ଓଲି ସରକାରଙ୍କ ପଦକ୍ଷେପ କେବଳ ରାଜନୈତିକ ଲାଭ ପାଇଁ ଉଦ୍ଦିଷ୍ଟ, ଏବେ କଥାବାର୍ତ୍ତାର ଦାୟିତ୍ୱ ନେପାଳର : ଭାରତ

ନୂଆଦିଲ୍ଲୀ : ନେପାଳ ଦ୍ୱାରା ଭାରତୀୟ ଅଞ୍ଚଳକୁ ନିଜ ବୋଲି ଦର୍ଶାଇ ମାନଚିତ୍ର ସଂଶୋଧନ କରିବା ପଦକ୍ଷେପକୁ ଭାରତ ଗୁରୁତ୍ୱର ସହ ନେଇଛି । ଭାରତ ପକ୍ଷରୁ ସୋମବାରଦିନ କୁହାଯାଇଛି ଯେ ନେପାଳ ସରକାରଙ୍କ ଏହି ପଦକ୍ଷେପ କେବଳ ଏକ ରାଜନୈତିକ ଲାଭ ପାଇଁ ଉଦ୍ଦିଷ୍ଟ । କିନ୍ତୁ ଭାରତ ସରକାର ଏହାକୁ ସମର୍ଥନ କରନ୍ତି ନାହିଁ, କାରଣ ଏହା ସତ୍ୟ ଉପରେ ପର୍ଯ୍ୟବେଶିତ ନୁହେଁ ।

ମିଳିଥିବା ସୂଚନା ଅନୁସାରେ ଭାରତ ସରକାର ନେପାଳ ସହ କୂଟନୈତିକ ସ୍ତରୀୟ କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ନେପାଳ ସରକାର ତାହାକୁ ଏଡ଼େଇ ଯାଇଥିଲେ ଓ ସଂସଦରେ ବିଲ ଆଗତ କରି ଗୃହୀତ କରିନେଇଥିଲେ । ଏପରିକି ଓଲି ସରକାର ନିଜ ଦେଶବାସୀଙ୍କୁ ଭାରତର ଆଲୋଚନା ପ୍ରସ୍ତାବ କଥା କହିନଥିଲେ । ଏହା ଦ୍ୱାରା କଥାବାର୍ତ୍ତାର ସବୁ ବାଟ ବନ୍ଦ ହୋଇଯାଇଛି । ଏବେ ଆଲୋଚନା ପାଇଁ ସକାରାତ୍ମକ ବାତାବରଣ କିପରି ସୃଷ୍ଟି କରାଯିବ ତାହା ନେପାଳର ଦାୟିତ୍ୱ ବୋଲି ଭାରତ କହିଛି ।

ଭାରତର ତୀବ୍ର ବିରୋଧ ସତ୍ତ୍ୱେ ନେପାଳ ସଂସଦରେ ସଂଶୋଧିତ ମାନଚିତ୍ର ବିଲ ଗୃହୀତ ହୋଇଯାଇଛି । ସଂଶୋଧିତ ମାନଚିତ୍ରରେ ଭାରତୀୟ ଅଞ୍ଚଳ କାଲାପାନି, ଲିପୁଲେଖ ଓ ଲିମ୍ପିଆଧୁରାକୁ ନେପାଳର ଅଞ୍ଚଳଭାବେ ସାମିଲ କରାଯାଇଛି । ଗତ ମେ ୮ରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂ ଲିପୁଲେଖ ପାସ ସହ ଉତ୍ତରାଖଣ୍ଡର ଦାରୁଚଲାକୁ ଯୋଡୁଥିବା ୮୦ କିଲୋମିଟର ରାସ୍ତାକୁ ଉଦଘାଟନ କରିବା ପରେ ନେପାଳ ତାହାକୁୁ ବିରୋଧ କରିଥିଲା । ତାହା ପରଠାରୁ ଦୁଇଦେଶ ମଧ୍ୟରେ ସଂପର୍କ ଖରାପ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର