୍ରଣ କରୁଛନ୍ତି ସେନା । ସେପଟେ ଜେଲରୁ ପଳାଇଥିବା କଏଦୀଙ୍କୁ ବାନ୍ଧି ଜେଲକୁ ଫେରାଇ ଅଣାଯାଇଥିବା ସୂଚନା ମିଳିଛି ।