ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ବଡ଼ ଧରଣର ଅନିୟମିତତା ଅଭିଯୋଗ ଆସିବା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) କାର୍ଯ୍ୟର ଯାଞ୍ଚ ପାଇଁ କେନ୍ଦ୍ର ସରକାର ଗୁରୁବାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ତ୍ରୁଟିଶୂନ୍ୟ ପରୀକ୍ଷା ଆୟୋଜନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଏବଂ ଏନ୍‌ଟିଏ କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଉଛି ବୋଲି ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହାସହିତ ସେ ସ୍ପଷ୍ଟ କରିଛନ୍ତି ଯେ ଏହି ମାମଲାରେ ଯିଏ ବି ଦୋଷୀ ଥାଉନା କାହିଁକି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

ୟୁଜିସି-ନେଟ୍‌ ପ୍ରଶ୍ନପତ୍ର ଡାର୍କନେଟ୍‌ରେ ପ୍ରଘଟ ହୋଇଛି: ଶିକ୍ଷାମନ୍ତ୍ରୀ
ଦୋଷୀକୁ ଛଡ଼ାଯିବ ନାହିଁ, କାର୍ଯ୍ୟାନୁଷ୍ଠାନ ‌େହବ
ଛାତ୍ରଛାତ୍ରୀଙ୍କ ଅଧିକାର ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଏନ୍‌ଟିଏର ଢାଞ୍ଚା, କାର୍ଯ୍ୟକାରିତା, ପରୀକ୍ଷା ପ୍ରକ୍ରିୟା, ସ୍ୱଚ୍ଛତା ଏବଂ ଡାଟା ସୁରକ୍ଷା ପ୍ରୋଟୋକଲରେ ଆହୁରି ଉନ୍ନତି ଆଣିବା ପାଇଁ ଉଚ୍ଚସ୍ତରୀୟ କମିଟିଠାରୁ ସୁପାରିସ ଆଶା କରାଯାଉଛି। ଦୋଷୀ ସାବ୍ୟସ୍ତ ହେଲେ ଏନ୍‌ଟିଏର ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମୁଁ ସମସ୍ତଙ୍କୁ ଆଶ୍ୱାସନା ଦେବାକୁ ଚାହୁଛି ଯେ ଛାତ୍ରଛାତ୍ରୀଙ୍କ ଅଧିକାରର ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ସ୍ୱଚ୍ଛତା ସହ ଆମେ କୌଣସି ସାଲିସ କରିବୁ ନାହିଁ ଏବଂ ସାମାନ୍ୟ ତ୍ରୁଟି ମଧ୍ୟ ବରଦାସ୍ତ କରାଯିବନାହିଁ। ସେ କହିଛନ୍ତି ଯେ ନିଟ୍ ପରୀକ୍ଷାରେ ଅନିୟମିତତା ନେଇ ବିହାର ସରକାରଙ୍କ ଠାରୁ ସୂଚନା ମିଳିଛି। ପାଟନା ପୋଲିସ ଏହି ଘଟଣାର ତଦନ୍ତ କରୁଛି ଏବଂ ଖୁବଶୀଘ୍ର କେନ୍ଦ୍ର ସରକାରଙ୍କୁ ଏକ ବିସ୍ତୃତ ରିପୋର୍ଟ ପଠାଇବ। ପ୍ରାଥମିକ ସୂଚନାରୁ ତ୍ରୁଟି କେବଳ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ ରହିଥିବା ଜଣାପଡ଼ୁଛି ବୋଲି ପ୍ରଧାନ କହିଛନ୍ତି। ଆମ ବ୍ୟବସ୍ଥା ଉପରେ ବିଶ୍ୱାସ ରଖିବାକୁ ହେବ ଏବଂ କୌଣସି ଅନିୟମିତତା କିମ୍ବା ଦୁର୍ନୀତିକୁ ସରକାର ବରଦାସ୍ତ କରିବେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ଅନ୍ୟପକ୍ଷରେ ୟୁଜିସି-ନେଟ୍ ପରୀକ୍ଷା ପ୍ରଶ୍ନପତ୍ର ଡାର୍କନେଟରେ ଲିକ୍ ହୋଇଥିବା ନେଇ ଶିକ୍ଷାମନ୍ତ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଡାର୍କ ନେଟ୍‌ରେ ଥିବା ୟୁଜିସି-ନେଟ୍ ପ୍ରଶ୍ନପତ୍ର ୟୁଜିସି-ନେଟ୍‌ ମୂଳ ପ୍ରଶ୍ନପତ୍ର ସହ ମେଳ ଖାଉଥିବା ସ୍ପଷ୍ଟ ହେବା ପରେ ଆମେ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲୁ ବୋଲି ସେ କହିଛନ୍ତି।