ନୂଆଦିଲ୍ଲୀ: କର୍ମକ୍ଷେତ୍ରରେ ନିଜ ଅଧୀନରେ କାମ କରୁଥିବ‌ା ଜଣେ କର୍ମଚାରୀଙ୍କୁ ଲୁଚାଛପା ପ୍ରେମ କରି ଆଉ ଜଣେ ସିଇଓ ଚାକିରିରୁ ତଡ଼ା ଖାଇଛନ୍ତି। ସେ ହେଉଛନ୍ତି ବିଶ୍ବର ଅଗ୍ରଣୀ ଖାଦ୍ୟ ବ୍ରାଣ୍ଡ୍‌ ନେସ୍‌ଲେର ସିଇଓ ଲରେଣ୍ଟ ଫ୍ରେଇକ୍ସ। ସେ ଜଣେ ଅଧସ୍ତନଙ୍କୁ ଲୁଚାଛପା ପ୍ରେମ କରୁଥିବା ଏକ ତଦନ୍ତରୁ ଜଣାପଡ଼ିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କର ସେହି ଆଚରଣ କମ୍ପାନିର ଆଚରଣ ବିଧିର ଉଲ୍ଲଂଘନ ଥିଲା। କମ୍ପାନିର ଅଧ୍ୟକ୍ଷ ପଲ ବୁଲ୍‌କେ ସେହି ତଦନ୍ତର ତଦାରଖ କରିଥିଲେ। ଏଥି ସହିତ ଫ୍ରେଇକ୍ସଙ୍କ ସ୍ଥାନରେ ଫିଲିପ ନଭରାଟିଲଙ୍କୁ ନୂଆ ସିଇଓ ଭାବେ ନିଯୁକ୍ତ କରାଯାଇଛି। 

Advertisment

୨୦୨୪ରେ ଲରେଣ୍ଟଙ୍କୁ ନେସ୍‌ଲେର ସିଇଓ ଭାବେ ନିଯୁକ୍ତି ମିଳିଥିଲା। ସେ ଫ୍ରାନ୍ସରେ ପ୍ରଥମେ କମ୍ପାନିରେ ଯୋଗଦେଇ ସେଲ୍‌ସ ଓ ମାର୍କେଟିଂ ବିଭାଗର କାମ କରିଥିଲେ। ୧୯୯୯ରେ ତାଙ୍କୁ ପୁଷ୍ଟି ବିଭାଗର ମୁଖ୍ୟ ଭ‌ାବେ ପଦୋନ୍ନତି ମିଳିଥିଲା। ୨୦୦୩ରେ ତାଙ୍କୁ ନେସ୍‌ଲେ ହଙ୍ଗେରି ଓ ୨୦୦୭ରେ ନେସ୍‌ଲେ ଆଇବେରିଆନ୍‌ର ସିଇଓ ଭାବେ ନିଯୁକ୍ତ କରାଯାଇଥିଲା। ୨୦୦୮ରେ ସେ କମ୍ପାନିର ବୋର୍ଡରେ କାର୍ଯ୍ୟନିର୍ବାହୀ ଉପସଭାପତି ଭାବେ ଯୋଗଦେଇଥିଲେ। 

କିଛି ଦିନ ପୂର୍ବେ ‌ପ୍ରଯୁକ୍ତି କମ୍ପାନି ଆଷ୍ଟ୍ରୋନମର୍‌ର ସିଇଓ ଆଣ୍ଡି ବ୍ରାୟନ ମଧ୍ୟ କମ୍ପାନିର ମାନବ ସମ୍ବଳ ପ୍ରବନ୍ଧକ କ୍ରିଷ୍ଟିନ କ୍ୟାବୋଟଙ୍କୁ ପ୍ରେମ କରି ଚାକିରିରୁ ବିଦା ହୋଇଥିଲେ। ଏକ କୋଲ୍ଡପ୍ଲେ କନସର୍ଟରେ ବ୍ରାୟନଙ୍କ ବାହୁବନ୍ଧନରେ କ୍ରିଷ୍ଟିନ ଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହାପରେ କମ୍ପାନି ପକ୍ଷରୁ ତାଙ୍କୁ ଚାକିରିରୁ ବିଦା କରିବା ଭଳି କଠୋର ପଦକ୍ଷେପ ନେବାକୁ ପଡ଼ିଥିଲା।